ଦୋଳଗୋବିନ୍ଦ ପଣ୍ଡା

Advertisment

ପୂର୍ବଥର ଆମେ ମତ୍ସ୍ୟପୁରାଣରୁ କିଛି ସ୍ବପ୍ନଫଳ ବିଷୟରେ ଉଲ୍ଲେଖ କରିଥିଲୁ। ଏଥର ସେହି ପୁରାଣରୁ ଆଉ କିଛି ଫଳ ଉଲ୍ଲେଖ କରିବା। ବୃକ୍ଷରେ ଫଳ ଓ ପୁଷ୍ପ ହାନି ଦେଖିବା, ଘର ଭୁଶୁଡ଼ିପଡ଼ିବା ଦେଖିବା, ଘର ଝାଡୁସଫା ହେଉଥିବା ଦେଖିବା, ନିଜେ ପିଶାଚ, ରାକ୍ଷସ, ବାନର, ଭାଲୁ ଓ ମନୁଷ୍ୟ ସହିତ କ୍ରୀଡ଼ା କରୁଥିବା ଦେଖିବା, ନିଜେ ଶତ୍ରୁଦ୍ବାରା ପରାଜିତ ହେବା ଦେଖିବା ଏବଂ ପରାଜିତ ହେବା ପରେ ରୋଗଗ୍ରସ୍ତ ହେବା ଦେଖିବା ଭବିଷ୍ୟତରେ ଉତ୍ପାତଗ୍ରସ୍ତ ହେବାର ସୂଚନା ଦିଏ। ସ୍ବପ୍ନରେ କଷାୟ ବସ୍ତ୍ର ଧାରଣ କରିବା, ମହିଳାଙ୍କ ସହ କ୍ରୀଡ଼ା କରିବା, ତେଲ ପିଇବା ତଥା ତେଲରେ ସ୍ନାନ କରିବା, ଲାଲ୍‌ ଫୁଲର ମାଳା ପିନ୍ଧିବା ଅଶୁଭ ହୋଇଥାଏ। ଏହିପରି ଅନ୍ୟ ଦୁଃସ୍ବପ୍ନକୁ ମଧ୍ୟ ବୁଝିବାକୁ ହେବ। ଦୁଃସ୍ବପ୍ନ ଦେଖି ଅନ୍ୟକୁ କହିଦେବା ଓ ପୁଣି ଶୋଇପଡ଼ିବା ଉଚିତ। 

ପ୍ରାତଃକାଳରେ ଉଠି ସ୍ନାନ କରିବା, ତିଳରେ ହୋମ କରିବା, ବ୍ରାହ୍ମଣଙ୍କର ସେବା-ପୂଜା କରିବା, ଭଗବାନ ଶ୍ରୀକୃଷ୍ଣଙ୍କ ସ୍ତୁତି କରିବା ତଥା ତାଙ୍କର ପୂଜା କରିବା ଶ୍ରେୟସ୍କର। କାରଣ ଏହାଦ୍ବାରା ଦୁଃସ୍ବପ୍ନର ଅଶୁଭ ଫଳ ନଷ୍ଟ ହୋଇଥାଏ। ଶ୍ରୀମଦ୍ଭାଗବତ ୮ମ ସ୍କନ୍ଧର ତୃତୀୟ ଅଧ୍ୟାୟରେ ଥିବା ଗଜେନ୍ଦ୍ରମୋକ୍ଷ ସ୍ତ୍ରୋତ୍ର ପାଠ କରିବା ଓ ଶୁଣିବା ଦ୍ବାରା ମଧ୍ୟ ଅଶୁଭ ଫଳର ନାଶ ହୋଇଥାଏ। ଏଥିରେ ୩୩ଟି ଶ୍ଳୋକ ଅଛି। ଯେଉଁମାନେ ସଂସ୍କୃତ ପଢ଼ିପାରିବେନି ସେମାନେ ଓଡ଼ିଆ ଭାଗବତରୁ ପଢ଼ିପାରିବେ। ରାତ୍ରିର ପ୍ରଥମ ପ୍ରହରରେ ଦେଖିଥିବା ସ୍ବପ୍ନ ବର୍ଷକ ମଧ୍ୟରେ ଫଳିଥାଏ। ରାତ୍ରିର ଦ୍ବିତୀୟ ପ୍ରହରରେ ଦେଖିଥିବା ସ୍ବପ୍ନ ୬ ମାସ ଭିତରେ, ତୃତୀୟ ପ୍ରହରରେ ଦେଖିଥିବା ସ୍ବପ୍ନ ୩ ମାସ ଭିତରେ ଏବଂ ଅରୁଣୋଦୟ ବେଳା (ସୂର୍ଯ୍ୟ ଉଦୟ ପୂର୍ବର ୯୬ ମିନିଟ୍‌)ରେ ଦେଖିଥିବା ସ୍ବପ୍ନ ୧୦ ଦିନ ଭିତରେ ଫଳ ଦେଇଥାଏ। କିନ୍ତୁ ଗୋଟିଏ ରାତିରେ ଶୁଭ ଓ ଅଶୁଭ ଉଭୟ ସ୍ବପ୍ନ ଦେଖିଲେ ସବା ଶେଷରେ ଦେଖିଥିବା ସ୍ବପ୍ନଟି ହିଁ ଫଳଦାୟକ ହୋଇଥାଏ। ଅର୍ଥାତ୍ ଏକାଧିକ ସ୍ବପ୍ନ ଭିତରୁ ଶେଷରେ ଦେଖିଥିବା ସ୍ବପ୍ନ ଶୁଭ ହେଲେ ଶୁଭଫଳ ଓ ଅଶୁଭ ହେଲେ ଅଶୁଭ ଫଳ ମିଳିଥାଏ। ଅନ୍ୟ ସ୍ବପ୍ନର ଫଳ ମିଳେନାହିଁ। ତେଣୁ ଅଶୁଭ ସ୍ବପ୍ନ ଦେଖିବା ପରେ ପୁଣି ଶୋଇପଡ଼ିବା (କାଳେ ପରେ ଶୁଭସ୍ବପ୍ନ ଦେଖିବାକୁ ମିଳିବ ଏହି ଆଶାରେ) ଏବଂ ଶୁଭ ସ୍ବପ୍ନ ଦେଖିଲେ ସକାଳ ପର୍ଯ୍ୟନ୍ତ ଆଉ ନ ଶୋଇ ମେରୁଦଣ୍ଡ ସିଧା କରି ବସି ନାମଧ୍ୟାନ କରିବା ଉଚିତ। 

ପର୍ବତ, ହାତୀ, ବୃଷଭ, ରାଜମହଲ ଉପରେ ଚଢ଼ିବା ଶୁଭଦାୟକ ହୋଇଥାଏ। ଏହା ନିଜ ସ୍ଥିତିରେ ଉନ୍ନତି ବା ଉଚ୍ଚ ପଦଲାଭର ସୂଚକ। ସ୍ବପ୍ନରେ ନିଜ ନାଭିରୁ ଘାସ ବା ଗଛ ଉଠିବା ଦେଖିବା, ଅନେକ ଭୁଜ ଦ୍ବାରା ଯୁକ୍ତ ହେବା ଓ ଅନେକ ମସ୍ତକ ଦ୍ବାରା ଯୁକ୍ତ ହେବା ଦେଖିବା ମଧ୍ୟ ବିକାଶର ସୂଚକ। ଧଳା ଫୁଲର ମାଳା ପିନ୍ଧିବା ତଥା ଧଳା ବସ୍ତ୍ର ଧାରଣ କରିବା, ଚନ୍ଦ୍ର, ସୂର୍ଯ୍ୟ ଓ ତାରାମାନଙ୍କୁ ହାତମୁଠାରେ ଧରି ପୋଛିବା ଶୁଭ ଫଳ ଦେଇଥାଏ।

ଇନ୍ଦ୍ରଧ୍ବଜ (ଭାଦ୍ର ଶୁକ୍ଳ ୧୨ଶୀ ବା ସୁନିଆଁ ଦିନ ଇନ୍ଦ୍ରପୂଜାରେ ବ୍ୟବହୃତ ପତାକା)କୁ ଆଲିଙ୍ଗନ କରିବା, ତାକୁ ଉପରକୁ ଉଠାଇବା, ପୃଥିବୀ, ସମୁଦ୍ରକୁ ଗ୍ରାସ କରିବା, ଶତ୍ରୁମାନଙ୍କୁ ବଧ କରିବା, ବିବାଦରେ ବିଜୟ ହାସଲ କରିବା, ଦ୍ୟୁତକ୍ରୀଡ଼ାରେ ଜିତିବା, ଯୁଦ୍ଧଜୟ କରିବା, ସଦ୍ୟ (ତାଜା) ମାଂସ ବା ମାଛ ଖାଇବା, ପାୟସ (ଦୁଧ ବା କ୍ଷୀରୀ) ଭୋଜନ କରିବା ଶୁଭଫଳ ସୂଚକ ହୋଇଥାଏ। ସ୍ବପ୍ନରେ ରକ୍ତ ଦେଖିବା ବା ରକ୍ତରେ ସ୍ନାନ କରିବା, ରକ୍ତ ଓ ମଦ୍ୟ ପାନ କରିବା, କ୍ଷୀର ପାନ କରିବା, ପୃଥିବୀ ବା ନିର୍ମଳ ଆକାଶ ଅନ୍ତ୍ର (ଅନ୍ତ) ଦ୍ବାରା ବେଢ଼ିବା, ଗାଈ ବା ମଇଁଷିର ପହ୍ନାରେ ମୁହଁ ଲଗାଇ କ୍ଷୀର ପିଇବା ଅତ୍ୟନ୍ତ ଶୁଭଫଳ ଦେଇଥାଏ। ସେହିପରି ସିଂହୀ, ହସ୍ତିନୀ ଓ ଘୋଡ଼ୀର ସ୍ତନରେ ମୁହଁ ଲଗାଇ କ୍ଷୀର ପିଇବା ମଧ୍ୟ ଶୁଭାବହ। ଦେବତା, ବ୍ରାହ୍ମଣ ଓ ଗୁରୁଙ୍କଠାରୁ ପ୍ରସାଦ ପାଇବା ମଧ୍ୟ ଶୁଭ। ସ୍ବପ୍ନରେ ଗାଈକୁ ଜଳ ଦ୍ବାରା ସ୍ନାନ କରାଇବା, ଗିରିଶୃଙ୍ଗ ଓ ଚନ୍ଦ୍ର ଉପରୁ ଖସିପଡ଼ିବା ରାଜ୍ୟଲାଭ-ସୂଚକ ହୋଇଥାଏ।

ସ୍ବପ୍ନରେ ରାଜ୍ୟାଭିଷେକ ଦେଖିବା, ମୁଣ୍ଡ କଟାହେବା ଦେଖିବା, ମୃତ୍ୟୁ ଦେଖିବା, ଅଗ୍ନିଦାହ ଦେଖିବା, ଘର ପୋଡ଼ିଯାଉଥିବା ଦେଖିବା, ରାଜ୍ୟ ଚିହ୍ନ ବା ଛତ୍ର, ଚାମର, ସିଂହାସନ ଆଦି ପ୍ରାପ୍ତ କରିବା, ବୀଣା ନାମକ ବାଦ୍ୟଯନ୍ତ୍ରକୁ ପ୍ରଣାମ କରିବା, ପାଣିରେ ପହଁରିବା, ଦୁର୍ଲଂଘ୍ୟ ପଦାର୍ଥ (ପାହାଡ଼ ପ୍ରଭୃତି)କୁ ଲଂଘିବା ଶୁଭସୂଚକ ହୋଇଥାଏ। ହାତୀ, ଘୋଡ଼ୀ ବା ଗାଈ ନିଜ ଘରେ ପ୍ରସବ କରିବା, ଘୋଡ଼ା ଉପରେ ଚଢ଼ିବା ତଥା ସ୍ବପ୍ନରେ କ୍ରନ୍ଦନ କରିବା ଶୁଭସୂଚକ। ଶୁଭ ସ୍ତ୍ରୀମାନଙ୍କୁ ପ୍ରାପ୍ତ କରିବା କିମ୍ବା ସେମାନଙ୍କୁ ଆଲିଙ୍ଗନ କରିବା, ନିଗଡ଼ ବା ବେକରୁ ଗୋଡ଼ ପର୍ଯ୍ୟନ୍ତ ଲୁହା ଜଂଜିରରେ ବନ୍ଧା ହେବା ଏବଂ ସାରା ଶରୀରରେ ବିଷ୍ଠା ବୋଳାହେବା ଦେଖିବା ଅତ୍ୟନ୍ତ ଶୁଭଦାୟକ ସ୍ବପ୍ନ ହୋଇଥାଏ।

ସ୍ବପ୍ନରେ ଜୀବିତ ରାଜା ବା ଜୀବିତ ମିତ୍ରମାନଙ୍କୁ ଦର୍ଶନ କରିବା, ଦେବତାମାନଙ୍କୁ ଦର୍ଶନ କରିବା, ନିର୍ମଳ ଜଳାଶୟକୁ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହିସବୁ ଶୁଭସ୍ବପ୍ନ ଦେଖିଲେ ମନୁଷ୍ୟ ନିଶ୍ଚିତ ରୂପେ ବିନା ପ୍ରୟାସରେ ଧନଲାଭ କରିଥାଏ। ଏହି ଶୁଭ ସ୍ବପ୍ନ ଦେଖିଲେ ଧାର୍ମିକ ଓ ବରିଷ୍ଠ ବ୍ୟକ୍ତି ନିଶ୍ଚିତ ଶୁଭଫଳ ପାଇଥାଏ। ଅପରପକ୍ଷେ ରୋଗୀ ବ୍ୟକ୍ତି ଏପରି ଶୁଭସ୍ବପ୍ନ ଦେଖିଲେ ରୋଗରୁ ମୁକ୍ତ ହୋଇଥାଏ ବୋଲି ମତ୍ସ୍ୟପୁରାଣରେ ଭଗବାନ୍ ମତ୍ସ୍ୟ ମନୁଙ୍କୁ କହିଛନ୍ତି।