ସୂର୍ଯ୍ୟୋପରାଗ ସମୟରେ ଖାଲି ଆଖିରେ କେବେ ବି ସୂର୍ଯ୍ୟଙ୍କୁ ଦେଖନ୍ତୁ ନାହିଁ ; ସତର୍କ କଲେ ବୈଜ୍ଞାନିକ

ଭୁବନେଶ୍ବର: ଆସନ୍ତା  ଡିସେମ୍ବର ୨୬ ତାରିଖରେ ହେବ ବର୍ଷର ଶେଷ ସୂର୍ଯ୍ୟୋପରାଗ । ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେଉଥିବା ବେଳେ ସମଗ୍ର ଓଡ଼ିଶାରେ ଏହି ସୂର୍ଯ୍ୟୋପରାଗ ଆଂଶିକ ଦେଖାଯିବ । ଓଡ଼ିଶାବାସୀଙ୍କ ପାଇଁ ସକାଳ ୮ଟା ୨୦ମିନିଟରେ ସୂର୍ଯ୍ୟୋପରାଗ ଆରମ୍ଭ ହୋଇ ଦିନ ୧୧ଟା ୨୮ମିନିଟ ସମୟରେ ଶେଷ ହେବ। ଏଠାରେ ଆମେ ଆପଣଙ୍କୁ ସଚେତନ କରାଇ ଦେଉଛୁ କି ସେଦିନ ସୂର୍ଯ୍ୟୋପରାଗ ସମୟରେ ସୂର୍ଯ୍ୟକୁ ଖାଲିଆଖିରେ କେବେ ବି ଦେଖନ୍ତୁ ନାହିଁ। ପଠାଣି ସାମନ୍ତ ପ୍ଲାନେଣ୍ଟାରିୟମ ଓ ଅନେକ ଅନୁଷ୍ଠାନ ତରଫରୁ ଲୋକମାନଙ୍କୁ ଏ ବିଷୟରେ ସଚେତନ କରାଯାଉଛି।  ପ୍ଲାନେଟୋରିୟମର ଉପ-ନିର୍ଦ୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ଏକ ପ୍ରେସ୍ ବିବୃତି ଜାରି କରି ଜନସାଧାରଣଙ୍କୁ ସଚେତନ କରିଛନ୍ତି। ସୂର୍ଯ୍ୟୋପରାଗ ନେଖିବା ଲାଗି ଦୂରବୀକ୍ଷଣ ଯନ୍ତ୍ର ଅଥବା ସୌର ଚଷମା ବ୍ୟବହାର କରିବା ଜରୁରୀ ବୋଲି ସେ କହିଛନ୍ତି।

ଏହି ଦୃଶ୍ୟକୁ ନିରାପଦରେ ଦେଖିବା ପାଇଁ ଭୁବନେଶ୍ବରସ୍ଥ  ପଠାଣି ସମାନ୍ତ ପ୍ଲାନେଟୋରିୟମରେ ବ୍ୟବସ୍ଥା କରାଯାଇଛି। ଏଥିସହିତ ସାମନ୍ତ ଚନ୍ଦ୍ରଶେଖର ଜ୍ୟୋର୍ତର୍ବାଜ୍ଞାନୀ ପରିଷଦ ସହାୟତାରେ ପଦାର୍ଥର ବିଜ୍ଞାନ ଅନୁଷ୍ଠାନଠାରେ ମଧ୍ୟ ଦୂରବୀକ୍ଷଣ ମାଧ୍ୟମରେ ଏହି ପରାଗ ଦେଖିବାର ବ୍ୟବସ୍ଥା କରାଯିବ। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ବିରଳ ସୂର୍ଯ୍ୟୋପରାଗ ଦେଖିବା ପାଇଁ ପ୍ଲାନେଟାରିୟମ ସହ  ଅନେକ ବିଜ୍ଞାନ ପ୍ରେମୀ ଅନୁ‌ଷ୍ଠାନ ବିଭିନ୍ନ ବ୍ୟବସ୍ଥା କରିବା ସହ ସୌର ଚଷମା ଯୋଗାଇବାର କାର୍ଯ୍ୟ ମଧ୍ୟ କରୁଛନ୍ତି। ସେହିପରି ବିଜ୍ଞାନ ଚେତନା ମଞ୍ଚ ତରଫରୁ ବିଜେପି କଲେଜ ପଡ଼ିଆରେ ସୂର୍ଯ୍ୟ ପରାଗ ନିରାପଦରେ ଦେଖିବାର ବ୍ୟବସ୍ଥା କରାଯିବ। ତେଣୁ ଏହି ସୁଯୋଗକୁ ହାତଛଡ଼ା ନକରିବା ପାଇଁ ଛାତ୍ର-ଛାତ୍ରୀମାନଙ୍କୁ ଅନୁରୋଧ କରାଯାଉଛି। ଆସନ୍ତୁ ସମ‌ସ୍ତେ ଏହି ବିରଳ ଦୃଶ୍ୟ ଗୁଡ଼ିକୁ ଉପଭୋଗ କରିବା, ଏହା ପଛରେ ଥିବା ବୈଜ୍ଞାନିକ କାରଣଗୁଡ଼ିକ ଜାଣିବା ଓ ଆମ  ସମାଜରେ ଭରି ରହିଥିବା ଅନ୍ଧ ବିଶ୍ବାସ ଗୁଡ଼ିକ ଦୂରକରିବାପରେ ସହାୟକ ହେବା।

ସମ୍ବନ୍ଧିତ ଖବର