ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ପାଇ ଦୋଳଯାତ୍ରାରେ ଅଂଶଗ୍ରହଣ କରୁଥିବା ବିଜେପ୍ରତିମା ହେଉଛନ୍ତି ଶ୍ରୀଦୋଳଗୋବିନ୍ଦ। ଏଣୁ ଗୋଟିଏ ଲୋକପ୍ରିୟ ଶ୍ଳୋକରେ କୁହାଯାଇଛି- ଦୋଳରେ ଦୋଳଗୋବିନ୍ଦ, ଚାପରେ (ଚନ୍ଦନଯାତ୍ରାରେ) ମଧୁସୂଦନ ଏବଂ ରଥରେ ବାମନଙ୍କୁ ଦର୍ଶନ କଲେ ଆଉ ପୁନର୍ଜନ୍ମ ହୁଏନାହିଁ। ଏହି ‘ଦୋଳଗୋବିନ୍ଦ’, ‘ମଧୁସୂଦନ’ ଓ ‘ବାମନ’ ହେଉଛି- ଭଗବାନ ବିଷ୍ଣୁ ବା ଶ୍ରୀଜଗନ୍ନାଥଙ୍କର ‘ଫାଲଗୁନ’, ‘ବୈଶାଖ’ ଓ ‘ଆଷାଢ଼’ ମାସର ନାମ। ଏବେ ଏହି ତିନି ଯାତ୍ରା ବା ଉତ୍ସବ ମଧ୍ୟରୁ, କେବଳ ଆଷାଢ଼ ମାସର ରଥଯାତ୍ରାରେ ହିଁ ଶ୍ରୀଜଗନ୍ନାଥ ବା ଶ୍ରୀବାମନ ସ୍ୱୟଂ ଭକ୍ତଙ୍କ ମେଳକୁ ଆସୁଛନ୍ତି। ଏଣୁ ସ୍ନାନଯାତ୍ରା ପରି, ଏହା ତାଙ୍କର ଏକ ‘ସ୍ୱୟଂଲୀଳା’। ଅନ୍ୟ ଦୁଇଯାତ୍ରା, ଯଥା- ଦୋଳଯାତ୍ରା ଓ ଚନ୍ଦନଯାତ୍ରାରେ ଯଥାକ୍ରମେ ବିଜେପ୍ରତିମା ଶ୍ରୀଦୋଳଗୋବିନ୍ଦ ଓ ବିଜେପ୍ରତିମା ଶ୍ରୀମଦନମୋହନ ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ପାଇ ଏହି ନୀତି ସଂପାଦନ କରୁଛନ୍ତି।

Advertisment

ପୂର୍ବେ ସ୍ନାନଯାତ୍ରା ଓ ରଥଯାତ୍ରା ପରି, ଦୋଳଯାତ୍ରା ମଧ୍ୟ ଥିଲା ଶ୍ରୀଜଗନ୍ନାଥଙ୍କର ଏକ ‘ସ୍ୱୟଂଲୀଳା’। ସ୍ୱୟଂ ଶ୍ରୀଜଗନ୍ନାଥ ରତ୍ନସିଂହାସନରୁ ଓହ୍ଲାଇ, ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ଆସି ଦୋଳଯାତ୍ରାର ଦୋଳାରେ ଝୁଲୁଥିଲେ।

କିନ୍ତୁ ଇତିହାସ କହେ- ପୂର୍ବେ ସ୍ନାନଯାତ୍ରା ଓ ରଥଯାତ୍ରା ପରି, ଦୋଳଯାତ୍ରା ମଧ୍ୟ ଥିଲା ଶ୍ରୀଜଗନ୍ନାଥଙ୍କର ଏକ ‘ସ୍ୱୟଂଲୀଳା’। ସ୍ୱୟଂ ଶ୍ରୀଜଗନ୍ନାଥ ରତ୍ନସିଂହାସନରୁ ଓହ୍ଲାଇ, ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ଆସି ଦୋଳଯାତ୍ରାର ଦୋଳାରେ ଝୁଲୁଥିଲେ। ସେତେବେଳେ ଏହି ଦୋଳଯାତ୍ରା ବା ଦୋଳାଯାତ୍ରା ଦୋଳମଣ୍ଡପ ସାହିରେ ଥିବା ଦୋଳମଣ୍ଡପରେ (ଆଜିର ଜହ୍ନିମୁଣ୍ଡିଆ ମଣ୍ଡପରେ) ହେଉଥିଲା। ଷୋଡ଼ଶ ଶତାବ୍ଦୀର ଗୌଡ଼ିଆ ଗୋବିନ୍ଦ ଦେବଙ୍କ ରାଜତ୍ୱ ସମୟରେ ଦୋଳମଣ୍ଡପର ଦୋଳା ଛିଣ୍ଡିଯାଇ ଶ୍ରୀଜଗନ୍ନାଥଙ୍କର ଭୁଜ ବିଘ୍ନ ହେବାରୁ, ତାହା ପରଠାରୁ ଶ୍ରୀବିଗ୍ରହ ସ୍ୱୟଂ ଆଉ ଦୋଳଯାତ୍ରାକୁ ନଯାଇ, ତାଙ୍କର ବିଜେପ୍ରତିମା ଶ୍ରୀଦୋଳଗୋବିନ୍ଦ ଶ୍ରୀଦେବୀ ଓ ଭୂଦେବୀଙ୍କୁ ସାଙ୍ଗରେ ନେଇ ଦୋଳବେଦୀକୁ ବିଜେ ହେଉଛନ୍ତି। ଏହି ଦୋଳଗୋବିନ୍ଦଙ୍କର ଦର୍ଶନ କଲେ ଆଉ ପୁନର୍ଜନ୍ମ ହୁଏନାହିଁ ବୋଲି ଶାସ୍ତ୍ରୋକ୍ତି ରହିଛି।