ରାସ୍ତାପାର୍ଶ୍ୱରେ ୪ବର୍ଷ ଧରି ଅପେକ୍ଷା କରି ରହିଥିବା କୁକୁର ନିଜ ମାଲିକକୁ ଏପରି ଖୋଜି ପାଇଲା

ଥାଇଲ୍ୟାଣ୍ଡ: କୁକୁରକୁ ମନୁଷ୍ୟର ସବୁଠାରୁ ଭଲ ସାଥୀ ବୋଲି କୁହାଯାଇଥାଏ। କୁକୁର ବିନା ସ୍ୱାର୍ଥରେ ନିଜ ମାଲିକ ପାଇଁ ଜୀବନ ଦେବାକୁ କେବେ ବି ପଛାଇ ନଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଏମିତି ଏକ ଘଟଣା ଥାଇଲ୍ୟାଣ୍ଡରେ ଦେଖିବାକୁ ମିଳିଛି। ଏକ କୁକୁର ୪ବର୍ଷ ଧରି ରାସ୍ତାପାର୍ଶ୍ୱରେ ବସି ରହି ଶେଷରେ ନିଜ ମାଲିକକୁ ଖୋଜି ପାଇଥିଲା।

୨୦୧୯ ସେପ୍ଟେମ୍ବର ୫ ତାରିଖରେ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଏକ କୁକୁରର କାହାଣୀ ସେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି, କୁକୁର ନାମ ଲିଓ, ଏହି କୁକୁରକୁ ପ୍ରଥମେ ଜଣେ ମହିଳା ଯାତ୍ରୀ ଦେଖିବାକୁ ପାଇଥିଲେ। ଲିଓ ଅନେକ ଦିନ ହେବ କିଛି ନଖାଇ ନପିଇ ରାସ୍ତାପାର୍ଶ୍ୱରେ ସେମିତି ରହୁଥିଲା। ଫଳରେ ତା’ର ଶରୀରରୁ ରୁମ୍‌ ଝଡିବା ସହିତ ଚର୍ମ ରୋଗ ବି ହୋଇଯାଇଥିଲା। ଏହି ମହିଳା ଯାତ୍ରୀ କୁକୁରକୁ ଏଭଳି ଅବସ୍ଥାରେ ଦେଖି ତାକୁ ଖାଇବାକୁ ଦେବା ଆରମ୍ଭ କରିବା ସହିତ ଚିକିତ୍ସା କରାଇବା ପାଇଁ ଘରକୁ ନେଇ ଯାଇଥିଲେ। କିନ୍ତୁ ଉକ୍ତ କୁକୁରଟି ବାରମ୍ବାର ଘରୁ ପଳାଇ ଯାଇ ରାସ୍ତାପାଶ୍ୱ ସେହି ସ୍ଥାନକୁ ଚାଲି ଯାଇଥାଏ। ଏହାପରେ ମହିଳା ଅନୁଭବ କଲେ କୁକୁର ବୋଧ ହୁଏ କାହାରିକୁ ଖୋଜୁଛି। ଯେଉଁଥିପାଇଁ ସେ ବାରମ୍ବାର ସେହି ସ୍ଥାନକୁ ଚାଲି ଯାଉଛି। ଏହା ପରେ ମହିଳା ଲିଓକୁ ସେହି ସ୍ଥାନରେ ହିଁ ରହିବାକୁ ଛାଡ଼ି ଦେଇଥିଲେ। ସେଠାରେ ଯାଇ କୁକୁରକୁ ମହିଳା ଖାଇବାକୁ ପିଇବାକୁ ଦେଉଥିଲେ।

ଗତଚାରି ବର୍ଷ ହେବ ମହିଳା ଏଭଳି ଭାବେ କୁକୁର ଲିଓର ଯତ୍ନ ନେଇ ଆସୁଥିଲେ। ଲୋକମାନେ ଏହି କୁକୁର ବିଷୟରେ ଜାଣିବା ପରେ ସୋସିଆଲ ମିଡିଆରେ ଏହି ଘଟଣା ଓ ଫଟୋ ସେୟାର କରିଥିଲେ। ଥାଇଲ୍ୟାଣ୍ଡରେ ଏହି ପୋଷ୍ଟ ଭାଇରାଲ ହେବାପରେ ଜଣେ ବ୍ୟକ୍ତି ସାମ୍ନାକୁ ଆସିଥିଲେ। ଲିଓ ତାଙ୍କର ଜଣେ ସମ୍ପର୍କୀୟଙ୍କ କୁକୁର ବୋନ୍‌ବୋନ୍‌ ସହିତ ମିଶୁଛି, ଯିଏକି ଚାରିବର୍ଷ ପୂର୍ବେ ହଜି ଯାଇଥିଲା ବୋଲି କହିଥିଲେ। ତେବେ ଲିଓ ବୋନ୍‌ବୋନ୍‌ କି ନୁହେଁ ତାହା ଜାଣିବା ପାଇଁ ତାର ମାଲିକ ସେହି ସ୍ଥାନକୁ ଆସିଥିଲେ। ଲିଓ ଯେମିତି ହିଁ ନିଜ ମାଲିକଙ୍କୁ ସେଠାରେ ଦେଖିଛି ଅତି ଖୁସିରେ ଯାଇ ମାଲିକଙ୍କ ଉପରେ ଚଢ଼ି ଯାଇଥିଲା। ସେହି ସ୍ଥାନରେ ଉପସ୍ଥିତ ଥିବା ଲୋକେ ଏହି ଦୃଶ୍ୟ ଦେଖିବା ପରେ ସେମାନଙ୍କ ଆଖିରେ ଲୁହ ଭରି ଯାଇଥିଲା।

ଲିଓ ମାଲିକଙ୍କ କହିବାନୁସାରେ, ସେ ତାଙ୍କ ଭଣଜା ଘରକୁ ଯାଉଥିବା ସମୟରେ ବୋନ୍‌ବୋନ୍‌ କେଉଁଆଡେ ଚାଲି ଯାଇଛି ତାହା ଜାଣିବାକୁ ପାଇଥିଲେ। ଘରକୁ ଫେରି ଏକ ସପ୍ତାହ ପର୍ଯ୍ୟନ୍ତ ସେ ତାଙ୍କ କୁକୁରକୁ ଖୋଜି ଥିଲେ, କିନ୍ତୁ ତାକୁ ପାଇ ନଥିଲେ।

ସମ୍ବନ୍ଧିତ ଖବର