କର୍ତ୍ତବ୍ୟ ଆଗରେ ପରିବାର ତୁଚ୍ଛ

ମହାମାରୀ କରୋନା ଲଢ଼େଇରେ ସାରଥୀ ସାଜିଛନ୍ତି ବାରିପଦାର ଝିଅ ଡାକ୍ତର ପ୍ରିୟଦର୍ଶିନୀ ମିଶ୍ର। ଉତ୍ତରପ୍ରଦେଶ ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ (ଏସ୍‌ଜିପିଜିଆଇ)ର ଚକ୍ଷୁ ବିଭାଗରେ ସଂପ୍ରତି ଆସୋସିଏଟ୍‌ ପ୍ରଫେସର ଭାବେ କାମ କରୁଥିବା ପ୍ରିୟଦର୍ଶିନୀ କର୍ତ୍ତବ୍ୟ ଆଗରେ ନିଜ ପରିବାରକୁ ଗୌଣ କରିଛନ୍ତି। ଉତ୍ତରପ୍ରଦେଶର ରାଜଧାନୀରେ ଅବସ୍ଥିତ ଭାରତ ସରକାରଙ୍କ ଏହି ସୁପର ସ୍ପେଶାଲିଟି ହସ୍‌ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ବିଶେଷ ବ୍ୟବସ୍ଥା କରାଯାଇଛି।

ବିଶ୍ବର ଜଣାଶୁଣା ଏହି ଚିକିତ୍ସା ଅନୁଷ୍ଠାନରେ କେବଳ ଅତ୍ୟନ୍ତ ଜଟିଳ ଅବସ୍ଥାରେ ଥିବା କରୋନା ରୋଗୀଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଉଛି। କରୋନାରେ ଆକ୍ରାନ୍ତ ହେବା ପରେ ଜଣାଶୁଣା ବଲିଉଡ୍‌ ଗାୟିକା କନିକା କପୁରଙ୍କୁ ଚିକିତ୍ସା ପାଇଁ ଏଠାରେ ଭର୍ତ୍ତି କରାଯାଇଥିଲା। ଏମିତି ତ ଗୋଟିଏ ସମୟରେ କନିକାଙ୍କୁ ନେଇ ଲକ୍ଷ୍ନୌରେ ଏକପ୍ରକାର ଭୟର ବାତାବରଣ ଖେଳିଯାଇଥିଲା। ତେବେ, ଏସ୍‌ଜିପିଜିଆଇରୁ ସୁସ୍ଥ ହୋଇ କନିକା ନିକଟରେ ଘରକୁ ଫେରିଥିବା କହିଛନ୍ତି ପ୍ରିୟଦର୍ଶିନୀ। ‘ ଦିନକୁ ଦିନ ଏଠାରେ ‌ରୋଗୀ ସଂଖ୍ୟାରେ ବୃଦ୍ଧି ଘଟୁଥିବାରୁ ହସ୍‌ପିଟାଲର ସମସ୍ତ ବିଭାଗରୁ ବିଶେଷଜ୍ଞ ଚିକିତ୍ସକମାନଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ପ୍ରତିଦିନ ଏଠାରେ ୧୦୦ରୁ ଅଧିକ ସ୍ବାବ୍‌ ନମୁନା ପରୀକ୍ଷା କରାଯାଉଥିବା‌ବେଳେ ପ୍ରଫେସର, ପିଜି ଛାତ୍ର, ଡାକ୍ତର, ନର୍ସ, ପାରା ମେଡିକାଲ ଷ୍ଟାଫ୍‌ ସମସ୍ତଙ୍କୁ ପର୍ଯ୍ୟାୟ କ୍ରମେ ଏଠାରେ ଥିବା ସ୍ବତନ୍ତ୍ର କୋଭିଡ୍‌ ହସ୍‌ପିଟାଲରେ ଡ୍ୟୁଟି କରିବାକୁ ପଡ଼ିବ। ସେହି କ୍ରମରେ ମୋର ବି ଯେକୌଣସି ସମୟରେ କରୋନା ୱାର୍ଡରେ ଡ୍ୟୁଟି ପଡ଼ିପାରେ। ତେଣୁ ଏଥିପାଇଁ ମାନସିକ ଭା‌ବେ ମୁଁ ନିଜକୁ ପ୍ରସ୍ତୁତ ରଖିଛି,’ ବୋଲି କହିଛନ୍ତି ପ୍ରିୟଦର୍ଶିନୀ।

ପ୍ରିୟଦର୍ଶିନୀଙ୍କ ସ୍ବାମୀ ସତ୍ୟପ୍ରିୟ ମହାନ୍ତି ମଧ୍ୟ ଜଣେ ଡାକ୍ତର। କାର୍ଡିଓଥୋରାସିକ୍‌ ସର୍ଜନ୍‌ (ସିଭିଟିଏସ୍‌) ସ୍ପେଶାଲିଷ୍ଟ ଭାବେ ଜଣାଶୁଣା ଡାକ୍ତର ମହାନ୍ତି ଏମ୍‌ସ ଭୁବନେଶ୍ବର ହୃଦ୍‌ରୋଗ ବିଭାଗର କାର୍ଯ୍ୟକାରୀ ମୁଖ୍ୟ ଭାବେ ଅଧୁନା କାର୍ଯ୍ୟରତ। କରୋନା ପାଇଁ ଲକ୍‌ଡାଉନ୍‌ର ବେଶ୍‌ ପୂର୍ବରୁ ତାଙ୍କ ଛୁଟି ବାତିଲ ହୋଇ ଯାଇଥିଲା। ତେଣୁ ସେ ଲକ୍ଷ୍ନୌରେ ଥିବାବେଳେ ତାଙ୍କ ପରିବାର ଭୁବନେଶ୍ବରରେ ରହୁଥିବା କହିଛନ୍ତି ପ୍ରିୟଦର୍ଶିନୀ। ବାରିପଦାରେ ରହୁଥିବା ବିଶିଷ୍ଟ କବି ନୀଳକଣ୍ଠ ମିଶ୍ରଙ୍କ କନ୍ୟା ପ୍ରିୟଦର୍ଶିନୀ । ସମ୍ବଲପୁର ବୁର୍ଲା ମେଡିକାଲ୍‌ କଲେଜ୍‌ରୁ ଏମ୍‌ବିବିଏସ୍‌ ଓ ପିଜି ପରେ ୨୦୧୦ରୁ ଏଠାରେ ଚକ୍ଷୁ ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଛନ୍ତି। ଏସ୍‌ଜିପିଜିଆଇରେ ରୁଟିନ୍‌ ଓପିଡି ବନ୍ଦ ଥିବାରୁ ସେ ଏକୁଟିଆ କ୍ୟାମ୍ପସ୍‌ କ୍ବାର୍ଟରରେ ରହୁଛନ୍ତି। ପ୍ରିୟଦର୍ଶିନୀ କହିଛନ୍ତି ଯେ, ‘ ଘର କଥା ବହୁତ ମନେ ପଡ଼ୁଥିଲେ ମଧ୍ୟ ହସ୍‌ପିଟାଲ କ୍ୟାମ୍ପସ୍‌କୁ ଦେଖିଲେ ରୋଗୀ ସେବା ଛଡା ସବୁ କିଛି ସେ ଭୁଲିଯାଆନ୍ତି ।’

(ଡାକ୍ତର ପ୍ରିୟଦର୍ଶିନୀ ମିଶ୍ରଙ୍କ ସହ କଥା ହୋଇଥିଲେ ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ରାଜକିଶୋର ଦାଶ)

ସମ୍ବନ୍ଧିତ ଖବର