ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡକ୍ଟର ବୈଷ୍ଣବଚରଣ ତ୍ରିପାଠୀ ନିଜ କାର୍ଯ୍ୟକାଳରେ ଦେଶବିଦେଶର ସ୍ବନାମଧନ୍ୟ ଶିକ୍ଷାନୁଷ୍ଠାନରେ ଅଧ୍ୟାପନା ଓ ଗବେଷଣା କରି ଜାତୀୟ ତଥା ଅନ୍ତର୍ଜାତୀୟ ପରିସରରେ ଯଥେଷ୍ଟ ସୁନାମ ଅର୍ଜନ କରିଛନ୍ତି । ଓଡ଼ିଶାର ରେଭେନ୍ସା କଲେଜ୍‌ର ଛାତ୍ର ଡ. ତ୍ରିପାଠୀ ନୂଆଦିଲ୍ଲୀସ୍ଥିତ ଜେଏନ୍‌ୟୁରେ ଅଧ୍ୟାପନା କରୁଥିବା ସମୟରେ ସେଠାରେ ଫଟୋବାୟୋଲୋଜି ଲାବୋରେଟୋରି ଆରମ୍ଭ କରି ସୁଖ୍ୟାତ ହୋଇଥିଲେ। ୧୯୮୧ରୁ ୧୯୮୭ ପର୍ଯ୍ୟନ୍ତ କଲମ୍ବସ୍‌ସ୍ଥିତ ଓହିଓ ଷ୍ଟେଟ୍ ୟୁନିଭର୍ସିଟିରେ ପୋଷ୍ଟ୍‌ ଡକ୍ଟରାଲ୍‌ ଫେଲୋ ଭାବେ ଅଧ୍ୟୟନ କରିବା ପରେ ୟୁନିଭର୍ସିଟି ଅଫ୍ ଇଲିନୋଇରେ ଅଧ୍ୟାପନା କରିଥିଲେ। ପରେ ସେ ଆମେରିକାର ‘ନାସା’ରେ ମହାକାଶରେ ବଢୁଥିବା ଉଦ୍ଭିଦ ଓ ଆଲୋକ ସଂଶ୍ଳେଷଣ ଉପରେ ଶୂନ୍ୟ (ମାଇକ୍ରୋ) ମାଧ୍ୟାକର୍ଷଣର ପ୍ରଭାବ ଅଧ୍ୟୟନ କରିଥିଲେ। ପରବର୍ତ୍ତୀ ସମୟରେ ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ ଡ. ତ୍ରିପାଠୀ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ହୋଇଥିଲେ। ସଂପ୍ରତି ଏହି ପ୍ରାଚୀନ ଓ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନର ନାମ ପରିବର୍ତ୍ତନ ନେଇ ବିବାଦ ଓ ବିତର୍କ ଜାରି ରହିଥିବା ବେଳେ ପ୍ରାକ୍ତନ ରେଭେନ୍ସା ଛାତ୍ର ଓ କୁଳପତି ଡକ୍ଟର ତ୍ରିପାଠୀ ଏ ପ୍ରସଙ୍ଗରେ ନିଜର ସ୍ପଷ୍ଟ ମତ ରଖିଛନ୍ତି। ତାଙ୍କ ସହିତ ଆଲୋଚନା କରିଛନ୍ତି ଆମର ବରିଷ୍ଠ ପ୍ରତିନିଧି ବିଭୂତି ପତି

Advertisment

ରେଭେନ୍ସାରେ ପାଠପଢ଼ା ଦିନସବୁ କିପରି ଥିଲା?
୧୯୬୭ ମସିହାରେ ମୁଁ ରେଭେନ୍ସା କଲେଜରେ ଇଣ୍ଟର୍‌ମିଡିଏଟ୍ ସାଇନ୍ସ (ଆଇ.ଏସ୍‌ସି)ରେ ନାମ ଲେଖାଇଲି। ସେତେବେଳେ ରେଭେନ୍ସା ଭାରତର ଅନ୍ୟତମ ଶ୍ରେଷ୍ଠ ଖ୍ୟାତିସଂପନ୍ନ କଲେଜ ଭାବେ ମାନ୍ୟତା ପାଉଥିଲା। ଏସିଆ ମହାଦେଶରେ ମଧ୍ୟ ଏହାର ଖ୍ୟାତି ଓ ପରିଚୟ ଥିଲା। ମୁଁ କହିବି, ସେତେବେଳେ ରେଭେନ୍ସା ବିଜ୍ଞାନ ବିଭାଗର ଗବେଷଣା ଓ ଏନ୍‌ସିସିର ପରିଚୟର ସୁଗନ୍ଧ ବିଶ୍ବର ଅନ୍ୟ କେତୋଟି ରାଷ୍ଟ୍ରକୁ ମଧ୍ୟ ସୁବାସିତ କରିଥିଲା। ଜଣେ ରେଭେନ୍ସାଭିଆନ୍ ଭାବେ ମୁଁ ଯେତେ ଗର୍ବକରେ ଜେଏନ୍‌ୟୁରେ ପାଠ ପଢ଼ିଥିଲେ ମଧ୍ୟ ସେମିତି ଅନୁଭବ କରେନାହିଁ। ଯଦି କିଏ ମୋତେ ପଚାରେ- ଆପଣଙ୍କ ପାଇଁ ଜେଏନ୍‌ୟୁ ନା ରେଭେନ୍ସା ବଡ଼? ମୋର ଆତ୍ମା କହିବ ରେଭେନ୍ସା। ଅବଶ୍ୟ ଜେଏନ୍‌ୟୁ ମୋତେ ସୁଖ୍ୟାତି ଓ ସୁନାମ ଦେଇଛି, କିନ୍ତୁ ଏ ସବୁର ବାସ୍ତବ ହକ୍‌ଦାର୍‌ ହେଉଛି ରେଭେନ୍ସା। ସେ ସମୟରେ ରେଭେନ୍ସାରେ ପାଠପଢ଼ା ଅତ୍ୟନ୍ତ ଉଚ୍ଚକୋଟୀର ଥିଲା। ସେଥିପାଇଁ ଭାରତର ଅନ୍ୟାନ୍ୟ ସୁପ୍ରସିଦ୍ଧ କଲେଜକୁ ବାଦ୍ ଦେଇ ମୁଁ ରେଭେନ୍ସାରେ ପାଠ ପଢ଼ିଥିଲି। ସେତେବେ‌େଳ ରେଭେନ୍‌ସାର ବିଜ୍ଞାନ, କଳା, ବାଣିଜ୍ୟ ବିଭାଗର ଅନେକ ଅଧ୍ୟାପକଙ୍କର ମଧ୍ୟ ଦେଶରେ ସୁନାମ ରହିଥିଲା। ମୋ ମତରେ, ଭାଗ୍ୟରେ ଥିଲେ ଜଣେ ରେଭେନ୍ସାରେ ପାଠ ପଢ଼ିବାର ସୁଯୋଗ ପାଇବ। ମୁଁ ବଡ଼ ଭାଗ୍ୟବାନ୍‌ ଯେ ସେଠାରେ ପଢ଼ି ବିଶ୍ୱରେ ନିଜ ପରିଚୟ ସୃଷ୍ଟି କରି ପୁନଶ୍ଚ ସେଠାରେ କୁଳପତି ହୋଇ ପଢ଼ାଇବାର ସୁଯୋଗ ପାଇଲି।

ଆପଣ ଛାତ୍ରରୁ ଏହି ଅନୁଷ୍ଠାନର କୁଳପତି ହେଲେ। ରେଭେନ୍ସା ବର୍ତ୍ତମାନ କି ପ୍ରକାରର ଅଭାବ ଓ ଅସୁବିଧା ସାମ୍ନା କରୁଛି?
ରେଭେନ୍ସାରେ ଅନେକ ଅଭାବ ଅସୁବିଧା ରହିଛି। ସବୁ ଅସୁବିଧା ସତ୍ତ୍ବେ କେବଳ ରେଭେନ୍ସା ନାଁକୁ ନେଇ ଏହି  ଶିକ୍ଷାନୁଷ୍ଠାନ ତିଷ୍ଠି ରହିଛି। ୟୁଜିସିର ଦୃଷ୍ଟି ଆକର୍ଷଣ କରି ସେସବୁ ଅଭାବ ଅସୁବିଧା ପୂରଣ କରାଯିବା ଦରକାର। ଆବଶ୍ୟକସଂଖ୍ୟକ ବିଜ୍ଞାନ ଗବେଷଣାଗାର ଓ ଅତ୍ୟାଧୁନିକ ଲାଇବ୍ରେରି ନାହିଁ। ଅଧିକ ଅଧ୍ୟାପକ ପଦବି ସୃଷ୍ଟି କରାଯିବା ସଙ୍ଗକୁ ଖାଲିଥିବା ଅଧ୍ୟାପକ ଓ ଅନ୍ୟାନ୍ୟ ପଦପଦବି ପୂରଣ ସମ୍ପ୍ରତି ରେଭେନ୍ସା ପାଇଁ ସବୁଠାରୁ ବଡ଼ ଆହ୍ବାନ। ଗୋଟିଏ ବିଶ୍ବବିଦ୍ୟାଳୟ ପାଇଁ ପ୍ରତିବର୍ଷ ୟୁଜିସି ଯେତିକି ଅର୍ଥ ବ୍ୟୟବରାଦ କରିବା କଥା ମୁଁ ଭାବୁଛି ରେଭେନ୍ସା ସେତିକି ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛି। ଏଥିପାଇଁ କେନ୍ଦ୍ର ସରକାର ଧ୍ୟାନ ଦେଉନାହାନ୍ତି କିମ୍ବା ରାଜ୍ୟ ସରକାର କେନ୍ଦ୍ର (ଶିକ୍ଷା ମନ୍ତ୍ରାଳୟ) କିମ୍ବା ୟୁଜିସି‌ ନିକଟରେ ଦାବି ଉପସ୍ଥାପନ କରିନାହାନ୍ତି। ଏସବୁ ଦିଗ ପ୍ରତି ବିଶେଷ ଧ୍ୟାନ ଦେଲେ ଏହି ଶିକ୍ଷାନୁଷ୍ଠାନ ତା’ର ହୃତଗୌରବ ଫେରିପାଇବ। ରେଭେନ୍ସା ବିଶ୍ବବିଦ୍ୟାଳୟ ଆଜି ଜଣେ ଓଡ଼ିଆ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପାଇପାରିଛି ଏହା ନିଶ୍ଚିତ ଆମପାଇଁ ସୌଭାଗ୍ୟ।

ଆପଣ କୁଳପତି ଭାବେ ଦାୟିତ୍ୱରେ ଥିବା ସମୟରେ କ’ଣ ଅବସୋସ ରହିଗଲା?
ମୁଁ କୁଳପତି ଥିବା ସମୟରେ ଭାରତର ଏହି ସ୍ବନାମଧନ୍ୟ ଶିକ୍ଷାନୁଷ୍ଠାନକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ଅନୁରୋଧ କରି ୨୦୧୧ରୁ ୨୦୧୪ ମଧ୍ୟରେ ଏକାଧିକ ବାର ୟୁଜିସିକୁ ଆବେଦନ କରିଥିଲି। ତତ୍କାଳୀନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ (ଶିକ୍ଷା ମନ୍ତ୍ରାଳୟ) କପିଲ୍‌ ସିବଲ୍‌ ଓ ସ୍ମୃତି ଇରାନୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଅନେକ ଥର ଅନୁରୋଧ ବି କରିଛି । କିନ୍ତୁ ମୋର ସବୁ ପ୍ରଚେଷ୍ଟା ଓ ଗୁହାରି ପ୍ରତି କେହି ଧ୍ୟାନ ଦେଇ ନଥିଲେ। ବର୍ତ୍ତମାନର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ଦିଗ ପ୍ରତି ଧ୍ୟାନ ଦେବା ଦରକାର।

ବର୍ତ୍ତମାନ ରେଭେନ୍ସାର ନାମ ପରିବର୍ତ୍ତନ ନେଇ ବିତର୍କ ଚାଲିଛି। ଏ ସଂକ୍ରାନ୍ତରେ ଆପଣଙ୍କର ସ୍ପଷ୍ଟ ମତ କ’ଣ?  ବିତର୍କର ଅବସାନ ପାଇଁ କୌଣସି ସମାଧାନର ପନ୍ଥା ରହିଛି କି? 
ଦେଖନ୍ତୁ, ଯଦି ନାମ ପରିବର୍ତ୍ତନ କରାଯାଏ ଏହି ବିଶ୍ବବିଖ୍ୟାତ ଶିକ୍ଷାନୁଷ୍ଠାନ ଦୁନିଆର କୋଣଅନୁକୋଣରୁ ଚିରଦିନ ପାଇଁ ତା’ର ସୁଗନ୍ଧ ହରାଇବ। ପୁନଶ୍ଚ ଏହି ଶିକ୍ଷାନୁଷ୍ଠାନ ସ୍ଥାପନ ହେଲାବେଳେ ଟି. ଇ. ରେଭେନ୍ସା ନିଜ ନାମରେ ଏହାକୁ ନାମିତ କରି ନଥିଲେ। ମନେରଖିବା ଉଚିତ, ଏହି ଅନୁଷ୍ଠାନ ସ୍ଥାପନ କରିବାକୁ ସେ ବ୍ୟକ୍ତିଗତ ଭାବେ କିଛି ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ। ସେ ପ୍ରଶାସନିକ ପଦବିରୁ ବିଦାୟ ନେବାବେଳେ ଏହି ଶିକ୍ଷାନୁଷ୍ଠାନ (କଟକ କଲେଜ) ସ୍ଥାପନ କରିଥିବା ପୁରୋଧାମାନେ ମୁଖ୍ୟତଃ ମୟୂରଭଞ୍ଜ ମହାରାଜା ତାଙ୍କ ଅବଦାନର ସ୍ମୃତିରକ୍ଷା ସ୍ବରୂପ ତାଙ୍କ ନାମାନୁସାରେ ଏହାକୁ ନାମିତ କରିଥିଲେ। ଏହା ଏକ ସ୍ମୃତି ଉପହାର। ଏହି ସ୍ମୃତି ଉପହାରର ନାମ ପରିବର୍ତ୍ତନ କରାଯିବା ବିତର୍କ ଆସୁଛି କାହିଁକି? ଦେଇଥିବା ଉପହାର କ’ଣ କେବେ ଫେରାଇ ନିଆଯାଏ? ଯଦି ଆମେ ନୂତନ ନାମକରଣ କରିବାକୁ ଚାହୁଁଛେ, ତେବେ ସିଡିଏରେ (ମର୍କତ ନଗର/ଅଭିନବ ବିଡ଼ାନସୀ) ସ୍ଥାପନ ହୋଇଥିବା ରେଭେନ୍ସା ବିଶ୍ବବିଦ୍ୟାଳୟର ନୂଆ କ୍ୟାମ୍ପସ୍‌ର ନାମ ନେତାଜୀ ସୁଭାଷ ବୋଷଙ୍କ ନାମାନୁସାରେ କରିପାରିବା। ଉଦାହରଣ ସ୍ବରୂପ, ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ନେଇ ଜେଏନ୍‌ୟୁ ଭଳି ଏକାଧିକ ବିଶ୍ବବିଦ୍ୟାଳୟର ମୂଳ ନାମ ଅପରିବର୍ତ୍ତିତ ରଖି ନବନିର୍ମିତ କ୍ୟାମ୍ପସ୍‌କୁ ନୂତନ ଭାବେ ନାମିତ କରାଯାଇଛି।

ନ’ଅଙ୍କ ଦୁର୍ଭିକ୍ଷ ସମୟରେ ଟି. ଇ. ରେଭେନ୍ସାଙ୍କ ଭୂମିକା ନେଇ ଯେଉଁ ପ୍ରଶ୍ନ ଉଠିଛି, ତାହାକୁ ନେଇ ଆପଣ କ’ଣ କହିବେ?
ମୋ ମତରେ ରେଭେନ୍ସା ସାହେବଙ୍କୁ ନ’ଙ୍କ ଦୁର୍ଭିକ୍ଷ ଭଳି ଦାରୁଣ ପ୍ରାକୃତିକ ଦୁର୍ବିପାକ ସହିତ ଯୋଡ଼ାଯିବା ସଂପୂର୍ଣ୍ଣ ଠିକ୍ ନୁହେଁ। ପ୍ରାକୃତିକ ଦୁର୍ବିପାକ ସବୁବେଳେ ପ୍ରକୃତି ଦ୍ବାରା ନିୟନ୍ତ୍ରିତ। ମଣିଷ ଚାହିଁଲେ ଏହାର ସାମୟିକ ମୁକାବିଲା କରିବାର ପ୍ରଚେଷ୍ଟା କରିପାରିବ। ସେହି ସମୟର ପାଣିପାଗ ପୂର୍ବାନୁମାନ ଯଥେଷ୍ଟ ଦକ୍ଷ ନଥିଲା। ଅବଶ୍ୟ ଜଣେ ପ୍ରଶାସକ ହିସାବରେ ଥୋମାସ୍ ଏଡ୍‌ୱାର୍ଡ ରେଭେନ୍ସା ନିଶ୍ଚିତ ଭାବେ ଏହି ଦାରୁଣ ବିପର୍ଯ୍ୟୟର ମୁକାବିଲାରେ ପ୍ରଶାସନିକ ବିଫଳତା ପାଇଁ କିଛି ମାତ୍ରାରେ ଦାୟୀ। କିନ୍ତୁ ତାଙ୍କୁ ସଂପୂର୍ଣ୍ଣ ଦାୟୀ କରାଯାଇ ପାରିବନାହିଁ। ସେ ଯଦି ଟିକିଏ ଚେଷ୍ଟା କରିଥାନ୍ତେ, ଏହି ଦୁର୍ଭିକ୍ଷର ପ୍ରଭାବ ହୁଏତ କିଛିମାତ୍ରାରେ ପ୍ରଶମିତ ଓ ନିୟନ୍ତ୍ରିତ ହୋଇପାରିଥାନ୍ତା। କିନ୍ତୁ ରାଜ୍ୟ ସଂପୂର୍ଣ୍ଣ ଦୁର୍ଭିକ୍ଷମୁକ୍ତ ହୋଇପାରି ନଥାନ୍ତା। ଆପଣ ଦି ଗ୍ରେଟ୍ ବେଙ୍ଗଲ୍ ଫେମିନ୍‌ ଏବଂ ୧୯୯୯ ମହାବାତ୍ୟା ଦେଖନ୍ତୁ, ଆଜି ବି ବାତ୍ୟା ବନ୍ୟା ଭଳି ବିପର୍ଯ୍ୟୟକୁ ଆମେ କ’ଣ ରୋକିପାରୁଛେ? ଏଭଳି ପରିସ୍ଥିତିରେ ଟି. ଇ. ରେଭେନ୍ସାଙ୍କୁ ସଂପୂର୍ଣ୍ଣ ଦାୟୀ କରିବା ଏବଂ ତାଙ୍କ ନାମରେ ନାମିତ ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ କରିବା କେତେଦୂର ଯୁକ୍ତିଯୁକ୍ତ?