ନୂଆଦିଲ୍ଲୀ: ଆମେରିକାର କାଲିଫର୍ଣ୍ଣିଆରେ ଗୋଟାଏ ବିରଳ ରୋଗରେ ଆକ୍ରାନ୍ତ ଜଣେ ୬ ବର୍ଷୀୟ ବାଳିକାକୁ ସୁସ୍ଥ କରିବା ଲାଗି ଡାକ୍ତରମାନେ ତା’ର ମସ୍ତିଷ୍କର ଅର୍ଦ୍ଧେକ ଅଂଶ ‘ଡିସ୍କନେଷ୍ଟ୍’ ବା ‘ସୁଇଚ୍ ଅଫ୍’ କରି ଦେଇଥିବା କଥା ‘ୟୁଏସ୍ଏ ଟୁଡେ’ ସମ୍ବାଦପତ୍ର ରିପୋର୍ଟ କରିଛି।
ସ୍ନାୟୁଗତ ରୋଗ ‘ରାସ୍ମୁସେନ୍ସ୍ ଏନ୍ସିଫାଲାଇଟିସ୍’ରେ ପୀଡ଼ିତା ବାଳିକା ବ୍ରିଆନ୍ନା ବୋଡ୍ଲିଙ୍କ ଶରୀରରେ ପ୍ରାୟ ୧୦ ଘଣ୍ଟାକାଳ ଅସ୍ତ୍ରୋପଚାର କରାଯାଇଥିଲା। ତେଣୁ, ତା’ର ମସ୍ତିଷ୍କର ଅର୍ଦ୍ଧେକ ଅଂଶ ବନ୍ଦ (ଡାକ୍ତରୀ ଭାଷାରେ ‘ହେମିସ୍ଫେରୋଟମି’) କରିବାକୁ ପଡ଼ିଥିଲା।
କାଲିଫର୍ଣ୍ଣିଆର ଲୋମା ଲିଣ୍ଡାସ୍ଥିତ ‘ଲୋମା ଲିଣ୍ଡା ୟୁନିଭର୍ସିଟି ମେଡିକାଲ୍ ସେଣ୍ଟର୍’ରେ ଏହି କଷ୍ଟସାଧ୍ୟ ଅସ୍ତ୍ରୋପଚାର କରିଥିଲେ ଡାକ୍ତର ଆରନ୍ ରବିନ୍ସନ୍। ସମ୍ବାଦପତ୍ର ‘ଏବିସି୭’କୁ ରବିନ୍ସନ୍ କହିଛନ୍ତି, ଏହି ରୋଗକୁ ବ୍ୟାପିବାରୁ ଅଟକାଇବା ଓ ସମ୍ଭାବ୍ୟ ଆରୋଗ୍ୟ କରିବା ଲାଗି ମସ୍ତିଷ୍କ ସଂଯୋଗ ବିଚ୍ଛିନ୍ନ କରିବା ଯଥେଷ୍ଟ।
/sambad/media/post_attachments/wp-content/uploads/2023/10/girl1.jpg)
‘ଏବିସି୭’ ରିପୋର୍ଟରେ ଉଲ୍ଲେଖ ଅଛି ଯେ, ବିଶେଷ ପଦ୍ଧତିରେ ମସ୍ତିଷ୍କର ଅର୍ଦ୍ଧେକ ସଂଯୋଗ ବିଚ୍ଛିନ୍ନ ବା ‘ସୁଇଚ୍ ଅଫ୍’ କରାଯାଇଥିଲେ ବି ବାଳିକା ବ୍ରିଆନ୍ନା ପୂର୍ବ ଭଳି ସ୍ବାଭାବିକ ଆଚରଣ ପ୍ରଦର୍ଶନ କରିବ। ଗତବର୍ଷ ତା’ର ଗୋଡ଼ ବଙ୍କେଇ ଯାଇ ଚାଲିବାରେ ଅସୁବିଧା ହେବାରୁ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ‘ରାସ୍ମୁସେନ୍ସ୍ ଏନ୍ସିଫାଲାଇଟିସ୍’ରେ ପୀଡ଼ିତା ବୋଲି ଡାକ୍ତରୀ ରିପୋର୍ଟରୁ ଜଣାପଡ଼ିଲା।
ବ୍ରିଆନ୍ନାର ମାଆ କହିଛନ୍ତି, ଏବେ ସେ ଭାରସାମ୍ୟ ରକ୍ଷା କରି ଚଳପ୍ରଚଳ କରିବା ଶିଖୁଛି। ତାକୁ ଆଉ କୌଣସି କଷ୍ଟ ବା ଯନ୍ତ୍ରଣା ହେଉନାହିଁ।