ଡଲଫିନ୍‌ଙ୍କର ରହିଛି ସ୍ବତନ୍ତ୍ର ନାମ

କଣ୍ଠସ୍ବର ନକଲ କରିବାର ଚମତ୍କାର ଗୁଣ ରଖିଥିବା ସାମୁଦ୍ରିକ ପ୍ରାଣୀ ଡଲଫିନ୍‌ର ଆଉ ଏକ ବିଶେଷ ଗୁଣ ରହିଛି। ସେମାନେ ଅନ୍ୟ ଡଲଫିନ୍‌କୁ ଏକ ସ୍ବତନ୍ତ୍ର ନାମରେ ନାମିତ କରିଥା’ନ୍ତି ଏବଂ ସେହି ନାମରେ ସମ୍ବୋଧନ ମଧ୍ୟ କରିଥା’ନ୍ତି। ଏକ ସ୍ବତନ୍ତ୍ର ପ୍ରକାର ସୁସୁରି ବା ହ୍ବିସଲ୍‌ ମାରି ସେମାନେ ଏହି କାର୍ଯ୍ୟ ସାଧନ କରିଥା’ନ୍ତି। କୌଣସି ଡଲଫିନ୍‌ ଦଳ ପାଖରେ ଜଣେ ନବାଗତ ପହଞ୍ଚିଲେ ସେ ନିଜକୁ ଏକ ସ୍ବତନ୍ତ୍ର ସିଟି ଦ୍ବାରା ପରିଚିତ କରାଇଥାଏ। ପରେ ଦଳର ଅନ୍ୟ ଡଲଫିନ୍‌ମାନେ ସେହି ସିଟିକୁ ଅନୁକରଣ କରି ସେହି ନବାଗତଙ୍କୁ ସମ୍ବୋଧିତ କରିଥା’ନ୍ତି। ଏହିପରି ଭାବେ ସେମାନେ ସଂଖ୍ୟାଧିକ ଡଲଫିନ୍‌ଙ୍କୁ ଭିନ୍ନ ଭିନ୍ନ ସ୍ବର (ସିଟି) ଦ୍ବାରା ଚିହ୍ନଟ କରିଥା’ନ୍ତି। ସ୍ଥାନବିଶେଷରେ କୌଣସି ଡଲଫିନ୍‌କୁ ଅନ୍ୟ ଡଲଫିନ୍‌ ସ୍ବାଗତ ବା ଆହ୍ବାନ କଲାବେଳେ ସେ ଅତିଥି ଡଲଫିନ୍‌କୁ ତା’ ସହ ସଂପୃକ୍ତ ସ୍ବତନ୍ତ୍ର ସୁସୁରି ମାରି ଉଲ୍ଲେଖ କରିଥାଏ। ଫଳରେ ଜଣକ ଆହ୍ବାନକୁ ନିର୍ଦ୍ଦିଷ୍ଟ ଡଲଫିନ ହିଁ ପ୍ରତିକ୍ରିୟା ଦେଖାଇଥାଏ। ପ୍ରାଣୀ ଜଗତରେ ମନୁଷ୍ୟ ବ୍ୟତୀତ ଡଲଫିନ୍‌ମାନଙ୍କର ଏପରି ପାରସ୍ପରିକ ନାମକରଣ ପ୍ରକ୍ରିୟା ବିରଳ। ବେଳେ ବେଳେ ପାଖରେ କୌଣସି ସାଥୀ ଡଲଫିନ୍‌ ନଥିଲେ ମଧ୍ୟ ଡଲଫିନ୍‌ଟିଏ ସ୍ବତନ୍ତ୍ର ସୁସୁରି ମାରୁଥିବା ଜଣାଯାଏ। ତେବେ ଏହି ନିରୀହ ପ୍ରାଣୀଟି ଅନ୍ୟମାନଙ୍କର ସ୍ବର ନକଲ କରିବାର ଗୁଣ ରଖିଥିବାରୁ ବେଳେ ବେଳେ ଅନ୍ୟର ସ୍ବରକୁ ଅଭ୍ୟାସ କରୁଥିବା ଗବେଷକମାନେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର