ପ୍ରୟାଗରାଜ: କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟର ତଥା ପୂର୍ବତନ ସାଂସଦ ଅତିକ ଅହମଦକୁ ଶନିବାର ରାତିରେ ଗୁଳି କରି ହତ୍ୟା କରାଯାଇଥିଲା। ଆକ୍ରମଣରେ ଅତିକ ସହିତ ତାର ଭାଇ ଅସରଫ ଅହମଦ ମଧ୍ୟ ନିହତ ହୋଇଥିଲା। ଦୁହିଁଙ୍କ ଶବ ବ୍ୟବଚ୍ଛେଦ ପରେ ରବିବାର ସନ୍ଧ୍ୟାରେ କସାରୀ ମସାରୀ କବରସ୍ଥଳରେ ଅତିକ ଓ ଅସରଫକୁ କବର ଦିଆଯାଇଥିଲା। ଅତିକର ମୃତ୍ୟୁ ପରେ ଏବେ ତା’ର ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପତ୍ନୀ ଓ ୪ପୁଅଙ୍କ ପାଇଁ ଅତିକ କୋଟି କୋଟି ଟଙ୍କାର ସମ୍ପତ୍ତି ଛାଡ଼ିଯାଇଥିବା ଜଣାପଡ଼ିଛି। ତେବେ ନିଜେ କଷ୍ଟ କରି ନୁହେଁ, ଅନ୍ୟକୁ ଧମକାଇ ଅତିକ୍ ଓ ତା’ର ପରିବାର କୋଟି କୋଟି ଟଙ୍କାର ମାଲିକ ହୋଇଛନ୍ତି।
ଏବେ ଅତିକର ମୃତ୍ୟୁ ପରେ ତା’ ଦ୍ବାରା ନିର୍ଯାତିତ ହୋଇଥିବା ପରିବାର ଶାନ୍ତିରେ ନିଶ୍ବାସ ନେବାକୁ ସକ୍ଷମ ହୋଇଛନ୍ତି। ସେ ମଧ୍ୟରୁ ଗୋଟିଏ ହେଲା ରାମକଲିଙ୍କ ପରିବାର। ଦୀର୍ଘ ୩୫ବର୍ଷ କାଳ ନିଜ ସମ୍ପତ୍ତିକୁ ବଞ୍ଚାଇବା ପାଇଁ ରାମକଲି ଓ ତାଙ୍କ ପରିବାର ଅତିକର ନିର୍ଯାତନା ସହିଥିଲେ। ବାରମ୍ବାର ଆକ୍ରମଣର ଶିକାର ହୋଇଥିଲେ। ଏବେ ଅତିକର ମୃତ୍ୟୁ ପରେ ୩୫ବର୍ଷର ଲଢ଼େଇ ଶେଷ ହୋଇଛି ବୋଲି କହିଛନ୍ତି ରାମକଲି।
ସେ କହିଛନ୍ତି ଯେ, ୧୯୮୦ରେ ଅତିକର ନଜର ଝଲୱା ପାଖରେ ଥିବା ଆମ ଜମି ଉପରେ ପଡ଼ିଥିଲା। ପ୍ରଥମେ ସେ ଏହାକୁ ବିକ୍ରି କରିବା ପାଇଁ ଆମକୁ ଅନୁରୋଧ କରିବା ଆରମ୍ଭ କରିଥିଲା। ହେଲେ ଆମେ ମନା କରିବାରୁ ଆମକୁ ଧମକ ଦେବା ଆରମ୍ଭ କରିଥିଲା ଅତିକ୍। ହେଲେ ମୁଁ ଡରିନଥିଲି। ହଠାତ୍ ୧୯୮୯ରେ ମୋ ସ୍ବାମୀ ଆଉ କାମରୁ ଘରକୁ ଫେରିନଥିଲେ। ଏହି ଘଟଣା ପରେ ମୁଁ ଜାଣିପାରିଥିଲି ଯେ ଜମି ପାଇଁ ଅତିକ୍ ଏସବୁ କାମ କରିଛି। ସେହି ବର୍ଷ ନିର୍ବାଚନ ଜିତି ବିଧାୟକ ହେବା ପରେ ସେ ମୋତେ ଡାକି ମୋ ସ୍ବାମୀ ଆଉ ଏଦୁନିଆରେ ନଥିବା କହିଥିଲା। ଏହା ସହ ଜମି ବିକ୍ରି କଲେ ସେ ମୋ ପରିବାର କଥା ବୁଝିବ ବୋଲି କହିଥିଲା। କିନ୍ତୁ ମୁଁ ରାଜିନଥିଲି। ପରେ ମୁଁ ପୁଲିସକୁ ସବୁ ଜଣାଇଥିଲେ ବି ପୁଲିସ ବି ଭୟରେ କିଛି କରିନଥିଲା। ବର୍ଷ ପରେ ବର୍ଷ ବିତି ଚାଲିଲା। ୧୯୮୯ରୁ ୨୦୧୬ପର୍ଯ୍ୟନ୍ତ ଆମକୁ ଅନେକ ନିର୍ଯାତନା ସହିବାକୁ ପଡ଼ିଛି। ହେଲେ ଯେତେବେଳେ ୨୦୧୭ରେ ଯୋଗୀ ସରକାର ଆସିଲା, ସେତେବେଳେ ମୋତେ ନ୍ୟାୟ ମିଳିବ ବୋଲି ଜାଣିଯାଇଥିଲି। ଏବେ ଦେଖନ୍ତୁ ଅନ୍ୟକୁ ନିର୍ଯାତନା ଦେଉଥିବା ଗ୍ୟାଙ୍ଗଷ୍ଟର ଆଜି କେମିତି ମାଟିରେ ମିଶିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/ସ-222.jpg)