ଆର୍ସେନିକ ମିଶ୍ରିତ ପାଣି ପିଇବା ଦ୍ବାରା ହେଉଛି ଗଲବ୍ଲାଡର କ୍ୟାନସର: ଅଧ୍ୟୟନ

ନୂଆଦିଲ୍ଲୀ: କର୍କଟ ରୋଗ ଏକ ମାରାତ୍ମକ ରୋଗ। ଏହାର ଶିକାର ହେଲେ ରୋଗୀଙ୍କ ବଞ୍ଚିବା ପ୍ରାୟ ଅସମ୍ଭବ ହୋଇପଡ଼ୁଥିବା ବେଳେ ଏ ପର୍ଯ୍ୟନ୍ତ ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଅବ୍ୟର୍ଥ ଔଷଧ ଆସିପାରିନାହିଁ। କେମୋଥେରାପି ମାଧ୍ୟମରେ ରୋଗୀର ଚିକିତ୍ସା କରାଯାଉଥିବା ବେଳେ ବର୍ଷକୁ ଅନେକ ଲୋକ ବିଭିନ୍ନ ପ୍ରକାରର କର୍କଟର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି। ଏ ମଧ୍ୟରେ ଏବେ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଆର୍ସେନିକ ମିଶ୍ରିତ ପାଣି ପିଇବା ଦ୍ବାରା ଲୋକେ ଗଲବ୍ଲାଡର କ୍ୟାନସରର ଶିକାର ହେଉଥିବା ଏକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି।

ଭାରତରେ ୧୦ପ୍ରତିଶତ ଲୋକ ଗଲବ୍ଲାଡର ( ପିତ୍ତକୋଷ) କ୍ୟାନସରର ଶିକାର ହେଉଥିବା ବେଳେ ଏହାର କାରଣ ଜାଣିବା ଲାଗି ଲଣ୍ଡନ ସ୍କୁଲ ଅଫ୍ ହାଇଜିନ୍ ଆଣ୍ଡ ଟ୍ରପିକାଲ୍ ମେଡିସିନ୍ ସହଯୋଗରେ ଭାରତର ଜନସ୍ୱାସ୍ଥ୍ୟ ଫାଉଣ୍ଡେସନ୍, ଦିଲ୍ଲୀର ସେଣ୍ଟର ଫର କ୍ରନିକ୍ ଡିଜିଜ୍, ଗୌହାଟୀର ବି ବରୁଆ କ୍ୟାନସର ଇନଷ୍ଟିଚ୍ୟୁଟ୍ ଏବଂ ଆଇଆଇଟି-ଖଡପୁରର ବୈଜ୍ଞାନିକମାନେ ଅଧ୍ୟୟନ କରିଥିଲେ।

ଆସାମ ଏବଂ ବିହାରର ବିଭିନ୍ନ ଭାଗରେ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଦୁଇ ବର୍ଷର ଅଧ୍ୟୟନରୁ ଜାଣିପାରିଛନ୍ତି ଯେ ଆର୍ସେନିକ୍ ମିଶ୍ରିତ ଜଳ ଦୀର୍ଘ ସମୟ ଧରି ପିଇବା ଦ୍ବାରା ଗଲବ୍ଲାଡର କ୍ୟାନସର ହେବାର ଆଶଙ୍କା ବଢ଼ିଥାଏ। ଆସାମ ଏବଂ ବିହାର ହେଉଛି ଦୁଇଟି ଭାରତୀୟ ରାଜ୍ୟ ଯେଉଁଠି ପିଇବା ପାଣିରେ ଅଧିକ ଆର୍ସେନିକ ଥିବା ଜଣାପଡ଼ିଛି। ଏହି ଦୁଇ ରାଜ୍ୟର ଲୋକେ କିଛି ବର୍ଷ ଧରି ଆର୍ସେନିକ୍ ମିଶ୍ରିତ ପାଣି ପିଉଥିବାରୁ ଏଠାରେ ଗଲବ୍ଲାଡର କ୍ୟାନସର ରୋଗୀଙ୍କ ସଂଖ୍ୟା ଅଧିକ ବୋଲି ଅଧ୍ୟୟନରୁ ଜଣାପଡ଼ିଛି।

ଅଧିକ ସମୟ ଧରି ଆର୍ସେନିକ୍ ମିଶ୍ରିତ ପାଣି ପିଇବା ଦ୍ବାରା ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ହେବାର ଆଶଙ୍କା ରହିଛି। ଆର୍ସେନିକ୍ ମିଶ୍ରିତ ପାଣି ପିଇଲେ ମଧୁମେହ, ହୃଦରୋଗ ଏବଂ ନ୍ୟୁରୋଟକ୍ସିସିଟି ହେବାର ଆଶଙ୍କା ରହିଛି। ଏହା ସହ ଗର୍ଭବତୀ ମହିଳାମାନଙ୍କର ପ୍ରସବ ସମୟରେ ସମସ୍ୟା ମଧ୍ୟ ଦେଖାଯାଇଥାଏ ବୋଲି ଅଧ୍ୟୟନରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର