ନୂଆଦିଲ୍ଲୀ: ବ୍ରିଟେନରେ ବସବାସ କରୁଥିବା ଜଣେ ମହିଳାଙ୍କୁ କ୍ଳାନ୍ତ ଲାଗିବା ସହିତ ପେଟରେ ଯନ୍ତ୍ରଣା ହେଉଥିଲା। ସେ ଏସବୁକୁ ଅଣଦେଖା କରି ଦେଇଥିଲେ। ଭାବିଥିଲେ ଅତ୍ୟଧିକ ଚିନ୍ତା ହେତୁ ତାଙ୍କୁ ଏଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ତେଣୁ ସେ କୌଣସି ପ୍ରକାର ଚିକିତ୍ସା କରାଇ ନଥିଲେ।
ଯନ୍ତ୍ରଣା ଅସହ୍ୟ ହେବାରୁ ସେ ଯେତେବେଳେ ଚିକିତ୍ସା କରାଇଥିଲେ,ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଡାକ୍ତର ଏହି ରିପୋର୍ଟ ଦେଖି ମହିଳାଙ୍କୁ କହିଥିଲେ, ‘ଦୁଃଖଦ ଖବର। ଆପଣଙ୍କ ପାଖରେ ବଞ୍ଚିବା ପାଇଁ ଆଉ ରହିଛି ମାତ୍ର ୨୪ଘଣ୍ଟା।’
୩୩ବର୍ଷର ଭିକ୍ଟୋରିଆ ଡେନସନଙ୍କ ପେଟରେ ଗଭୀର ଯନ୍ତ୍ରଣା ହେଉଥିଲା। ଚିକିତ୍ସା ପରେ ସେ ଜାଣିବାକୁ ପାଇଥିଲେ କି ତାଙ୍କ ପେଟରେ ସଂକ୍ରମଣ ହୋଇଯାଇଛି। ଏହି ସଂକ୍ରମଣ ବଢ଼ି ପୋକ ବି ହୋଇଯାଇଛି। ଏହାପରେ ତାଙ୍କର ଅସ୍ତ୍ରୋପଚାର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ।
ଭିକ୍ଟୋରିଆ କହିଛନ୍ତି, ‘ମୁଁ ଚିକିତ୍ସା ପାଇଁ ହସ୍ପିଟାଲରେ ପହଞ୍ଚିଥିଲି। ମୋର ସ୍ବାସ୍ଥ୍ୟ ସମସ୍ୟା ବୁଝିବା ପରେ ଡାକ୍ତର କିଛି ପରୀକ୍ଷା କରିବାକୁ କହିଥିଲେ। ଏହି ପରୀକ୍ଷା ରିପୋର୍ଟ ଦେଖିବା ପରେ ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଉ ମୋତେ ଏତିକି କହିଥିଲେ ଆପଣଙ୍କ ପାଖରେ ବଞ୍ଚିବାକୁ ମାତ୍ର ୨୪ଘଣ୍ଟାର ସମୟ ଅଛି। ତେଣୁ ଆମେ ଆପଣଙ୍କ ଯେମିତି ଚିକିତ୍ସା କରିବାକୁ ଚାହିଁବୁ କରିପାରିବୁ କି, ଏଥିପାଇଁ ଆପଣ ପ୍ରସ୍ତୁତ କି। ଡାକ୍ତରଙ୍କ ଏତିକି କଥାରେ ମୁଁ କେବଳ ହଁ ମାରିଥିଲି।
ଏହାପରେ ମୋ ସହିତ କ’ଣ ଘଟିଚାଲିଲା ମୁଁ କିଛି ଜାଣି ପାରି ନଥିଲି। ଖାଲି ଏତିକି ଜାଣି ଥିଲି ମୋତେ ବଞ୍ଚିବାର ଅଛି। ତେଣୁ ଏସବୁ କଷ୍ଟକୁ ମୋତେ ସହିବାକୁ ହେବ। ଶେଷରେ ଡାକ୍ତର ଅସ୍ତ୍ରୋପଚାର କରି ମୋ ଅନ୍ତରୁ ୧୮ଇଞ୍ଚ ବାହାର କରି ଦେଇଥିଲେ। ଆଉ କହିଥିଲେ,‘‘ ଭିକ୍ଟୋରିଆ ଏବେ ଭୟ କରିବାର କିଛି କାରଣ ନାହିଁ ତୁମେ ଏବେ ବିପଦମୁକ୍ତ ଅଛ।’’
ଏହି ଘଟଣା ପରେ ମୁଁ କିଛିଦିନ ବିଶ୍ରାମ ନେଇଥିଲି। ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଯିବା ପରେ କ୍ରମାଗତ ଭାବେ ଲୋକଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଜାଗୃତ କରିବା ପାଇଁ ଅଭିଯାନ ଆରମ୍ଭ କରିଛି। ମୁଁ ଯେଉଁ କଷ୍ଟ ପାଇଛି ଲୋକଙ୍କୁ ସେ କଷ୍ଟ ନହେଉ ସେଥିପାଇଁ ସଚେତନ କରୁଛି। ଶରୀରରେ ସମାନ୍ୟ ଅସୁବିଧା ହେଲେ ତାହାକୁ ଅଣଦେଖା ନକରି ଡାକ୍ତରଙ୍କ ପରାମର୍ଶ ନିହାତି ନିଅନ୍ତୁ ବୋଲି ମୁଁ ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି କଲେଲ ଛାତ୍ରଛାତ୍ରୀଙ୍କୁ ଏବିଷୟରେ ବୁଝାଉଛି। ଏମିତି କି କାର୍ଯ୍ୟାଳୟକୁ ଯାଇ ବି କର୍ମଚାରୀଙ୍କୁ ଏଦିଗ ପ୍ରତି ଯତ୍ନଶୀଳ ରହିବାକୁ ପରାମର୍ଶ ଦେଉଛି।’