ଭାରତ ହେବ ବିଶ୍ବର ଚତୁର୍ଥ ବଡ଼ ମହାଶକ୍ତି। ଆମେରିକା, ଚୀନ୍ ଓ ଜାପାନ ପରେ ସବୁଠୁ ଶକ୍ତିଶାଳୀ ଦେଶ ଭାବେ ଉଭା ହେବ। ସେଥିପାଇଁ ୨୦୨୪-୨୫ ସୁଦ୍ଧା ଦେଶକୁ ୫ ଲକ୍ଷ କୋଟି ଡଲାର ( ୫ ଟ୍ରିଲିୟନ) ଅର୍ଥନୀତିରେ ରୂପାନ୍ତରିତ କରିବାକୁ ପଡ଼ିବ। ୨୦୧୮ ଜାନୁଆରି ୨୩ରେ ସୁଦୂର ସ୍ବିଜରଲ୍ୟାଣ୍ଡ୍ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସ୍ବପ୍ନ ଦେଖାଇଥିଲେ। ବିଶ୍ବ ଅର୍ଥନୈତିକ ସମ୍ମିଳନୀରେ ତାଙ୍କର ସେଦିନର ଉଦ୍ବୋଧନ ଦେଶବାସୀଙ୍କୁ ରୋମାଂଚିତ କରିଥିଲା। ଏହି ଲକ୍ଷ୍ୟ ଶୁଣିବାକୁ ଯେତିକି ରୁଚିକର ଲାଗୁଛି, ହାସଲ କରିବା କିନ୍ତୁ ସେତେ ସହଜ ନୁହେଁ। ଅର୍ଥନୀତି ବିଶାରଦଙ୍କ ଠାରୁ ଆରମ୍ଭ କରି ନୀତି ନିର୍ଧାରକମାନେ ଏହାକୁ ଭଲ ଭାବେ ଜାଣିଛନ୍ତି। ଏହି ଘୋଷଣା ହେବା ବେଳକୁ ଭାରତର ଅର୍ଥନୀତିର ଗତି ମନ୍ଥର ହେବା ଆରମ୍ଭ ହୋଇସାରିଥିଲା। କର୍ପୋରେଟ୍ରେ କାର୍ଯ୍ୟ କରିବା ଶୈଳୀ ଭଳି ଏକ ବୃହତ ଲକ୍ଷ୍ୟ ଧାର୍ଯ୍ୟ କରି ତାହାକୁ ହାସଲ କରିବା ଲାଗି ସମସ୍ତ କଳକୌଶଳକୁ ବ୍ୟବହାର କରିବାର କଳା ବୋଧହୁଏ ପ୍ରଧାନମନ୍ତ୍ରୀଙ୍କ ପାଖରେ ରହିଛି। ସେଥିପାଇଁ ବ୍ୟବସ୍ଥାର ପ୍ରତିଟି କ୍ଷେତ୍ର ଏହି ଲକ୍ଷ୍ୟ ହାସଲ କରିବା ଲାଗି ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ। ବିଶ୍ବର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ମାନ୍ୟତା ହାସଲ କରିଥିବା ଭାରତ ଏହି ଲକ୍ଷ୍ୟ ପଥରେ ଅଗ୍ରସର ହେଉଥିବା ବେଳେ ୨୦୨୦ ସବୁଠୁ ବଡ଼ କ୍ଷତ ସୃଷ୍ଟି କରିଛି। କରୋନା ମହାମାରୀ ମୁକାବିଲା ଲାଗି ଘୋଷଣା କରାଯାଇଥିଲା ଲକ୍ଡାଉନ୍ର ପ୍ରଭାବ ଆଗାମୀ କେତେ ବର୍ଷ ପର୍ଯ୍ୟନ୍ତ ରହିବ ତାହାର ସଠିକ୍ ଆକଳନ କେହି କରିପାରୁନାହାନ୍ତି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସ (ଏପ୍ରିଲ୍-ଜୁନ୍)ରେ ୨୩.୯% ଭଳି ବଡ଼ ଧରଣର ହ୍ରାସ ପରେ ଏହାର ପରର୍ବତୀ ତିନି ମାସ ଅର୍ଥାତ ଜୁଲାଇ-ସେପ୍ଟେମ୍ବରରେ ଅର୍ଥନୀତି ବଡ଼ ଲମ୍ଫ ପ୍ରଦାନ କରି ଯେଉଁଭଳି ଭାବେ ପ୍ରତ୍ୟାବର୍ତନ କରିଛି ତାହା ସମସ୍ତଙ୍କୁ ବିସ୍ମିତ କରିଛି।
ନିର୍ଧାରିତ ସମୟ ଭିତରେ ୫ ଟ୍ରିଲିଅନ ଡଲାର ଅର୍ଥନୀତିର ଲକ୍ଷ୍ୟ ହାସଲ କରିବା ଲାଗି ବାର୍ଷିକ ୮ ପ୍ରତିଶତ ଅଭିବୃଦ୍ଧି ଦରକାର ହେଉଛି। ଆଶ୍ଚର୍ଯ୍ୟର ବିଷୟ ଏହା ଯେ ଯେବେଠାରୁ ଏହି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତା' ପରଠାରୁ ଅର୍ଥନୀତି କ୍ରମାଗତ ଭାବେ ତଳକୁ ତଳ ହ୍ରାସ ପାଇ ବିଯୁକ୍ତରେ ପହଞ୍ଚିଯାଇଛି। ଯେଉଁ ଦେଶର ଅଭିବୃଦ୍ଧି ୨୦୧୦ରେ ୧୦ ପ୍ରତିଶତରୁ ଅଧିକ ଥିଲା ତାହା ଏବେ ବିଯୁକ୍ତ ୧୦ ପ୍ରତିଶତ ସ୍ତରରେ ରହିଛି। ୨୦୧୯-୨୦ରେ ଭାରତ ଥିଲା ବିଶ୍ବର ପଞ୍ଚମ ବଡ଼ ଅର୍ଥନୀତି ଯାହାର ମୂଲ୍ୟ ଥିଲା ୩ ଲକ୍ଷ କୋଟି ଡଲାର। ୨୦୨୦-୨୧ରେ ତାହା ବୃଦ୍ଧି ପାଇବା ବଦଳରେ ଲକ୍ଡାଉନ୍ ଜନିତ ପ୍ରଭାବ ଯୋଗୁଁ ଆହୁରି ହ୍ରାସ ପାଇବ। ଜିଡିପି କେତେ କ୍ଷତିଗ୍ରସ୍ତ ହୋଇଛି ତାହାର ସରକାରୀ ତଥ୍ୟ ପାଇବା ଲାଗି ଆହୁରି କିଛି ମାସ ଅପେକ୍ଷା କରିବାକୁ ପଡ଼ିବ। କିନ୍ତୁ ଏହିଠାରୁ ୫ ଲକ୍ଷ ଟ୍ରିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚିବା ନିଶ୍ଚିତ ରୂପେ ଯେ ଏକ ପାହାଡ଼ ଭଳି କାର୍ଯ୍ୟ ତାହା ସ୍ବୀକାର କରିବାକୁ ପଡ଼ିବ।
୨୦୨୦ ମାର୍ଚ୍ଚ ପରେ ମାସାଧିକ କାଳ ଲକ୍ଡାଉନ୍ ଯୋଗୁଁ ଅର୍ଥନୈତିକ କାର୍ଯ୍ୟକଳାପ ଠପ୍ ହୋଇଯାଇଥିଲା। ଏହା ପରେ ଆରମ୍ଭ ହୋଇଥିଲା ଅନ୍ଲକ୍ ପ୍ରକ୍ରିୟା। ଧୀରେ ଧୀରେ ସ୍ଥିତି ସ୍ବାଭାବିକ ହେଉଥିବା ବେଳେ ଜୁନ୍ ୧୫ରେ ଭାରତ ଓ ଚୀନ୍ ସେନା ମଧ୍ୟରେ ଲଦାଖ୍ର ଗଲ୍ୱାନ୍ ଘାଟିରେ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହେବା ପରେ ବ୍ୟବସାୟ ଜଗତକୁ ଏକ ବଡ଼ ଝଟ୍କା ଲାଗିଥିଲା। କାରଣ ଦେଶ ଆବଶ୍ୟକତାର ଏକ ନିର୍ଦିଷ୍ଟ ଭାଗ ଚୀନ୍ ଜରିଆରେ ପୂରଣ ହେଉଥିଲା। ଚୀନ୍ ସାମଗ୍ରୀ ବର୍ଜନ ଦାବି ଜୋର ଧରିବା ପରେ ସରକାର ଘୋଷଣା କରିଥିଲେ ଆତ୍ମନିର୍ଭର ପ୍ୟାକେଜ୍। ଅର୍ଥାତ ଅନେକ କ୍ଷେତ୍ରରେ ଭାରତ ନିଜେ ସ୍ବାବଲମ୍ବୀ ହେବ। ନିଜର ଆବଶ୍ୟକତା ନିଜେ ପୂରଣ କରିବା ପରେ ବିଶ୍ବ ଆବଶ୍ୟକ ପୂରଣ କରିବା ଲାଗି ମଧ୍ୟ ଉଦ୍ୟମ କରିବ। ଗୋଟିଏ ପଟେ ମହାମାରୀ ପ୍ରଭାବରେ ଦେଶରେ ବେକାରୀ ଓ ପୁଷ୍ଟିହୀନତା ସମସ୍ୟା ବଢ଼ିଥିବା ବେଳେ ସ୍ଥିତିରେ ସୁଧାର ଆଣିବା ଲାଗି ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ସମ୍ବଳ ନାହିଁ। ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ଆଦାୟ କିଛି ମାସ ପର୍ଯ୍ୟନ୍ତ ନିମ୍ନ ସ୍ତରରେ ରହିବା ପରେ ନଭେମ୍ବର ଆଡ଼କୁ ଏକ ଲକ୍ଷ କୋଟି ଟଙ୍କା ପାଖାପାଖି ପହଞ୍ଚିଛି। ଭାରତକୁ ଏକ ମାନୁଫାକ୍ଚରିଂ ହବ୍ରେ ପରିଣତ କରିବା ଲାଗି ପରଫରମାନ୍ସ ଲିଙ୍କଡ୍ ଇନ୍ସେଂଟିଭ୍ (ପିଏଲ୍ଆଇ) ସ୍କିମ୍ ଘୋଷଣା କରି ତାହା ମାଧ୍ୟରେ ପୁଞ୍ଜିନିବେଶ ଯୋଗାଡ଼ କରିବାକୁ ପ୍ରୟାସ ଜାରି ରହିଛି। ଏହି ସ୍କିମ୍ କେତେ ସଫଳ ହେବ ତାହା ଆଗାମୀ ଦିନରେ ଜଣାପଡ଼ିବ।
୨୦୨୦ ଆଉ କିଛି ଦିନ ପରେ ଶେଷ ହେବ। ଏବେ ମନକୁ କେତେକ ପ୍ରଶ୍ନ ଆସୁଛି। ଆଗୁଆ ଲକ୍ଡାଉନ୍ ଘୋଷଣା କରି ସରକାର ଅର୍ଥନୀତିକୁ ବିଗାଡ଼ି ଦେଇଛନ୍ତି କି? ମହାମାରୀର ପ୍ରଭାବକୁ ପ୍ରତିହତ କରିବା ଲାଗି ସରକାର ଯେଉଁ ସବୁ ପଦକ୍ଷେପ ନେଇଛନ୍ତି ତାହା କ'ଣ ଯଥେଷ୍ଟ? ସତରେ କ'ଣ ଭାରତ ସବୁ କ୍ଷେତ୍ରରେ ଆତ୍ମନିର୍ଭର ହୋଇପାରିବ? ଚୀନ୍ ଭଳି କ'ଣ ଏହା ବିଶ୍ବର କାରଖାନା ହୋଇପାରିବ? ଏହି ସବୁ ପ୍ରଶ୍ନ ଯେତିକି ଜଟିଳ ତାହାର ଉତ୍ତର ଖୋଜିବା ମଧ୍ୟ ସେତିକି କଷ୍ଟକର। ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କ ଠାରୁ ଆରମ୍ଭ କରି ନୋବେଲ୍ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀଙ୍କ ପର୍ଯ୍ୟନ୍ତ ସମସ୍ତେ ବ୍ୟୟ ବଢ଼ାଇବା ଲାଗି ସରକାରଙ୍କୁ ଆହ୍ବାନ ଦେଇଥିଲେ। ସରକାରଙ୍କ କିନ୍ତୁ ପ୍ରୋତ୍ସାହନ ପ୍ୟାକେଜ୍କୁ ଜିଡିପିର ୨-୨.୫% ଭିତରେ ରଖିବାକୁ ଉଚିତ ମଣିଥିଲେ। ୨୦୨୧ ଯେ ୨୦୨୦ ତୁଳନାରେ ନିଶ୍ଚିତ ଉନ୍ନତ ରହିବ ସେଥିରେ କୌଣସି ସନ୍ଦେହ ନାହିଁ। ମାତ୍ର ସରକାର ଯେଉଁ ୫ ଲକ୍ଷ କୋଟି ଡଲାରର ବୃହତ ସ୍ବପ୍ନ ଦେଖିଛନ୍ତି ତାହା ପଛରେ ଦୌଡ଼ିବାକୁ ହେଲେ ଆହୁରି ବଡ଼ ଧରଣର ଅନେକ ସଂସ୍କାର ଆଣିବାକୁ ପଡ଼ିବ। ଆତ୍ମନିର୍ଭର ହେବା ପଥରେ ଯେଉଁ ସବୁ କଣ୍ଟା ରହିଛି ତାହା ହଟାଇବାକୁ ପଡ଼ିବ। ନିବେଶକମାନଙ୍କ ମନରେ ଭାରତର ଯେଉଁ ଛବି ରହିଛି ତାହା ମାର୍ଜିତ କରିବାକୁ ହେବ। ଜମି ଅଧିଗ୍ରହଣ ସମସ୍ୟା ଦୂର କରିବାକୁ ପଡ଼ିବ। ତାହା ହେଲେ ଏହି ବୃହତ ଲକ୍ଷ୍ୟ ହାସଲ ହୋଇପାରିବ।