ତରୁଣ ବୟସରେ ଲୋକମାନେ ପ୍ରେମିକ-ପ୍ରେମିକାକୁ କିମ୍ବା ନିଜର ସମ୍ଭାବ୍ୟ ସଫଳତା ସମ୍ବନ୍ଧୀୟ ବିଷୟକୁ ସ୍ବପ୍ନରେ ଦେଖିବାକୁ ଭଲପାଆନ୍ତି। କିନ୍ତୁ ପରିଣତ ବୟସରେ ଏବଂ ଯେଉଁମାନଙ୍କର ଗୁରୁ ଓ ଦେବତାଙ୍କ ପ୍ରତି ଭକ୍ତି ଥାଏ, ସେମାନେ ତଦ୍‌ବିଷୟକ ସ୍ବପ୍ନ ଦେଖିବାକୁ ଭଲ ପାଆନ୍ତି। ଦୁଃସ୍ବପ୍ନ ଦେଖିବାକୁ କେହି ଚାହାନ୍ତି ନାହିଁ। ଆମ ଶାସ୍ତ୍ରରେ ଅଭୀଷ୍ଟ ଦୈବିକ ସ୍ବପ୍ନ ଦେଖିବା ଏବଂ ଦୁଃସ୍ବପ୍ନ ନିବାରଣ ପାଇଁ ମନ୍ତ୍ର ଓ ସାଧନାର ବ୍ୟବସ୍ଥା ରହିଛି। ରୋଗ ଓ ସୂକ୍ଷ୍ମ ଆତ୍ମାମାନଙ୍କ ଦୁଷ୍ପ୍ରଭାବ ହେତୁ ଉତ୍ପନ୍ନ ଦୁଃସ୍ବପ୍ନ ନିବାରଣ ପାଇଁ ବେଦରେ ମଧ୍ୟ ମନ୍ତ୍ର ଦିଆଯାଇଛି। ପରେ ଆମେ ଏ ବିଷୟରେ ଆଲୋଚନା କରିବା। ତେବେ ଏହିସବୁ ଉପାୟକୁ ଦେଖିଲେ ମନେହୁଏ ଭାରତୀୟ ଋଷିମାନେ ସ୍ବପ୍ନକୁ ଅଳିକ ନୁହେଁ ବରଂ ମନୁଷ୍ୟର ଜନ୍ମାନ୍ତରାର୍ଜିତ ପୁଣ୍ୟ-ପାପର ସୂଚକ ତତ୍ତ୍ବ ବୋଲି ଗ୍ରହଣ କରିଛନ୍ତି।

Advertisment

ସ୍ବପ୍ନବିଦ୍ୟାରେ ତାତ୍କାଳିକ ବା ଶୀଘ୍ର ଆସୁଥିବା ମୃତ୍ୟୁର ଲକ୍ଷଣ ବି ଦିଆଯାଇଛି। ସୁତରାଂ ଅପମୃତ୍ୟୁର ସୂଚକ ଲକ୍ଷଣ, ତାହା ଯେଉଁ କାରଣରୁ ଉତ୍ପନ୍ନ ହେଉ ନା କାହିଁକି, ସ୍ବପ୍ନର ପରିଧି ଭିତରେ ଆସୁଛି। ଦୁଃସ୍ବପ୍ନ, ଦୁଃସ୍ବପ୍ନ ନିବାରଣ ଓ ଆସନ୍ନ ମୃତ୍ୟୁର ଲକ୍ଷଣ ସ୍ବପ୍ନବିଦ୍ୟାର ବିଷୟ ଭିତରେ ଆସୁଛି। ବିଭିନ୍ନ ରୋଗର କାରଣ ଓ ନିବାରଣ କିପରି ସ୍ବପ୍ନ ଦ୍ବାରା କରାଯାଏ ତାହା ଆମେ ପରେ ଚରକ ସଂହିତାରୁ ଆଲୋଚନା କରିବା।

କେତେକ ପ୍ରକାର ସ୍ବପ୍ନର ବ୍ୟାଖ୍ୟା ତାହାର ପ୍ରକୃତି ଅନୁସାରେ କରାଯାଇଥାଏ, ଯେପରି ସବୁ ପ୍ରକାର ଧଳା ରଙ୍ଗର ବସ୍ତୁ ସ୍ବପ୍ନରେ ଦେଖିବା ଶୁଭ- କେବଳ କପା, ଭସ୍ମ, ଭାତ ଓ ଘୋଳଦହିକୁ ଛାଡ଼ି। ସେହିପରି ସବୁ ପ୍ରକାର କଳା ବସ୍ତୁ ସ୍ବପ୍ନରେ ଦେଖିବା ଅଶୁଭ- କେବଳ ଗାଈ, ହାତୀ, ଦେବତା, ବ୍ରାହ୍ମଣ ଓ ଘୋଡ଼ାକୁ ଛାଡ଼ି। ସଂସାରରେ ଯେତେ ପ୍ରକାର ଶୁଭ ପଦାର୍ଥ ଅଛି, ତାକୁ ସ୍ବପ୍ନରେ ଦେଖିଲେ ଯେ ଶୁଭଫଳ ମିଳିବ ତା’ର କୌଣସି ମାନେ ନାହିଁ। ସେହିପରି ସଂସାରରେ ଯେତେ ଅଶୁଭ ପଦାର୍ଥ ଅଛି, ସ୍ବପ୍ନରେ ଦେଖିଲେ ତାହା କେତେକ ବ୍ୟତିକ୍ରମକୁ ଛାଡ଼ି ପ୍ରାୟଶଃ ଶୁଭଫଳ ଦେବାର ଦେଖାଯାଏ।

ସ୍ବପ୍ନବିଦ୍ୟାକାର କାମେଶ୍ବର ଉପାଧ୍ୟାୟ ତାଙ୍କ ଅନୁଭୂତିରୁ ଲେଖିଛନ୍ତି- ଚିତାରେ ଜଣେ ଲୋକର ଶବ ପୋଡ଼ା ହେଉଥିବାର ଦେଖିଲେ ସ୍ବପ୍ନଦ୍ରଷ୍ଟା ଅାକସ୍ମିକ ବିପଦରେ ପଡ଼ନ୍ତି। ଜଣେ ବ୍ୟକ୍ତି ଏପରି ସ୍ବପ୍ନ ଦେଖିବା ପରେ ବିପଦରେ ପଡ଼ିଲେ, ଯେଉଁଥିରୁ ରକ୍ଷା ପାଇବା ପାଇଁ ତାଙ୍କୁ ତିନିବର୍ଷ ଶତାକ୍ଷରା ଗାୟତ୍ରୀ ଓ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବାକୁ ପଡ଼ିଲା।

ଜଣେ ପ୍ରଶାସନିକ ଅଧିକାରୀ ସ୍ବପ୍ନରେ ଦେଖିଲେ ତାଙ୍କ ଘରୁ ଗାଈ ବାଛୁରି ସହିତ ବାହାରି ଚାଲିଗଲା। ସେହିଦିନଠାରୁ ତାଙ୍କ ଘରୁ ଯେପରି ଲକ୍ଷ୍ମୀ ଚାଲିଗଲା। ଚାକିରି ଯିବା ସହ ସେ ଗୁରୁତର ଆର୍ଥିକ ଅଭାବଗ୍ରସ୍ତ ହୋଇଗଲେ।

ଜଣେ ମହିଳା ସ୍ବପ୍ନରେ ଦେଖିଲେ ଜଣେ ଗେରୁଆ ବସ୍ତ୍ରଧାରୀ ବାବା ତାଙ୍କୁ ଦୁଇଟି ଫଳ ଦେଉଛନ୍ତି। ପରେ ମହିଳାଜଣକ ଦୁଇ ଯାଆଁଳା ପୁଅଙ୍କୁ ଜନ୍ମ ଦେଲେ। ଆଉ ଜଣେ ମହିଳା କନ୍ୟାପ୍ରାପ୍ତି ପାଇଁ ମା ଭଗବତୀଙ୍କ ଆରାଧନା କରୁଥିଲେ। ଦିନେ ସ୍ବପ୍ନରେ ଦେଖିଲେ ମାଆ ତାଙ୍କୁ ଏକ ଦିବ୍ୟ ନାରୀ ରୂପରେ ଦର୍ଶନ ଦେଇ ହସୁଛନ୍ତି। ଏହାପରେ ମହିଳାଙ୍କର ଏକ କନ୍ୟାରତ୍ନ ପ୍ରାପ୍ତି ହେଲା।

ଜଣେ ପରିଚିତ ବ୍ୟକ୍ତି ସ୍ବପ୍ନରେ ଦେଖିଲେ ଜିଭ ଲହଲହ କରି ରାଗିକରି ଏକ ସାପ ତାଙ୍କ ଆଡ଼କୁ ଚାହିଁଛି। କିଛିଦିନ ପରେ ସେ ଗୁରୁତର ରୋଗରେ ପଡ଼ିଲେ। ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ସେ ସେଥିରୁ ରକ୍ଷା ପାଇଲେ।

ଜଣେ ବୃଦ୍ଧଙ୍କୁ ସ୍ବପ୍ନରେ ବାରମ୍ବାର ଅନେକ ଋଷି ଦେଖାଦେଉଥିଲେ। ବୃଦ୍ଧଜଣକ କହିଲେ ଆଗାମୀ ଏକାଦଶୀରେ ମୋର ମୃତ୍ୟୁ ହେବ- ଠିକ୍ ସେହି ତିଥିରେ ହିଁ ତାଙ୍କର ମୃତ୍ୟୁ ହେଲା।