‘ଦୋଳ’ ଶବ୍ଦ ‘ଦୋଳା’ ଶବ୍ଦର ଏକ ରୂପାନ୍ତର। ଓଡ଼ିଆରେ ଏହା ଦୋଳି। ଯେଉଁ ପର୍ବରେ ରାଧା-କୃଷ୍ଣ ଦୋଳାରେ ବସି ଝୁଲନ୍ତି ତାହା ଦୋଳପର୍ବ। ଏହା ଏକ ବସନ୍ତକାଳୀନ ଉତ୍ସବ। ଏଥିରେ ଶ୍ରୀକୃଷ୍ଣ ମଦନମୋହନ ଭାବରେ ଉପାସିତ ହୋଇଥାଆନ୍ତି। କାରଣ ବସନ୍ତ ଉତ୍ସବ ମୁଖ୍ୟତଃ ମଦନ-ଉତ୍ସବ। ଏ ସଂପର୍କରେ ଗୋଟିଏ ଲୋକପ୍ରିୟ ବୈଷ୍ଣବ ଗୀତି ଅଛି- ‘‘ଅବିରତେ ଅବିରତେ ଅବିର ଉଡ଼ାଅ ଗୋ / ମଦନମୋହନ ଅଙ୍ଗେ ଅଙ୍ଗକୁ ଜଡ଼ାଅ ଗୋ।’’

Advertisment

ସଦ୍‌ଗୁରୁ ଶ୍ରୀ ନିଗମାନନ୍ଦ ସରସ୍ବତୀ ଦେବ ତାଙ୍କ ‘ତତ୍ତ୍ବମାଳା’ ପୁସ୍ତକର ‘ଶ୍ରୀଶ୍ରୀ‌ ଦୋଳଯାତ୍ରା’ରେ ଏହାକୁ ପ୍ରକୃତି-ପୁରୁଷ ତତ୍ତ୍ବ ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି- ଅନାଦି କାଳରୁ ପୁରୁଷ ସଂସାରୀ ଭାବରେ ପ୍ରକୃତିଠାରେ ଅନୁରକ୍ତ। ଉଭୟଙ୍କର ପ୍ରଣୟ ସୁଗଭୀର ଓ ଚିରନ୍ତନ। ଅନାଦିକାଳରୁ ଏହି ପ୍ରେମାନନ୍ଦର ଧାରା ପ୍ରବାହିତ ହୋଇଆସୁଛି। ପୁରୁଷ ଓ ପ୍ରକୃତିଙ୍କର ପ୍ରଣୟ ହିଁ ଯଥାର୍ଥ ପ୍ରେମ ପଦବାଚ୍ୟ। ଏହି ପ୍ରେମ ଅତୁଳନୀୟ, ନିତ୍ୟ ଓ ଅପ୍ରମେୟ। ବସନ୍ତଲୀଳା ସେହି ପ୍ରକୃତି-ପୁରୁଷଙ୍କର ପ୍ରେମଲୀଳା। ଋତୁରାଜ ବସନ୍ତର ସମସ୍ତ ଶୋଭା ମଧ୍ୟରେ ସେହି ପ୍ରେମମୟୀଙ୍କର ଅଭୂତପୂର୍ବ ବିକାଶ। ଶ୍ରୀରାଧାଙ୍କୁ ଦେଖିଲେ ମନେହୁଏ, ମଧୁରତା ସତେ ଯେପରି ବସନ୍ତ ସହିତ ମିଶ୍ରିତ ହୋଇଅଛି। ପ୍ରେମ ସତେଯେପରି ସମସ୍ତ ସୁନ୍ଦରୀଙ୍କ ସୌନ୍ଦର୍ଯ୍ୟ ମଧ୍ୟରେ ପ୍ରସ୍ଫୁଟିତ ହୋଇଅଛି ଏବଂ ସମସ୍ତ ସୁନ୍ଦରୀ ଯେପରି ସର୍ବଶ୍ରେଷ୍ଠ ସୁନ୍ଦର ଅର୍ଥାତ୍‌ ଚିରସୁନ୍ଦରଙ୍କ ସହିତ ରମଣ ନିମିତ୍ତ ଅନୁରକ୍ତା ଓ ଉତ୍କଣ୍ଠିତା। ବସନ୍ତ କାଳରେ ସେହି ସର୍ବଶ୍ରେଷ୍ଠ ସୁନ୍ଦରୀ ପ୍ରକୃତିଦେବୀ ପ୍ରେମରେ ପରିପୂର୍ଣ୍ଣା ହୋଇ ସର୍ବ-ସୁନ୍ଦର-ଆକର ଶ୍ରୀକୃଷ୍ଣଙ୍କ ଅଙ୍ଗଦେଶ‌ରେ ଶୋଭା ପାଇଥାନ୍ତି। 

ଏ ସଂପର୍କରେ ସେ ଆହୁରି ମଧ୍ୟ କହିଛନ୍ତି- ସେମାନେ ଏହି ପ୍ରେମଦେବତାଙ୍କୁ ‘ମଦନ’ ଓ ଏହି ଚିରଅାସକ୍ତିକୁ ‘ରତି’ ନାମ ପ୍ରଦାନ କରିଛନ୍ତି। ଭକ୍ତ ସେହି ଯୁଗଳ ମୂର୍ତ୍ତିଙ୍କ ଧ୍ୟାନରେ ମୋହିତ ହୋଇ ତାଙ୍କୁ ପୂଜା କରିବାରେ ଲାଗିଛି। ସେହି ପୂଜା ଉତ୍ସବ ରୂପେ ଘୋଷିତ ହୋଇଛି। ଜଗତରେ ତାହା ଆଦର୍ଶ ପ୍ରେମର ପୂଜା ରୂପରେ ପ୍ରତିଷ୍ଠିତ ହୋଇଛି। ଏହାହିଁ ଦୋଳପର୍ବ ବା ଦୋଳ ଉତ୍ସବର ତାତ୍ପର୍ଯ୍ୟ। 
ଏଣୁ ଏହି ମଦନୋତ୍ସବ ହିଁ ଶ୍ରୀରାଧାକୃଷ୍ଣଙ୍କ ଦୋଳଲୀଳା।