ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଶିଖରରେ ପ୍ରଥମ ଭାରତୀୟ : ଡାକ୍ତର ସୌମ୍ୟା ସ୍ୱାମୀନାଥନ

ବିଶ୍ବବ୍ୟାପୀ କରୋନା ମହାମାରୀ ବିରୋଧରେ ଲଢ଼େଇରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ମୁଖ୍ୟ ଭୂମିକା ନିର୍ବାହ କରୁଛି। ଗର୍ବର ବିଷୟ ଯେ ଏହି ସଂଗଠନରେ ବର୍ତ୍ତମାନ ଗବେଷଣା ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ଜଣେ ଭାରତୀୟ ମହିଳା। ସେ ହେଉଛନ୍ତି ଡାକ୍ତର ସୌମ୍ୟା ସ୍ୱାମୀନାଥନ। ସେ ୨୦୧୭ ମସିହାରେ ପ୍ରଥମ ଭାରତୀୟ ଭାବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦ୍ବିତୀୟ ସର୍ବୋଚ୍ଚ ପାହ୍ୟା- ଡେପ୍ୟୁଟି ଡାଇରେକ୍ଟର୍ ଜେନେରାଲ୍ ଭାବେ ନିଯୁକ୍ତ ହୋଇଥିଲେ। ସେ ଏହି ପଦବୀରେ ଦୁଇ ବର୍ଷ କାଳ କାର୍ଯ୍ୟ କରିବା ପରେ ୨୦୧୯ ମସିହାରୁ ସଂଗଠନର ଗବେଷଣା ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। କରୋନା ଭୂତାଣୁର ଭାକ୍ସିନ୍ ବା ଟିକାର ବିକାଶ ପାଇଁ ବିଶ୍ୱର ବିଭିନ୍ନ ସ୍ଥାନରେ ଗବେଷଣା ଚାଲିଛି। ଏହି ସମସ୍ତ ଗବେଷଣାକୁ ସୁନିୟୋଜିତ ତଥା ତ୍ବରିତ କରିବା ପାଇଁ ଡବ୍ଲ୍ୟୁଏଚ୍ଓର ଲକ୍ଷ୍ୟ ଦିଗରେ ସୌମ୍ୟା ଜଣେ ମୁଖ୍ୟ ଯୋଗସୂତ୍ରର କାର୍ଯ୍ୟ ତୁଲାଉଛନ୍ତି।

ସୌମ୍ୟା ହେଉଛନ୍ତି ଭାରତୀୟ ସବୁଜ ବିପ୍ଳବର ଜନକ ତଥା ବିଶ୍ବବିଖ୍ୟାତ ଉଦ୍ଭିଦ ବିଜ୍ଞାନୀ ‘ପଦ୍ମବିଭୂଷଣ’ ଏମ୍ଏସ୍ ସ୍ୱାମୀନାଥନ୍‍ ଓ ଶିକ୍ଷାବିତ୍ ମୀନା ସ୍ୱାମୀନାଥନଙ୍କର କନ୍ୟା। ଡବ୍ଲ୍ୟୁଏଚ୍ଓରେ ଯୋଗ ଦେବା ପୂର୍ବରୁ ସେ ୨୦୧୫ରୁ ୨୦୧୭ ମଧ୍ୟରେ ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ (ଆଇସିଏମ୍‍ଆର୍)ର ନିର୍ଦ୍ଦେଶିକା ଓ ସ୍ୱାସ୍ଥ୍ୟ ଗବେଷଣା ପାଇଁ ଭାରତ ସରକାରଙ୍କ ସଚିବ ରୂପେ କାର୍ଯ୍ୟ କରି ସାରିଛନ୍ତି। ଆଇସିଏମ୍‍ଆର୍‍ର ୧୦୦ ବର୍ଷରୁ ଊର୍ଦ୍ଧ୍ବ ଇତିହାସରେ ଏହାର ମୁଖ୍ୟ ଭାବେ ଦାୟିତ୍ବ ତୁଲାଇବାରେ ସେ ହେଉଛନ୍ତି ଦ୍ବିତୀୟ ମହିଳା। ସୌମ୍ୟା ଯକ୍ଷ୍ମା ଓ ଏଡ୍‍ସ୍ ରୋଗ ଉପରେ ବିସ୍ତୃତ ଗବେଷଣା ପାଇଁ ମଧ୍ୟ ବିଶ୍ବରେ ବେଶ ଜଣାଶୁଣା। ସେ ପୁଣେର ଏଫ୍‍ଏମ୍‍ସି ଓ ଦିଲ୍ଲୀର ଏମ୍‍ସ୍‍ରୁ ଡାକ୍ତରୀ ଡିଗ୍ରି ହାସଲ କରିବା ପରେ ଆମେରିକା, ଇଂଲଣ୍ଡ୍ ଓ ଆୟରଲାଣ୍ଡ୍‍ରେ ଅଧ୍ୟୟନ କରିଥିେଲ। ଦେଶରେ ବ୍ୟବସାୟିକ ‘ସରୋଗାସୀ’ ବନ୍ଦ କରିବା ପାଇଁ ସଂଶୋଧିତ ଆଇନ୍‍ର ଡ୍ରାଫ୍‍ଟ୍ କମିଟିରେ ତାଙ୍କର ବିଶେଷ ଅବଦାନ ରହିଥିଲା।

ସମ୍ବନ୍ଧିତ ଖବର