ମତ୍ସ୍ୟ ଶିକାରରେ ଧୀବରମାନଙ୍କୁ ସହାୟତା କରୁଛନ୍ତି ଡଲ୍‌ଫିନ୍‌

ବିପଦ ଆପଦ ବେଳେ ଡଲ୍‌ଫିନ୍‌ ମଣିଷକୁ ସାହାଯ୍ୟ କରୁଥିବାର ବହୁ ଦୃଷ୍ଟାନ୍ତ ରହିଛି। ବ୍ରାଜିଲ୍‌ର ଏକ ଛୋଟିଆ ଉପକୂଳବର୍ତ୍ତୀ ସହର ଲାଗୁନାରେ ପ୍ରାୟ କୋଡ଼ିଏଟି ଡଲ୍‌ଫିନ୍‌ ମତ୍ସ୍ୟ ଶିକାରରେ ସ୍ଥାନୀୟ ଧୀବରମାନଙ୍କୁ ସହାୟତା କରୁଛନ୍ତି। ଡଲ୍‌ଫିନ୍‌ଗୁଡ଼ିକ ପୋଷା ବା ତାଲିମପ୍ରାପ୍ତ ନୁହନ୍ତି। ସ୍ବ-ଇଚ୍ଛାରେ ଧୀବରମାନଙ୍କୁ ସାହାଯ୍ୟ କରୁଛନ୍ତି। ଲାଗୁନାକୁ ଲାଗିଥିବା ସମୁଦ୍ରର ପାଣି ଅତି ଗୋଳିଆ; ମାଛ ମାରିବା ଆଦୌ ସହଜ ନୁହେଁ। ତେବେ, ଡଲ୍‌ଫିନ୍‌ଙ୍କ ସହାୟତା ଯୋଗୁଁ ଧୀବରମାନେ ମୁଖ୍ୟତଃ ମୁଲେଟ୍‌ ନାମକ ମାଛ ବେଶ୍ ସହଜରେ ଧରିପାରୁଛନ୍ତି। ଡଲ୍‌ଫିନ୍‌ଗୁଡ଼ିକ ମାଛଙ୍କୁ ଘଉଡ଼ାଇ, ଜାଲ ନିକଟକୁ ପଠାଉଛନ୍ତି। କେଉଁଠି ଜାଲ ପକାଇଲେ ମାଛ ପଡ଼ିବେ, ସେମାନେ ସଙ୍କେତ ଦ୍ବାରା ଧୀବରଙ୍କୁ ଜଣାଉଛନ୍ତି। ଫଳରେ ଧୀବରମାନେ ପର୍ଯ୍ୟାପ୍ତ ମାଛ ଧରିପାରୁଛନ୍ତି। ଧରାପଡୁଥିବା ମାଛର ଏକ ବଡ଼ ଭାଗ ଡଲ୍‌ଫିନ୍‌ଙ୍କୁ ଦିଆଯାଉଛି। ଏହି ମାଛ ଡଲ୍‌ଫିନ୍‌ଙ୍କର ପ୍ରିୟ ଖାଦ୍ୟ।

ଲାଗୁନା ଉପକୂଳ ସହସ୍ରାଧିକ ଡଲ୍‌ଫିନ୍‌ଙ୍କ ବାସସ୍ଥାନ। ତେବେ, ଅଳ୍ପ କିଛି ଡଲ୍‌ଫିନ୍‌ କୂଳକୁ ଆସି, ମାଛ ଧରା କାର୍ଯ୍ୟରେ କାହିଁକି ମଣିଷକୁ ସାହାଯ୍ୟ କରୁଛନ୍ତି, ରହସ୍ୟମୟ ହୋଇରହିଛି। ଲାଗୁନାରେ କୋଡ଼ିଏଟି ଡଲ୍‌ଫିନ୍‌ ପ୍ରାୟ ଦୁଇ ଶହ ଧୀବରଙ୍କ ବନ୍ଧୁ। ଏ ବାବଦରେ ଅଧିକ ଜା‌ଣିବା ପାଇଁ ‘ସାନ୍‌ଟା କାଟ୍‌ରିନା ବିଶ୍ବବିଦ୍ୟାଳୟ’ର ଗବେଷକମାନେ ଅଧ୍ୟୟନ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର