ପୁଣେ: କୋଭିଡ ମହାମାରୀ ଯୋଗୁଁ ଯେତେବେଳେ ସମଗ୍ର ଦେଶରେ ଲକଡାଉନ ହୋଇଯାଇଥିଲା ସେତେବେଳେ ଚାକିରି ପାଇଁ ସହରକୁ ଆସୁଥିବା ଲୋକମାନେ ନିଜ ଗାଁକୁ ଫେରିଥିଲେ | ଲକଡାଉନ ଏମିତି ଏକ ସମୟ ଥିଲା, ଯାହା ଦେଶରେ ୱାର୍କଫ୍ରମ ହୋମ ସଂସ୍କୃତିକୁ ଜନ୍ମ ଦେଇଥିଲା | ତେବେ, ଏହି ୱାର୍କଫ୍ରମ ହୋମ କିନ୍ତୁ ଇଞ୍ଜିନିୟର ତୁକାରାମ ସୋନାୱାନେ ଏବଂ ତାଙ୍କ ପତ୍ନୀ ସୋନାଲି ଭେଲଜାଲୀଙ୍କୁ 'ଇଲେକ୍ଟ୍ରିକ ବଳଦ' ନିର୍ମାଣ କରିବାକୁ ପ୍ରୋତ୍ସାହନ ଦେଇଥିଲା | 'ଇଲେକ୍ଟ୍ରିକ ବଳଦ' ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି? ଆଜ୍ଞା ହଁ, ଏହି ଦୁଇ ଜଣ ଏଭଳି ଏକ ମେସିନର ନିର୍ମାଣ କରିଛନ୍ତି, ଯାହାକି କୃଷକଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି | ୧୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦୁହେଁ ପୁଣେରୁ ନିଜ ଜନ୍ମ ସହର ଆଣ୍ଡରସୁଲକୁ ଆସିଥିଲେ | ବୃତ୍ତି ଅନୁଯାୟୀ ତୁକାରାମ ଜଣେ ମେକାନିକାଲ୍ ଇଞ୍ଜିନିୟର |

Advertisment

ସେ କହିଛନ୍ତି ଯେ ପୂର୍ବରୁ ସେ କେବଳ ନିଜ ପର୍ବପର୍ବାଣୀରେ ନିଜ ଗାଁକୁ ଆସୁଥିଲେ, କିନ୍ତୁ ସହରରେ ଚାକିରି ଯୋଗୁଁ ସେ ଦିନେ କିମ୍ବା ଦୁଇ ଦିନରୁ ଅଧିକ ସମୟ ରହିପାରୁନଥିଲେ | ଯେତେବେଳେ ସେ ଲକଡାଉନ ସମୟରେ ଘରୁ କାମ କରିବାର ସୁଯୋଗ ପାଇଲେ, ସେ ଏହାର ସମ୍ପୂର୍ଣ୍ଣ ଫାଇଦା ଉଠାଇଲେ | ଏଥର ସେ ନିଜ ଘରେ ଆରାମରେ ରହୁଥିବାବେଳେ ପରିବାର ଏବଂ ସାଙ୍ଗମାନଙ୍କ ସହିତ ସମୟ ବିତାଇବାକୁ ଏକ ସୁଯୋଗ ପାଇଲେ | କିଛି ସମୟ ଗାଁରେ ରହିବା ପରେ ତୁକାରାମ ଅନୁଭବ କଲେ ଯେ ଗାଁରେ କିଛି ପରିବର୍ତ୍ତନ ହୋଇନାହିଁ | ଉତ୍ତମ ଅମଳ ପାଇବା ପାଇଁ କୃଷକମାନେ ସଂଘର୍ଷ କରୁଥିଲେ | ଚାଷ ପାଇଁ ଯନ୍ତ୍ରପାତିର ବହୁତ କମ ବ୍ୟବହାର ହେଉଥିଲା, ଯାହାଦ୍ୱାରା କୃଷକମାନେ ଆଶାନୁରୂପକ ଉତ୍ପାଦନ ପାଇପାରୁନଥିଲେ | ମେସିନ୍ ବଦଳରେ ଗୋରୁ ଏବଂ ଶ୍ରମ ଚାଷ ପାଇଁ ବ୍ୟବହୃତ ହେଉଥିଲା, ଯାହା ଚାଷୀଙ୍କ ପକେଟକୁ ସିଧାସଳଖ ପ୍ରଭାବିତ କରୁଥିଲା | ବିଶେଷକରି ଅଧା ଏକର କିମ୍ବା ୧ ଏକର ଜମି ଥିବା ଛୋଟ ଚାଷୀମାନେ ଅଧିକ ପ୍ରଭାବିତ ହୋଇଥିଲେ |

publive-image

ତୁକାରାମଙ୍କ ପତ୍ନୀ ସୋନାଲି ମଧ୍ୟ ଜଣେ ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟର ଥିଲେ | ଆଉ ଉଭୟ ହୃଦୟଙ୍ଗମ କଲେ ଯେ ଯନ୍ତ୍ରର ବ୍ୟବହାର ନହେବା ଦ୍ୱାରା ଚାଷୀମାନେ କ୍ଷତି ସହୁଛନ୍ତି | ଏହାକୁ ଦେଖି ଏହି ସମସ୍ୟାର ସମାଧାନ ଖୋଜି ଉଭୟେ ଏକ 'ଇଲେକ୍ଟ୍ରିକ୍ ବୁଲ' ବା 'ଇଲେକ୍ଟ୍ରିକ ବଳଦ' ତିଆରି କରିଛନ୍ତି | ତୁକାରାମ ଏବଂ ସୋନାଲି ବିଶ୍ୱାସ କରନ୍ତି ଯେ ଏହା କୃଷକମାନଙ୍କୁ, ବିଶେଷକରି କ୍ଷୁଦ୍ର ଚାଷୀଙ୍କୁ ବହୁତ ସାହାଯ୍ୟ କରିବ | ତୁକାରାମ କହିଛନ୍ତି ଯେ ଗାଁର ପ୍ରାୟ ୫୦ ପ୍ରତିଶତ ଲୋକଙ୍କ ପାଖରେ ବଳଦ ନାହିଁ। ଏଥିସହ, ଘାସ ବାଛିବା ସହ କୀଟନାଶକ ସିଞ୍ଚନ ମଧ୍ୟ କଷ୍ଟକର ହେଉଥିଲା | କାରଣ ଥରେ ଗଛ ବଢିଗଲେ ଟ୍ରାକ୍ଟର ସେଠାରେ ପହଞ୍ଚିବା ପାଇଁ ଜାଗା ନଥାଏ। ସେ ମାସ ମାସ ଧରି ଚାଷୀଙ୍କ ସହ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ଏବଂ ତା’ପରେ ସେ ଓ ସୋନାଲି ମଧ୍ୟ ହୃଦୟଙ୍ଗମ କରିଥିଲେ ଯେ ଏକ ନିର୍ଦ୍ଦିଷ୍ଟ ଋତୁରେ ମାଟିର ପ୍ରକାର ଏବଂ ଫସଲର ପ୍ରକାର ଉପରେ ନିର୍ଭର କରି ଚାଷୀଙ୍କ ଆବଶ୍ୟକତା ବଦଳିଯାଏ |

ଏହା ପରେ ସେମାନେ ଏକ ମେସିନ୍ (ଇଲେକ୍ଟ୍ରିକ୍ ବୁଲ) ତିଆରି କରିବା ପାଇଁ ଦିନରାତି କାମ କରିଥିଲେ | ଏହା ଦ୍ୱାରା ମଞ୍ଜି ବୁଣିବା ଠାରୁ ଅମଳ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ହୋଇପାରିଥାଏ । ପ୍ରାୟ ୨ ଏକର ଜମି ପାଇଁ ଚାଷଠାରୁ ଅମଳ ପର୍ଯ୍ୟନ୍ତ ପ୍ରାୟ ୫୦,୦୦୦ ଟଙ୍କା ଆବଶ୍ୟକ ହେଉଥିବାବେଳେ ଏହି ଉପକରଣ ଦ୍ୱାରା ମାତ୍ର ୫୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ | ଏଥିସହ, ଏହା କେବଳ ୨ ଘଣ୍ଟା ମଧ୍ୟରେ ଚାର୍ଜ କରାଯାଇପାରିବ |