ଜୟପୁର: ରାଜସ୍ଥାନର ସିକର ସହରରେ ପକ୍ଷୀପ୍ରେମୀଙ୍କ ଏକ ଅନନ୍ୟ ଘଟଣା ସାମନାକୁ ଆସିଛି। ଖବର ଅନୁସାରେ, ସହରର ଜଣେ ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡାକ୍ତର ଭିକେ ଜୈନଙ୍କ ଶୁଆ ତିନି ଦିନ ପୂର୍ବରୁ ହଜିଯିବାରୁ ତାଙ୍କ ପତ୍ନୀ ଖାଇବା ପିଇବା ଛାଡି ଦେଇଥିଲେ। ଶୁଆକୁ ଖୋଜିବା ପାଇଁ ଡାକ୍ତର ଜଣକ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି। ଖବର କାଗଜର ପ୍ରଥମ ପୃଷ୍ଠାରେ ଶୁଆ ହଜିଯାଇଥିବା ବିଷୟରେ ବିଜ୍ଞାପନ ଦେଇଛନ୍ତି। ସହରରେ ପୋଷ୍ଟର ଓ ପାମ୍ପଲେଟ୍ ବାଣ୍ଟିଛନ୍ତି। ସୋସିଆଲ ମିଡିଆରେ ଶୁଆ ବିଷୟରେ ଖବର ମଧ୍ୟ ଶେୟାର କରିଛନ୍ତି। କିନ୍ତୁ ଶୁଆର ଖବର ମିଳିପାରି ନାହିଁ।
ଶୁଆକୁ ଖୋଜିଦେଲେ ୧ ଲକ୍ଷ ଟଙ୍କା ଦେବେ ବୋଲି ଡାକ୍ତର ଭିକେ ଜୈନ ଘୋଷଣା କରିଛନ୍ତି। ଡା.ଜୈନ କହିଛନ୍ତି, ଯିଏ ତାଙ୍କ ଶୁଆକୁ ଖୋଜି ଆଣିବ ସେ ତାକୁ ଖୁସିର ସହିତ ଲକ୍ଷେ ଟଙ୍କା ଦେବାକୁ ପ୍ରସ୍ତୁତ ଅଛନ୍ତି। ତାଙ୍କ ପରିବାର ଲୋକ ଓ ହସ୍ପିଟାଲର ଷ୍ଟାଫ୍ ଅନବରତ ଶୁଆକୁ ଖୋଜୁଛନ୍ତି।
ଡାକ୍ତର ଜୈନଙ୍କ ସ୍ତ୍ରୀ ଅର୍ଚ୍ଚନା ଘଟଣା ବିଷୟରେ କହିଛନ୍ତି, ହସ୍ପିଟାଲର ଉପର ମହଲାରେ ହିଁ ତାଙ୍କ ଘର। ତିନି ଦିନ ଆଗରୁ ସେ ଛାତରେ ପୋଷା ଶୁଆ କୋକାକୁ ସେଓ ଖୁଆଉଥିଲେ। ଏହି ସମୟରେ ଶୁଆଟି ଉଡିଯାଇଥିଲା ଓ ଆଉ ଫେରି ନଥିଲା। ତିନି ଦିନ ହେଲା ଶୁଆକୁ ଆମେ ଖୋଜୁଛୁ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପାଇ ନାହୁଁ।
ଡାକ୍ତର ଜୈନ ଦୁଃଖର ସହିତ କହିଛନ୍ତି, ୨ ବର୍ଷ ପୂର୍ବରେ ସେ ୮୦ ହଜାର ଟଙ୍କାରେ ଧୂସର ରଙ୍ଗର ଦୁଇଟି ଆଫ୍ରିକୀୟ ଶୁଆ କିଣିଥିଲେ। ଗୋଟିଏ ଶୁଆର ନାମ କୋକା ରଖା ଯାଇଥିଲା। ଏହି ଦୁଇ ବର୍ଷରେ କୋକା ଘରର ସଦସ୍ୟ ଭଳି ହୋଇଯାଇଥିଲା। ସେ ଚାଲିଯିବା ପରେ ଘରଟା ଖାଁ ଖାଁ ଲାଗୁଛି। ଶୁଆଟି ଦୁର୍ଲଭ ପ୍ରଜାତିର ଥିଲା। ସେ ଏକ ହଜାରରୁ ଅଧିକ ଶବ୍ଦ କହୁଥିଲା। ସମସ୍ତଙ୍କ ସହିତ କଥା ହେଉଥିଲା ଓ କିଛି ପଚାରିଲେ ଉତ୍ତର ବି ଦେଉଥିଲା। ସେ ଚାଲିଯିବା ପରେ ପୁଅ,ବୋହୁ ଓ ଝିଅ ଦୁଃଖରେ ଭାଙ୍ଗି ପଡିଛନ୍ତି। ସ୍ତ୍ରୀ କାନ୍ଦି କାନ୍ଦି କୋକାର ଆସିବାର ଅପେକ୍ଷା କରିଛନ୍ତି। ଆମେ ଖାଇବା ସମୟରେ ସେ ଆମ ପାଖକୁ ଆସି ବସି ପଡୁଥିଲା। ତାକୁ ସିରିଞ୍ଜ୍ ଦ୍ଵାରା ଫଳ ରସ ଓ କ୍ଷୀର ପିଆଯାଉ ଥିଲା।
ହସ୍ପିଟାଲର ମ୍ୟାନେଜର ଆରତୀ କହିଛନ୍ତି, ଶୁଆ ହଜିବା ପରେ ହିଁ ହସ୍ପିଟାଲର ସଦସ୍ୟ ତାକୁ ଖୋଜିବାକୁ ଆରମ୍ଭ କରି ଦେଇଥିଲେ। ତେବେ ଏପର୍ଯ୍ୟନ୍ତ ତା ବିଷୟରେ ଖବର ମିଳିପାରି ନାହିଁ । ଶୁଆ ସହ ହସ୍ପିଟାଲର ସଦସ୍ୟମାନଙ୍କ ଭାବନାତ୍ମକ ସମ୍ପର୍କ ଥିଲା ଓ ସେ ସେମାନଙ୍କ ସହ ମଧ୍ୟ କଥା ହେଉଥିଲା।
ଡାକ୍ତର ଜୈନ ପଶୁପକ୍ଷୀଙ୍କୁ ଅତ୍ୟନ୍ତ ଭଲପାଆନ୍ତି। ତାଙ୍କ ଫାର୍ମ ହାଉସରେ ସେ ବତକ, ଶୁଆ, ପାରା, ଠେକୁଆ, ବିଲେଇ, କୁକୁର, ଘୋଡା ପାଳିଛନ୍ତି।