ନୂଆଦିଲ୍ଲୀ: ଜଣେ ରୋଗୀ ତାଙ୍କୁ ଖଣ୍ଡେ ୫୦୦ ଟଙ୍କିଆ ଜାଲ୍ ନୋଟ୍ ଦେଇ ଠକିଥିବା କଥା ଜଣେ ଅସ୍ଥିଶଲ୍ୟ ବିଶେଷଜ୍ଞ (ଅର୍ଥୋପେଡିକ୍ ସର୍ଜନ୍) ସାମାଜିକ ଗଣମାଧ୍ୟମରେ କହିଛନ୍ତି।
ସମ୍ପ୍ରତି ‘ମେଟା’ ଶୁଭାରମ୍ଭ କରିଥିବା ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମ ‘ଥ୍ରେଡ୍ସ୍’ରେ ଏକଥା ସେୟାର୍ କରିଛନ୍ତି ଅସ୍ଥିଶଲ୍ୟ ତଥା ସ୍ବାସ୍ଥ୍ୟ ସଂକ୍ରାନ୍ତ ଆଲେଖ୍ୟ ଲେଖୁଥିବା ଡାକ୍ତର ମାନବ ଅରୋରା। ପୋଷ୍ଟ୍ରେ ସେ ଲେଖିଛନ୍ତି: ଅଳ୍ପ ଦିନ ପୂର୍ବେ ସ୍ବାସ୍ଥ୍ୟ ବିଷୟରେ ପରାମର୍ଶ କରିବାକୁ ଆସି ଜଣେ ରୋଗୀ ମତେ ଏହି ନୋଟ୍ଖଣ୍ଡକ ଦେଇଯାଇଛନ୍ତି। ଯାଞ୍ଚ ନ କରି ମୋ ରିସେପ୍ସନିଷ୍ଟ୍ ନୋଟ୍ଖଣ୍ଡକ ତାଙ୍କଠାରୁ ରଖିଦେଇଥିଲେ। କଥାର ଗୁରୁତ୍ବ ତାହା ନୁହେଁ। କଥା ହେଉଛି, ଡାକ୍ତରଙ୍କ କ୍ଷେତ୍ରରେ ବି ଲୋକେ ଏଭଳି ହୀନକର୍ମ ପାରନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ରୋଗୀଜଣକ ଅଜାଣତରେ ନୋଟ୍ଟି ଦେଇଛନ୍ତି ବୋଲି ତାଙ୍କର ମନେହୁଏ ନାହିଁ।
କିନ୍ତୁ, ଠକାମିରେ ପଡ଼ିଛନ୍ତି ବୋଲି ଜାଣି ସୁଦ୍ଧା ସେ କଥାକୁ ବଡ଼ ଆନନ୍ଦର ସହ ଗ୍ରହଣ କରିଛନ୍ତି। ସେ କହିଛନ୍ତି, ଯାହାହେଉ ପଛେ, ଏଥିପାଇଁ ମୁଁ ଖୁବ୍ ଆନନ୍ଦିତ। ୫୦୦ ଟଙ୍କା ଠକି ହୋଇଥିଲେ ବି ମଜାଦାର ସ୍ମୃତି ଭଳି ଏଇ ଜାଲ୍ ୫୦୦ ଟଙ୍କିଆ ନୋଟ୍ଟିକୁ ସାଇତି ରଖିବି।
‘ପ୍ରୋଜେକ୍ଟ୍ ଫର୍ ସ୍କୁଲ୍ ୟୁଜ୍ ଓନ୍ଲି’ ଲେଖି ଡାକ୍ତର ଅରୋରା ଉକ୍ତ ଜାଲ୍ ୫୦୦ ଟଙ୍କିଆ ନୋଟ୍ର ଫେଟୋ ବି ସେୟାର୍ କରିଛନ୍ତି।