ହଂକଂରେ ସରକାରଙ୍କ କଠୋର ନିଷ୍ପତ୍ତି ପୂର୍ବରୁ ଲୋକେ ସତର୍କ ହୋଇଯାଇଥିଲେ : ଡ. ଧନଦାକାନ୍ତ ମିଶ୍ର

ଓଡ଼ିଶା, ହଂକଂ ଓ ଚୀନ୍‌: କୋଭିଡ୍‌-୧୯ ଆତଙ୍କ କାଳରେ ଏହି ତିନୋଟି ସ୍ଥାନକୁ ଅତି ନିକଟରୁ ଦେଖିଛନ୍ତି ଡ. ଧନଦାକାନ୍ତ ମିଶ୍ର। ଡ. ମିଶ୍ର ଜଣେ ସୁନାମଧନ୍ୟ ଶିକ୍ଷାବିତ୍‌ ଓ ସ୍ତମ୍ଭକାର। ଏହି ସମୟରେ ତାଙ୍କର କିଛି ବ୍ୟକ୍ତିଗତ ଅନୁଭୂତି ରହିଛି। ଏଥିସହିତ, କରୋନାକୁ ହଂକଂ କିଭଳି ମୁକାବିଲା କରିବାରେ ସଫଳ ହୋଇପାରିଲା ସେ ସମ୍ପର୍କରେ ବି ତାଙ୍କ ନିକଟରେ କିଛି ତଥ୍ୟ ରହିଛି।

ନିଜର ଅନୁଭୂତି ସମ୍ପର୍କରେ ଶ୍ରୀ ମିଶ୍ର କହିଛନ୍ତି, ‘ଗତ ଜାନୁଆରୀ ୧୧-୧୨ତାରିଖ ଦୁଇଦିନ ଧରି ଚୀନ୍‌ର ଶେନଜେହନ ୟୁନିଭର୍ସିଟି ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ଏସ୍‌ୟୁଏସ୍‌ଟି)ରେ ଆୟୋଜିତ ଏକ ସମ୍ମିଳନୀରେ ପତ୍ନୀ ବବିତାଙ୍କ ସହିତ ଯୋଗଦେଇଥିଲି। ଆମର ଧାରଣା ନଥିଲା ଯେ, ଚୀନ୍‌ର ହୁବେଇ ପ୍ରୋଭିନ୍ସଠାରୁ ମାତ୍ର କେଇଶହ କିଲୋମିଟର ଦୂରରେ ଉହାନ ଅବସ୍ଥିତ। ଯେଉଁଠି, ତା’ର କିଛି ଦିନ ପୂର୍ବରୁ ଭୂତାଣୁ ଆବିଷ୍କାର କରାଯାଇଥିଲା। ଏହାର ୧୦ ଦିନ ପରେ ମୁଁ ହଂକଂ ଫେରି ଆସିଲି ଏବଂ ସେତେବେଳେ ଗଣମାଧ୍ୟମ ଉହାନ୍‌ରେ ସାର୍ସ (ସିଭିଅର୍‌ ଆକ୍ୟୁଟ୍‌ ରେସ୍ପାଇଟୋରି ସିଷ୍ଯମ) ସମ୍ପର୍ କୋର ଖବର ପ୍ରକାଶ ଆରମ୍ଭ କରିଥିଲା। ଫେବ୍ରୁଆରି ଆରମ୍ଭ ବେଳକୁ ଉହାନରେ ଶହଶହ ଲୋକ ପ୍ରାଣ ହରାଇବା ସମ୍ପର୍କରେ ଖବର ପହଞ୍ଚିଲା।’

କିନ୍ତୁ ଚୀନ୍‌ର ପଡ଼ୋଶୀ ହୋଇଥିଲେ ମଧ୍ୟ ହଂକଂ ଏହାକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲା। ଏହାର କାରଣ ସମ୍ପର୍କରେ ଶ୍ରୀ ମିଶ୍ର କହିଛନ୍ତି, ‘ହଂକଂରେ ସରକାର କୌଣସି କଠୋର ଘୋଷଣା ଗ୍ରହଣ କରିବା ପୂର୍ବରୁ ଲୋକମାନେ ନିଜ ଆଡ଼ୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଥିଲେ। ସ୍କୁଲ୍‌ କଲେଜ ବି ଘୋଷଣା ପୂର୍ବରୁ ବନ୍ଦ ହୋଇଯାଇଥିଲା। ଏଠାରେ ଜନସାନ୍ଦ୍ରତା ଏବଂ ଖୁନ୍ଦାଖୁନ୍ଦିର ଅଭ୍ୟସ୍ତ ଚଳଣି ପାଇଁ ସାମାଜିକ କିମ୍ବା ଶାରୀରିକ ଦୂରତା ରକ୍ଷା କରିବା କଷ୍ଟକର ବ୍ୟାପାର ଥିଲା। ତଥାପି, ଲୋକମାନେ ଘରେ ରହିବାକୁ ଅଧିକ ପସନ୍ଦ କରିଥିଲେ ଏବଂ ବାହାରେ ବୁଲାବୁଲି କରିନଥିଲେ।’

‘ମାର୍ଚ୍ଚ ୧୭ରେ ମୁଁ ଭାରତରୁ ଫେରିଥାଏ। ସେହି ସମୟରେ ହଂକଂ ସରକାର ଗୋଟିଏ ମାସ ପର୍ଯ୍ୟନ୍ତ ବ୍ୟାପକ ପରୀକ୍ଷା, ଚିହ୍ନଟ, ଏକାନ୍ତବାସ ଓ ଚିକିତ୍ସା ମାଧ୍ୟମରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିପାରିଥିଲେ। ବ୍ୟକ୍ତିଗତ ଭାବେ ମୁଁ ପ୍ରାୟ ଏକାନ୍ତବାସରେ ରହିଥିଲି। ଏହି ସମୟରେ ‌ପଢ଼ାପଢ଼ି, ଲେଖାଲେଖି ସହିତ ଗବେଷଣା ପାଇଁ ଇଣ୍ଟର୍‌ନେଟ୍‌ରୁ ତଥ୍ୟ ସଂଗ୍ରହ କରିଥିଲି’।

ଅପରପକ୍ଷେ, ‘ସାରାଦେଶ ସହିତ ଓଡ଼ିଶାରେ ଗରିବ ଏବଂ ପ୍ରବାସୀ ଶ୍ରମିକଙ୍କ ପାଇଁ କୌଣସି ସଠିକ୍‌ ଯୋଜନା କରାନଯାଇ ହଠାତ୍‌ ଲକ୍‌ଡାଉନ୍‌ ଲାଗୁ କରାଗଲା’, ବୋଲି ମତ ଦେଇଛନ୍ତି ଶ୍ରୀ ମିଶ୍ର।

(ନିଜର ଲକ୍‌ଡାଉନ୍‌ ଡାଏରୀରେ ଯାହା ଉଲ୍ଲେଖ କରିଛନ୍ତି ଡ. ଧନଦାକାନ୍ତ ମିଶ୍ର)

ସମ୍ବନ୍ଧିତ ଖବର