ନୂଆଦିଲ୍ଲୀ: ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ କେତେ ନିବିଡ଼ ସମ୍ପର୍କ ରହିଛି, ତାହା ଅନେକ ସମୟରେ ଦେଖିଯାଇଥାଏ। ଲୋକେ ନିଜ ପସନ୍ଦର ପଶୁକୁ ଘରେ ରଖିଥାନ୍ତି। ବିଶେଷ କରି କୁକୁର ସହ ମଣିଷର ଏକ ନିଆରା ସମ୍ପର୍କ ରହିଛି। ଅନେକ ଥର ମଣିଷ କୁକୁର ପାଇଁ ଏବଂ ଏକ କୁକୁର ମଣିଷର ଜୀବନ ବଞ୍ଚାଇବାକୁ ନିଜ ଜୀବନ ବାଜି ଲଗାଉଥିବା ଦେଖାଯାଇଛି। ଏଭଳି ଅନେକ ଖବର ସାମ୍ନାକୁ ଆସିଥିବା ବେଳେ ଏବେ ଏକ ପୋଷା କୁକୁର ଏକ ଶିଶୁର ଜୀବନ ବଞ୍ଚାଇଥିବା ଜଣାପଡ଼ିଛି। ଶିଶୁର ମା’ ଟ୍ବିଟ କରି ଘଟଣା ବିଷୟରେ ଜଣାଇବା ପରେ ଘଟଣାଟି ସାମ୍ନାକୁ ଆସିଛି।
Last night the dog kept breaking into the nursery and waking the baby. She’s been sick, and I was getting so fed up with him.
Until she stopped breathing.
We spent the night in the hospital. I don’t know what would have happened if he hadn’t woken her. We don’t deserve dogs. pic.twitter.com/PBJCJVflgh
— kelly andrew 🍂 (@KayAyDrew) December 14, 2021
କେଲି ଆଣ୍ଡ୍ରିଉ ନାମକ ଜଣେ ମହିଳା ଦୁଇଟି ଫଟୋ ଟ୍ବିଟ କରିଛନ୍ତି। ଗୋଟେ ଫଟୋରେ ପୋଷା କୁକୁର ହେନେରୀ ଥିବା ବେଳେ ଅନ୍ୟ ଏକ ଫଟୋରେ ତାଙ୍କ ସ୍ବାମୀ ଏବଂ ଝିଅ ଥିବା ଦେଖାଯାଇଛି। ଫଟୋ ଟ୍ବିଟ କରି କେଲି ଲେଖିଛନ୍ତି ଯେ, ମୋର ପୋଷା କୁକୁର ହେନେରୀ ବିଳମ୍ବିତ ରାତିରେ ଅସୁସ୍ଥ ଝିଅ ଶୋଇଥିବା ଘରେ ପ୍ରବେଶ କରି ଜୋରରେ ଭୁକିବା ସହ ତାକୁ ଉଠାଇବାକୁ ଚେଷ୍ଟା କରୁଥିଲା। ବାରମ୍ବାର ଏଭଳି କରୁଥିବାରୁ ମୁଁ ରାଗିଯାଇଥିଲି। ତାକୁ ଚୁପ କରାଇବା ପାଇଁ ଆସିବା ପରେ ମୋ ଝିଅର ନିଶ୍ବାସ ବନ୍ଦ ହୋଇଯାଇଥିବା ଦେଖିଥିଲି। ଏହା ପରେ ତୁରନ୍ତ ଆମେ ଝିଅକୁ ନେଇ ଡାକ୍ତରଖାନା ଯାଇଥିଲୁ। ଠିକ ସମୟରେ ହେନେରୀ ନ ଭୁକିଥିଲେ ଆମେ ହୁଏତ ଆମ ଝିଅକୁ ହରାଇଦେଇଥାନ୍ତୁ।