ନୂଆଦିଲ୍ଲୀ: କୁକୁରକୁ ମଣିଷର ସବୁଠାରୁ ବିଶ୍ବସ୍ତ ପ୍ରାଣୀ ବୋଲି ବିବେଚନା କରେ। କେହି କେହି ବି କୁକୁରକୁ ଏକ ରକମର ଭଲ ବନ୍ଧୁ ମାନି ଥାଆନ୍ତି । କୁହାଯାଏ, ଅନ୍ୟ ଗୃହପାଳିତ ପ୍ରାଣୀମାନଙ୍କଠାରୁ କୁକୁରମାନେ ମଣିଷର ଭାଷା ବେଶି ବୁଝିପାରନ୍ତି। କେବଳ ସେତିକି ନୁହେଁ, ଅନେକ ସମୟରେ ସେମାନେ ମଣିଷଙ୍କ ସହ ସାଙ୍ଗ ପରି ଖେଳକୁଦ ବି କରିଥାନ୍ତି।
ନିକଟରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି। ଭିଡିଓରେ କୁକୁରଟିଏ ଏକ କୁନି ପିଲା ସହ କ୍ରିକେଟ୍ ଖେଳୁଥିବାର ନଜର ଆସିଛି। ବଲିଉଡ୍ର ଜଣାଶୁଣା ଅଭିନେତ୍ରୀ ସିମି ଗେରେୱାଲ୍ ଭିଡିଓଟିକୁ ଟ୍ବିଟର୍ରେ ସେୟାର୍ କରିବା ପରେ ଏହା ଏବେ ବେଶ୍ ଚର୍ଚ୍ଚା ପାଲଟିବାରେ ଲାଗିଛି।
An award for the Best Fielder of the Year!!👑🥜 pic.twitter.com/7PWBLBgnnV
— Simi Garewal (@Simi_Garewal) February 20, 2020
୪୪ ସେକେଣ୍ଡ୍ର ଏହି ଭିଡିଓଟିରେ କୁକୁରଟି ୱିକେଟ୍କିପର୍ର ଭୂମିକା ନିଭାଉଥିବାର ଦେଖିବାକୁ ମିଳିଛି। ଭିଡିଓରେ ଜଣେ ଝିଅଟି ବ୍ୟାଟିଂ କରୁଥିବା ବେଳେ କୁକୁରଟି ଷ୍ଟମ୍ପ୍ ପଛରେ ଛିଡ଼ା ହୋଇଥିବାର ନଜର ଆସିଛି। ଝିଅଟି ବଲ୍କୁ ବାଡ଼େଇବା ପରେ ବଲ୍ଟିକୁ କ୍ୟାଚ୍ କରିବା ପାଇଁ କୁକୁରଟି ଦୌଡୁଥିବାର ଦେଖିବାକୁ ମିଳିଛି।
ଭିଡିଓ ସେୟାର୍ କରି ସିମି କହିଛନ୍ତି, ‘ଏ ବର୍ଷର ଶ୍ରେଷ୍ଠ ଫିଲ୍ଡର୍ ପାଇଁ ପୁରସ୍କାର ଦିଆଗଲା।’ ସିମି ଭିଡିଓଟିକୁ ଗୁୁରୁବାର ରାତିରେ ସେୟାର୍ କରିଛନ୍ତି। ଭିଡିଓଟିକୁ ହଜାର ହଜାର ଲାଇକ୍ ମିଳିଥିବା ବେଳେ ଅନେକ ଟ୍ବିଟର୍ ବ୍ୟବହାରକାରୀ ଏହାକୁ ରି-ଟ୍ବିଟ୍ କରି ସାରିଲେଣି। ଅନେକ ବ୍ୟବହାରକାରୀ କୁକୁରଟିକୁ ମହେନ୍ଦ୍ର ସିଂହ ଧୋନୀଙ୍କ ସହ ତୁଳନା କରିବା ସହ କେହି କେହି କୁକରଟିକୁ ଧୋନୀଙ୍କ ପୋଷା କୁକୁର ବୋଲି ମଧ୍ୟ କହିଛନ୍ତି।