କେମିତି ଅଛନ୍ତି ପ୍ରବାସୀ ଓଡ଼ିଆ : ମୃତ୍ୟୁର ନୂଆ ନମ୍ବର ସହ ନୂଆ କଫିନ୍‌

‘କରୋନାରେ ମୃତ୍ୟୁ ହେବା ପରେବି ପରିବାର ଲୋକ ଠିକ୍ ଭାବେ ଅନ୍ତ୍ୟେଷ୍ଟିକ୍ରିୟା କରିପାରିନଥିବେ। ନା କୌଣସି ସ୍ମୃତିଚାରଣ ହେଉଥିବା ନା ମୃତ୍ୟୁଶଯ୍ୟା ନିକଟରେ କେହି ଫୁଲଟିଏ ଅର୍ପଣ କରୁଥିବ। ନୂଆ ନମ୍ବର ସହିତ କେବଳ ଏକ ନୂଆ କଫିନ୍‌,’ ‘ସମ୍ବାଦ’କୁ ଏହିଭଳି ଏକ ଭାବପୂର୍ଣ୍ଣ ଇମେଲ୍‌ କରିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ହଷ୍ଟନରେ ରହୁଥିବା ଡ. ଆରତି ପତିନନ୍ଦ।

ଡ. ଆରତି ପତିନନ୍ଦ ଉଲ୍ଲେଖ କରିଛନ୍ତି ଯେ, ‘ ଗଣିତର ଛାତ୍ର ହୋଇଥିବାରୁ ମୁଁ ସବୁବେଳେ ସଂଖ୍ୟା, ଏହାର ଦୃଷ୍ଟାନ୍ତ ଓ ପ୍ରୟୋଗକୁ ଭଲ ପାଏ। ତେବେ, ଏହି ସମୟର ସଂଖ୍ୟା ଅତି ଯନ୍ତ୍ରଣାଦାୟକ।’

‘ଡିସେମ୍ବର ମାସର ଶେଷ ଆଡ଼କୁ ଯୁଗ୍ମ ଗାଣିତିକି ବୈଠକ(ଜଏମ୍‌ଏମ୍‌) ପାଇଁ ପ୍ରସ୍ତୁତ ହେଉଥିବାବେଳେ ହଠାତ୍‌ ଚୀନ୍‌ର କାରୋନା ଭୂତାଣୁ ସମ୍ପର୍କରେ ଏକ ଖବର ପଢ଼ିଲି। ଆଶ୍ଚର୍ଯ୍ୟ ହେଲି ଯେ, ଏଥିପାଇଁ ଚୀନ୍‌ର ଉହାନ ସହରରେ କମ୍‌ଦିନ ଭିତରେ ଏକ ବିରାଟ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି। ମାତ୍ର, କମ୍ ଦିନ ଭିତରେ କରୋନା ଭୂତାଣୁ ସାରାବିଶ୍ବକୁ ବ୍ୟାପିଗଲା ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଭଳି ଏକ ସୁପରପାୱାର ରାଷ୍ଟ୍ର ଏହାକୁ ମୁକାବିଲା କରିବା ପାଇଁ ସଂଘର୍ଷ କରୁଛି,’ ବୋଲି କହିଛନ୍ତି ଡ. ପତିନନ୍ଦ।

ଏଥିସହିତ, କିଛିଦିନ ତଳେ ଜ୍ବରରେ ପୀଡ଼ିତ ହେବା ପରେ ନି‌ଜ କିଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥି‌ଲେ, ସେ ସମ୍ପର୍କରେ ବି ଉଲ୍ଲେଖ କରିଛନ୍ତି ଡ.ପତିନନ୍ଦ। ‘ ମୋତେ କେବେ ଜ୍ବର ହୋଇନଥାଏ। ଯାହା ମନେପଡ଼ୁଛି ୨୦୦୭ ମସିହା ଫେବ୍ରୁଆରିରେ ଯାହା ଭୂତାଣୁଜନିତ ସର୍ଦ୍ଦିର ଶିକାର ହୋଇଥିଲେ। ଗତ ମାର୍ଚ୍ଚ ୨୮ ତାରିଖରେ ହଠାତ୍‌ ଦେହ ଅସୁସ୍ଥ ହୋଇପଡ଼ିଲା। ଲକ୍‌ଡାଉନ୍‌ରେ ଘରେ ଥିବାବେଳେ ଏବଂ ଏପରିକି ଗ୍ରୋସରୀ ଦୋକାନକୁ ଯାଇନଥିବ‌ାବେଳେ କାହିଁକି ଜ୍ବର ହେଲା, ତାହାକୁ ନେଇ ଚିନ୍ତାରେ ଥିଲି। ସ୍ବାମୀ ଓ ପୁଅଠାରୁ ଅଲଗା ତ ରହିଥିଲି, ହେଲେ କ‌େମିତି ପରୀକ୍ଷା କରିବି ତାହା ହିଁ ଚିନ୍ତାର ବିଷୟ ଥିଲା। କାରଣ, ଏତେ ଜ୍ବର ଥିଲା ନିଜେ ଡ୍ରାଇଭ୍‌ କରିବା କଷ୍ଟକର ଥିଲା ଏବଂ ସ୍ବାମୀ କି ପୁଅ ଡ୍ରାଇଭ୍‌ କଲେ କାଳେ ସଂକ୍ରମଣ ହେବାର ଭୟ ବି ଥିଲା।,’ ବୋଲି କୁହନ୍ତି ଡ.ପତିନନ୍ଦ।

ତେବେ, ନିଜ ସ୍ବାସ୍ଥ୍ୟ ସମ୍ପର୍କରେ ସେ ଏହାଠାରୁ ଅଧିକ କିଛି ଉଲ୍ଲେଖ ନଥିଲେ ମଧ୍ୟ ସେ ଯେ ସାଧାରଣ ଜ୍ବରରେ ପୀଡ଼ିତ ହୋଇଥିଲେ ଏବଂ ଏହାପରେ ସେ ସୁସ୍ଥ ହୋଇଯାଇଥିଲେ ବୋଲି ଆମର ବିଶ୍ବାସ।

(ଇମେଲ୍‌ ଯୋଗେ ନିଜର ଅନୁଭୂତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାରେ ରହୁଥିବା ଡ. ଆରତି ପତି ନନ୍ଦ)

ସମ୍ବନ୍ଧିତ ଖବର