 ଫିଟ୍‌ସ ବା ଅପସ୍ମାର ରୋଗ କ’ଣ?
ଅପସ୍ମାର ବା ବାତ ମାରିବା ଏକ ବଂଶଗତ ରୋଗ। ‌ମସ୍ତିଷ୍କ ସଂରଚନାରେ କିଛି ତ୍ରୁଟି ଘଟିଲେ ବି ଏହି ରୋଗ ହୋଇପାରେ। ବିଶେ‌ଷ କରି ପରିବାର ମଧ୍ୟରେ ଏହି ‌େରାଗ ଥିଲେ, ସନ୍ତାନ ଶରୀରକୁ ଏହା ଆସିବାର ବହୁ ଆଶଙ୍କା ରହିଥାଏ। ଅପସ୍ମାର ରୋଗ ଭିନ୍ନ ଭିନ୍ନ ପ୍ରକାରର। ହାତ, ଗୋଡ଼ ଥରିଲା ଭଳି ହେବା, ପାଟିରୁ ଲାଳ ବୋହିବା, କିଛି କ୍ଷେତ୍ରରେ ବାତ ମାରିଲେ ରୋଗୀ ୧ରୁ ୨ ମିନିଟ୍‌ ପାଇଁ ଅଚେତ ହୋଇଯିବାର ବି ଦେଖାଯାଇଥ‌ାଏ। 
 ଯଦି ଜଣଙ୍କୁ ବାତ ମାରୁଛି, ଉପସ୍ଥିତ ଲୋକମାନେ କ’ଣ କରିପାରିବେ?
ବାତ ମାରୁଥିବା ବ୍ୟକ୍ତିଙ୍କ ପାଖରେ ରହି ସେମାନଙ୍କୁ ତଳେ ଶୁଆଇ ଦେବା ସହ ମୁଣ୍ଡ ଓ କାନ୍ଧରେ ନରମ ଜିନିଷ ରଖନ୍ତୁ। ଲାଳ ବା ବାନ୍ତି ହେଉଥିଲେ ‌ସେଗୁଡ଼ିକ ବାହାରିଗଲା ଭଳି ପାଟିକୁ କଡ଼େଇ ରଖିବେ। ରୋଗୀ ଚାରିପାଖରୁ ତୀକ୍ଷ୍ଣ ଜିନିଷ ସବୁ ହଟାଇଦେବେ। ପାଟିରେ କୌଣସି ଜିନିଷ ପୂରାଇବେ ନାହିଁ। ଫିଟ୍‌ସ ମାରୁଥିବା ସମୟରେ ରୋଗୀକୁ ହଲାନ୍ତୁ ନାହିଁ କି ବାଡ଼ାନ୍ତୁ ନାହିଁ। ଭୁଲ୍‌ରେ ବି ପାଣି ପିଇବାକୁ ଦିଅନ୍ତୁ ନାହିଁ। ଖୋଲା ସ୍ଥାନରେ ବା ଭଲ ବାୟୁ ଚଳାଚଳ ହେଉଥିବା ସ୍ଥାନରେ ତାଙ୍କୁ ରଖନ୍ତୁ। 
 ବାରମ୍ବାର ବାତ ମାରିବା ଦ୍ବାରା କ’ଣ କ୍ଷତିର ଆଶଙ୍କା ଥାଏ?
ବାରମ୍ବାର ଏହା ଘଟିଲେ ମସ୍ତିଷ୍କର କ୍ଷତି ଘଟିବା ସହ ସ୍ମରଣଶକ୍ତି କମିଥାଏ। ମସ୍ତିଷ୍କ ବିକାଶରେ ବି ଅସୁବିଧା ହୁଏ।
 ଏହା କ’ଣ ଜନ୍ମରୁ ଥାଏ?
କିଛି ଶିଶୁଙ୍କଠାରେ ଏହା ଜନ୍ମରୁ ଦେଖାଯାଇଥାଏ। ଜନ୍ମ ସମୟରେ ମସ୍ତିଷ୍କକୁ ଅମ୍ଳଜାନ ପର୍ଯ୍ୟାପ୍ତ ପରିମାଣର ମିଳି ନଥିଲେ ଏହା ଘଟିଥାଏ। ମସ୍ତିଷ୍କ ଠିକ୍‌ ଭାବେ ବିକଶିତ ନ ହୋଇଥିଲେ ବି ଏହା ଘଟିପାରେ। ସାଧାରଣତଃ ଏହା ଜନ୍ମରୁ ୧୫ ବର୍ଷ ବୟସ ମଧ୍ୟରେ ଦେଖାଯାଇଥାଏ। ତେବେ ଏହା ଯେକୌଣସି ବୟସରେ ବି ଦେଖାଯାଇପାରେ। ବାସ୍ତବରେ ମସ୍ତିଷ୍କର ଗୋଟିଏ ବିନ୍ଦୁରେ କିଛି ବିଶୃଙ୍ଖଳା ଘଟି ଏକ ଇଲେକ୍ଟ୍ରିକ୍‌ ଆକ୍ଟିଭିଟି ଆରମ୍ଭ ହୁଏ। ଫଳରେ ବ୍ୟକ୍ତିକୁ ବାତ ମାରିଥାଏ। ଏହା ୧ରୁ ୨ ମିନିଟ୍‌ ପାଇଁ ହୋଇଥାଏ। ଯଦି ୫ ମିନିଟ୍‌ ବା ତା’ଠାରୁ ଅଧିକ ସମୟ ବାତ ମାରେ ତେବେ ଡାକ୍ତରଙ୍କ ପରାମର୍ଶ ଜରୁରି। ଏଭଳି ମାମଲାରେ ମସ୍ତିଷ୍କକୁ ଅମ୍ଳଜାନ ବିତରଣ ବନ୍ଦ ହୋଇ ରୋଗୀର ମୃତ୍ୟୁ ଆଶଙ୍କା ବଢ଼ିପାରେ। 
 କେଉଁ ପରିସ୍ଥିତିରେ ବାତ ମାରିବା ଆଶଙ୍କା କରାଯାଇପାରେ?
ଅପସ୍ମାର ‌େ‌ରାଗୀ ରାତି ଅନିଦ୍ରା ହୋଇଥିଲେ, ଅଧିକ ମ‌ାନସିକ ଚାପ ବା ଯନ୍ତ୍ରଣାରେ ରହିଥିଲେ ବା ଋତୁସ୍ରାବ ସମୟରେ ବାତ ମାରିବାର ଆଶଙ୍କା ବଢ଼ିଯାଏ। ବାତରୋଗୀଙ୍କୁ ନିଆଁ ଓ ପାଣିରୁ ଦୂରେଇ ରହିବା ସହ ଅନେକ ସମୟରେ ଗାଡ଼ି ଚଳାଇବାକୁ ମନା ବି କରାଯାଇଥାଏ। ନିୟମିତ ଔଷଧ ସେବନ ଦ୍ବାରା ଏହାକୁ ନିୟନ୍ତ୍ରିତ କରାଯାଇପାରେ। ଅନ୍ୟ କିଛି କ୍ଷେତ୍ରରେ, ଯେମିତି କି ସୋଡିୟମ୍‌ କମି ମସ୍ତିଷ୍କ ସଂକ୍ରମଣ ହେଲେ ବାତ ମାରିଥାଏ। ଏଥିସହ ପକ୍ଷାଘାତ ରୋଗୀଙ୍କୁ ମଧ୍ୟ ବାତ ମାରିପାରେ। ଏହା ସାମୟିକ ଭାବେ ହୋଇଥାଏ।