ଏହି ସ୍ତମ୍ଭର ପୂର୍ବ ଦୁଇ ଅଧ୍ୟାୟରେ ଆମେ ବୃହସ୍ପତିଙ୍କ ‘ସ୍ବପ୍ନାଧ୍ୟାୟ’ ଗ୍ରନ୍ଥରେ ସନ୍ନିବେଶିତ ତଥ୍ୟକୁ ଆଧାର କରି ଆଲୋଚନା କରିଥିଲୁ। ଏଥର ମଧ୍ୟ ‘ସ୍ବପ୍ନାଧ୍ୟାୟ’କୁ ନେଇ ଆଲୋଚନା କରୁଛୁ। ମୁଖ୍ୟତଃ  କେଉଁ ସ୍ବପ୍ନ ଦେଖିଲେ କିଭଳି ଫଳ ମିଳିବାର ସମ୍ଭାବନା ରହିଛି, ତାହା ବର୍ଣ୍ଣନା କରାଯାଇଛି।

Advertisment

ଦୋଳଗୋବିନ୍ଦ ପଣ୍ଡା

ଯେଉଁ ବ୍ୟକ୍ତି ସ୍ବପ୍ନରେ ରାଜା, ହାତୀ, ଘୋଡ଼ା, ସ୍ବର୍ଣ୍ଣ, ବଳଦ ତଥା ଗାଈ ଦେଖେ ତାହାର କୁଟୁମ୍ବ ବୃଦ୍ଧି ଘଟେ। 
 ସ୍ବପ୍ନରେ ରାଜମହଲ, ପର୍ବତ ଶିଖର, ବୃକ୍ଷର ଅଗ୍ରଭାଗ ତଥା ବନସ୍ପତିଗୁଡ଼ିକୁ ଦେଖିବା, ଶରୀରରେ ବିଷ୍ଠା ବୋଳିହେବା, କାନ୍ଦିବା, ନିଜକୁ ମୃତ ଦେଖିବା, ଅଗମ୍ୟା ସ୍ତ୍ରୀ ସମ୍ଭୋଗ କରିବା ଅତ୍ୟନ୍ତ ଶୁଭଫଳଦାୟୀ ହୋଇଥାଏ। 
 ସ୍ବପ୍ନରେ ଦୁଗ୍ଧବୃକ୍ଷ, ଫଳବୃକ୍ଷ ଉପରେ ଏକାକୀ ଚଢ଼ି ସେହି ସମୟରେ ଜାଗିଉଠିଲେ ତତ୍କାଳ ଧନଲାଭ ହୋଇଥାଏ। 
 ସ୍ବପ୍ନରେ ଯେଉଁ ପୁରୁଷକୁ ଶ୍ବେତସର୍ପ ଡାହାଣ ହାତକୁ ଦଂଶନ କରେ ସେ ଦଶଦିନ ଭିତରେ ହଜାର ସ୍ବର୍ଣ୍ଣମୁଦ୍ରା (ବିପୁଳ ଧନ) ଲାଭକରେ। 
 ସ୍ବପ୍ନରେ ଯେଉଁ ବ୍ୟକ୍ତିକୁ ସର୍ପ ବା ବିଛା ପାଣି ଭିତରେ କାମୁଡ଼େ, ତା’ର ବିଜୟ ଓ ଧନପ୍ରାପ୍ତି ତଥା ପୁତ୍ରପ୍ରାପ୍ତି ହୁଏ। 
 ସ୍ବପ୍ନରେ ଯିଏ ରାଜମହଲ ଓ ପର୍ବତ ଉପରେ ଚଢ଼ି ସମୁଦ୍ରକୁ ପାରି ହୋଇ ଯାଇଥାଏ, ସେ ଦାସକୁଳରେ ଜନ୍ମ ହେଲେ ବି ରାଜା ହୋଇଥାଏ, ଏହା ନିଶ୍ଚିତ। 
 ଯେଉଁ ବ୍ୟକ୍ତି ସ୍ବପ୍ନରେ ପୁଷ୍କରିଣୀ ମଧ୍ୟରେ ପଦ୍ମର ଅଖଣ୍ଡପତ୍ର ଉପରେ ଘୃତ ଓ ପାୟସ ଭୋଜନ କରେ ସେ ଭବିଷ୍ୟତରେ ରାଜ୍ୟ (ଉଚ୍ଚପଦ) ଲାଭ କରିବ। 
 ସ୍ବପ୍ନରେ ଯିଏ ବଗୁଲୀ ବା କୁକ୍କୁଟୀ ଦେଖି ଉଠିପଡ଼େ ସେ କୁଳୀନ ଓ ପ୍ରିୟବାଦିନୀ ପତ୍ନୀ ଲାଭ କରେ। 
 ସ୍ବପ୍ନରେ ଯିଏ ନିଜକୁ ଜଂଜିରରେ ବନ୍ଧା ହୋଇଥିବା ଦେଖେ ବା ନିଜର ଦୁଇହାତ ବନ୍ଧା ହୋଇଥିବା ଦେଖେ ‌ତାକୁ ପୁତ୍ର ବା ଧନ ପ୍ରାପ୍ତି ହୁଏ। 
 ସ୍ବପ୍ନରେ ଯିଏ ନିଜ ଆସନ, ଗଦି (ବିଛଣା), ଗାଡ଼ି, ଶରୀର ଓ ଘର ଜଳୁଥିବା ଦେଖେ ତାକୁ ଚାରିଆଡୁ ଲକ୍ଷ୍ମୀ ମିଳନ୍ତି। 
 ସ୍ବପ୍ନରେ ଯେଉଁ ବ୍ୟକ୍ତି ସୂର୍ଯ୍ୟ ବା ଚନ୍ଦ୍ର ମଣ୍ଡଳ ଦେଖେ ସେ ରୋଗ ମୁକ୍ତ ହୋଇଯାଏ ଏବଂ ନିରୋଗ ବ୍ୟକ୍ତି ଧନଲାଭ କରେ। 
 ସ୍ବପ୍ନରେ ଯେଉଁ ବ୍ୟକ୍ତି ରକ୍ତ ବା ମଦିରା ପାନ କରେ, ସେ ବ୍ରାହ୍ମଣ ହୋଇଥିଲେ ବିଦ୍ୟା ଓ ଅନ୍ୟ ବର୍ଣ୍ଣର ହୋଇଥିଲେ ଧନଲାଭ କରେ। 
 ସ୍ବପ୍ନରେ ଯେଉଁ ବ୍ୟକ୍ତି ଶ୍ବେତବସ୍ତ୍ର ଧାରଣ କରିଥିବା ଏବଂ ଶ୍ବେତଚନ୍ଦନ ଆଦି ଲେପ ଲଗାଇଥିବା ନାରୀ ସ୍ନାନ କରୁଥିବା ଦେଖେ ସେ ଧନ ଲାଭକରେ। 
 ସ୍ବପ୍ନରେ ଯେଉଁ ବ୍ୟକ୍ତି ଖଡ଼ଉ ଓ ଜୋତା ଦେଖେ ବା ଛତ୍ର ବା ସୁନ୍ଦର ଧାରୁଆ ଖଡ୍‌ଗ ଦେଖି ଜାଗିଉଠେ, ସେ ଉତ୍ତମ ଅନ୍ନ ଲାଭକରେ। 
 ସ୍ବପ୍ନରେ ଯେଉଁ ବ୍ୟକ୍ତି ଗାଈ ଓ ବଳଦ ଯୋତି ରଥରେ ଏକାକୀ ବସିବା ଦେଖେ ଏବଂ ବସିବା ପରେ ଜାଗିଉଠେ ସେ ଶୀଘ୍ର ଉତ୍ତମ ଧନ ଲାଭ କରେ। 
 ସ୍ବପ୍ନରେ ଯେଉଁ ବ୍ୟକ୍ତି ଦହି ପାଏ, ତାକୁ ଧନ ମିଳେ; ସ୍ବପ୍ନରେ ଘିଅ ପାଇବା ଲୋକକୁ ନିଶ୍ଚିତ ଭାବରେ ଯଶ ମିଳିଥାଏ। ମାତ୍ର ସ୍ବପ୍ନରେ ଘିଅ ଖାଇବା ଲୋକକୁ କ୍ଳେଶ ଓ ଦହି ଖାଇବା ଲୋକକୁ ଯଶ ମିଳିଥାଏ। 
 ସ୍ବପ୍ନରେ ଯେଉଁ ବ୍ୟକ୍ତି ନିଜକୁ ନଗର ବା ଘରେ ଅଗ୍ନି ଦ୍ବାରା ଘେରା ହୋଇଥିବା ଦେଖେ ସେ ରାଜା ବା ମଣ୍ଡଳାଧୀଶ୍ବର ହୁଏ।