ନୂଆଦିଲ୍ଳୀ: ଯଦି ‘ହାଚିକୋ’ ଚଳଚ୍ଚିତ୍ର ଆପଣଙ୍କୁ କନ୍ଦାଇଛି, ତେବେ ଏହି କାହାଣୀ ଆପଣଙ୍କ ହୃଦୟକୁ ନିଶ୍ଚୟ ଛୁଇଁବ। ମାଲିକ ପ୍ରତି ଥିବା ଜଣେ କୁକୁରର ପ୍ରେମ ଆପଣଙ୍କୁ ଭାବବିହ୍ବଳ କରିବ ନିଶ୍ଚୟ। କାହାଣୀଟି ହେଉଛି ଫିଲିପାଇନ୍ସରେ ରହୁଥିବା ମୋର୍ଗାନ ନାମକ ଜଣେ କୁକୁରର। ସେ ନିଜ ମାଲିକର ଫେରିବା ବାଟକୁ ଅପେକ୍ଷା କରି ଏକ ବର୍ଷରୁ ଅଧିକ ସମୟ ହେବ ହସ୍ପିଟାଲ୍ ବାହାରେ ଅପେକ୍ଷା କରିଥିବାର ଦେଖିବାକୁ ମିଳିଛି।
ମୋର୍ଗାନର କାହାଣୀ ସେବେ ଆରମ୍ଭ ହେଲା ଯେତେବେଳେ କୋଭିଡ୍-୧୯ କାରଣରୁ ତାଙ୍କ ମାଲିକ କାଲୋକେନର ମନିଲା ସେଣ୍ଟ୍ରାଲ ୟୁନିଭରସିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାଲିକ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥବାରୁ ମୋର୍ଗାନ୍ ଉତ୍ସର୍ଗୀକୃତ ଭାବେ ଦିନରାତି ଡାକ୍ତରଖାନା ବାହାରେ ଜଗି ରହିଥିଲା। ପରିଶେଷରେ କିଛି ଦିନ ପରେ, ମାଲିକଙ୍କର ମୃତ୍ୟୁ ଘଟିଲା।
ହେଲେ ମୋର୍ଗାନର ଭଲପାଇବା ନିଜ ମାଲିକ ପ୍ରତି ଏତେ ଅଧିକ ଥିଲା ଯେ ସେ ଆଶା ହରାଇଲା ନାହିଁ। ତା’ର ବିଶ୍ବାସ ଥିଲା ଯେ ମାଲିକ ଭଲ ହୋଇ ହସ୍ପିଟାଲ୍ ବାହାରକୁ ଆସିବେ ଓ ତାକୁ ସାଥୀରେ ଘରକୁ ନେଇଯିବେ। ମାଲିକ ଫେରିବା ପାଇଁ ଅପେକ୍ଷା କରି ମୋର୍ଗାନ ଦିନ ପରେ ଦିନ କାଟି ଚାଲିଲା। ହେଲେ ସେ ଫେରିଲେ ନାହିଁ। ମଲା ଲୋକ କେମିତି ବା ଫେରନ୍ତ!
ହସ୍ପିଟାଲର କର୍ମଚାରୀ ଏବଂ ମାଲିକଙ୍କ ପରିବାର ମୋର୍ଗାନକୁ ଘରକୁ ଫେରାଇ ନେବା ପାଇଁ ଅନେକ ଉଦ୍ୟମ କରିଥିଲେ, କିନ୍ତୁ ବିଶ୍ୱସ୍ତ କୁକୁର ସବୁବେଳେ ଡାକ୍ତରଖାନାକୁ ଫେରି ଆସୁଥିଲା ଏବଂ ତା’ର ପ୍ରିୟ ମାଲିକଙ୍କ ପାଇଁ ଅପେକ୍ଷା କରି ବାହାରେ ବସି ରହୁଥିଲା।
ମୋର୍ଗାନର ହୃଦୟସ୍ପର୍ଶୀ କାହାଣୀ ଫିଲିପାଇନ୍ସର ଏକ ପଶୁ-କଲ୍ୟାଣକାରୀ ସଂସ୍ଥା ଆନିମଲ କିଙ୍ଗ ଫାଉଣ୍ଡେସନ (ଏକେଏଫ୍) ର ଦୃଷ୍ଟି ଆକର୍ଷଣ କରିଥିଲା। ତା’ପରେ କୁକୁରଟିର ଯତ୍ନ ନେବା ସହ ଆରାମଦାୟକ ଜୀବନ ପ୍ରଦାନ କରିବାକୁ ଫାଉଣ୍ଡେସନ ଆଗେଇ ଆସିଥିଲା।