କରୋନା ଯୋଦ୍ଧାଙ୍କ ମହାନତା: ରୋଗୀକୁ ହସ୍ପିଟାଲ୍‌ରେ ପହଞ୍ଚାଇବାକୁ ଆମ୍ବୁଲାନ୍ସ ଚଳାଇଲେ ଡାକ୍ତର

ପୁଣେ: ଜଣେ ରୋଗୀର ଜୀବନ ବଞ୍ଚାଇବାକୁ ଆମ୍ବୁଲାନ୍ସ ଡ୍ରାଇଭର୍‌ ସାଜିଥିବା ଜଣେ ଡାକ୍ତର ଏବେ ତାଙ୍କର ମହାନତା ପାଇଁ ଚାରିଆଡ଼େ ଚର୍ଚ୍ଚା ପାଲଟିଛନ୍ତି। ସେ ଯେ ଜଣେ ପ୍ରକୃତ କରୋନା ଯୋଦ୍ଧା ତାହା ପ୍ରମାଣ କରି ଦେଖାଇଛନ୍ତି। ଜଣେ ଗୁରୁତର ଅସୁସ୍ଥ ବୃଦ୍ଧ କରୋନା ଭାଇରସ୍ ରୋଗୀଙ୍କୁ କେୟାର ସେଣ୍ଟରରୁ ଡାକ୍ତରଖାନାକୁ ଆଣିବା ପାଇଁ ଆମ୍ବୁଲାନ୍ସ ଚାଳକ ବନିବାକୁ ବି ପଛାଇଲେ ନାହିଁ ୩୦ ବର୍ଷିୟ ଡାକ୍ତର ଜଣକ।

ଏହି ସହୃଦୟ ଡାକ୍ତର ଜଣକ ହେଉଛନ୍ତି ରଣଜୀତ ନିକାମ। ଆମ୍ବୁଲାନ୍ସ ଚାଳକ ଜଣକ ଗାଡ଼ି ଚଳାଇ ଚଳାଉ ଅଚାନକ ଅସୁସ୍ଥ ହୋଇ ପଡ଼ିଥିଲେ। ଅନ୍ୟ କେହି ଚାଳକ ସେହି ଗାଡ଼ିରେ ନଥିବାରୁ ଡାକ୍ତର ଜଣକ ବାଧ୍ୟ ହୋଇ ନିଜେ ଡ୍ରାଇଭର୍‌ ସିଟ୍‌କୁ ଯାଇ ଗାଡ଼ି ଚଳାଇଥିଲେ।

କୋଭିଡ୍‌ କେୟାର୍‌ରେ ଚିକିତ୍ସିତ ହେଉଥିବା ୭୧ ବର୍ଷିଅ ବ୍ୟକ୍ତିଙ୍କର ଅମ୍ଳଜାନ ସ୍ତର କମିଯିବାରୁ ତାଙ୍କୁ ଡାକ୍ତରଖାନାକୁ ନିଆଯାଉଥିଲା। ଅଚାନକ ବାଟରେ ଚାଳକ ଅସୁସ୍ଥ ହୋଇଯିବାରୁ ଏପରି ପରିସ୍ଥିତି ଉପୁଜିଥିବା ସୂଚନା ରହିଛି।

National Herald

ଡାକ୍ତର ଜଣକ ମ‌େର୍କେଟୟାର୍ଡ ଅଞ୍ଚଳରେ ଥିବା କୋଭିଡ୍‌ ୱାର୍ଡରେ ଉକ୍ତ କରୋନା ଆକ୍ରାନ୍ତଙ୍କର ଦେଖାଶୁଣା କରୁଥିଲେ। ସେ ସୋମବାର ଦିନ ପ୍ରାୟ ୨ ଟା ସମୟରେ ଏକ୍‌ ଫୋନ୍‌ କଲ୍‌ ପାଇଲେ ଯେ ଆକ୍ରାନ୍ତଙ୍କ ଅମ୍ଳଜାନ ସ୍ତରରେ ହ୍ରାସ ଘଟୁଛି। ଡକ୍ଟର ନିକାମ ତା’ପରେ ବରିଷ୍ଠ ଡାକ୍ତରଙ୍କ ସହ ଯୋଗାଯୋଗ କରି ବ୍ୟକ୍ତି ଜଣଙ୍କୁ ତୁରନ୍ତ ହସ୍ପିଟାଲ୍‌କୁ ନେବାର ନିଷ୍ପତ୍ତି ନେଇଥିଲେ।

କରୋନା ଆକ୍ରାନ୍ତ ଜଣକୁ ଡାକ୍ତର ଜଣକ ଆମ୍ବୁଲାନ୍ସ ଚଳାଇ ନେଇ ଏକ ବେସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ବ୍ୟକ୍ତିଙ୍କର ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି।

ସମ୍ବନ୍ଧିତ ଖବର