ଆଜିକାଲି ଅଧିକାଂଶ ଚା ଦୋକାନରେ କାଗଜ କପ୍ର ବ୍ୟବହାର ବହୁଳ ଭାବରେ ହେଉଛି। ଥରଟିଏ ବ୍ୟବହାର କରି ଫିଙ୍ଗି ଦିଆଯାଉଥିବା ଏହି କାଗଜ କପ୍ରେ ଚା ଓ କଫି ଭଳି ଗରମ ପାନୀୟ ପିଇବା ସ୍ୱାସ୍ଥ୍ୟ ପାଇଁ ନିରାପଦ ନୁହେଁ। ଭବିଷ୍ୟତରେ ଏହା ଆମ ଶରୀରରେ ସୃଷ୍ଟି କରିପାରେ କର୍କଟ ରୋଗ! କାଗଜ କପ୍ରେ ଦୈନିକ ତିନି ଥର ଚା ପିଉଥିବା ବ୍ୟକ୍ତିର ଶରୀରରେ ୭୫,୦୦୦ ଅଣୁପ୍ଲାଷ୍ଟିକ୍ (ମାଇକ୍ରୋ ପ୍ଲାଷ୍ଟିକ୍) ଖଣ୍ଡ ପ୍ରବେଶ କରିଥାଏ। ଖଡ଼ଗପୁରସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଏକଥା ଜଣାପଡ଼ିଛି।
ଏହି ଆଇଆଇଟିର ଆସୋସିଏଟ୍ ପ୍ରଫେସର୍ ସୁଧା ଗୋଏଲ୍ କହନ୍ତି, ‘‘ଗରମ ପାନୀୟ ସକାଶେ ବ୍ୟବହୃତ ‘ୟୁଜ୍ ଆଣ୍ଡ୍ ଥ୍ରୋ’ କାଗଜ କପ୍ର ବିପଜ୍ଜନକ ପରିଣାମ ଉପରେ ଆମେ ଭଲ ଭାବେ ଅବଗତ ନୋହୁଁ। କାଗଜ କପ୍ର ଭିତର ପଟେ ପାଣି ନ ଲାଖିବା ପାଇଁ ରସାୟନର ଏକ ପତଳା ଆବରଣ ଦିଆଯାଇଥାଏ, ଯାହାକି ସାଧାରଣତଃ ପ୍ଲାଷ୍ଟିକ୍ ବା ପଲିମର୍ରୁ ତିଆରି ହୋଇଥାଏ। ଏହି ପରସ୍ତ ଯୋଗୁ କପ୍ରେ ପାନୀୟ ଢଳାଯିବା ପରେ କାଗଜ ଓଦା ହୁଏ ନାହିଁ ଏବଂ କପ୍ଟି ପାନୀୟକୁ ଧରି ରଖେ। ଗରମ ପାନୀୟ ଢଳାଯିବାର ମାତ୍ର ୧୫ ମିନିଟ୍ ମଧ୍ୟରେ ପ୍ଲାଷ୍ଟିକ୍ର ଏହି ପରସ୍ତ ପ୍ରତିକ୍ରିୟାଶୀଳ ହୋଇ କ୍ଷୟ ପାଇଥାଏ। ଏହି କ୍ଷୟିଷ୍ଣୁ ଅଂଶ ପାନୀୟକୁ ବିଷାକ୍ତ କରିଥାଏ।’’ ଏକ ରିପୋର୍ଟ ଅନୁସାରେ, କାଗଜ କପ୍ରେ ୮୫ରୁ ୯୦ ସେଣ୍ଟ୍ରିଗ୍ରେଡ୍ ପର୍ଯ୍ୟନ୍ତ ଉତ୍ତପ୍ତ ୧୦୦ ମିଲିଲିଟର ଗରମ ପାନୀୟ ଢାଳି ୧୫ ମିନିଟ୍ ପର୍ଯ୍ୟନ୍ତ ରଖାଗଲେ ସେଥିରେ ପ୍ରାୟ ୨୫,୦୦୦ ଖଣ୍ଡ ୧୦ରୁ ୧୦୦୦ ମାଇେକ୍ରାନ୍ (ଏକ ମିଲିମିଟର୍ର ୧୦୦୦ ଭାଗରୁ ଭାଗେ) ଆକାରର କ୍ଷୁଦ୍ର ପ୍ଲାଷ୍ଟିକ୍ ଖଣ୍ଡ ମିଶିଥାଏ। ତେଣୁ କାଗଜ କପ୍ରେ ଦୈନିକ ୩ କପ୍ ଚା ବା କଫି ପିଉଥିବା ବ୍ୟକ୍ତିର ଶରୀରରେ ପ୍ରାୟ ୭୫ ହଜାର ଖଣ୍ଡ ଅଣୁପ୍ଲାଷ୍ଟିକ୍ ପ୍ରବେଶ କରିଥାଏ। ଏହି ଅଣୁପ୍ଲାଷ୍ଟିକ୍ ସବୁ ଖାଲି ଆଖିରେ ଦେଖାଯାଏ ନାହିଁ। ଗବେଷକମାନେ ଦୁଇଟି ଭିନ୍ନ ଭିନ୍ନ ପ୍ରକ୍ରିୟା ଅବଲମ୍ବନ କରି ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି।
ଏହି ଗବେଷଣାରୁ ଜଣାପଡ଼ିଛି ଯେ ଗରମ ଚା ବା କଫିରେ ମିଶୁଥିବା ଅଣୁପ୍ଲାଷ୍ଟିକ୍ଗୁଡ଼ିକ ଆୟନ୍, ପାରୋଡିୟମ୍, କ୍ରୋମିୟମ୍ ଓ ପାଲାଡିୟମ୍ ପରି ବିଷାକ୍ତ ଭାରୀଧାତୁ ତଥା ଜୈବିକ ପଦାର୍ଥର ବାହକ ହୋଇପାରେ। ଏହିସବୁ ପଦାର୍ଥରେ ପାଣି ଲାଗୁ ନଥିବାରୁ ଏଗୁଡ଼ିକ ସହଜରେ ଜୀବଜଗତକୁ ମଧ୍ୟ ସଂକ୍ରମିତ ହୋଇପାରନ୍ତି। ଶରୀରରେ ଏସବୁ ପ୍ରବେଶ କରିବାର ସ୍ୱାସ୍ଥ୍ୟଗତ ପରିଣତି ବେଶ୍ କ୍ଷତିକାରକ ହୋଇପାରେ ବୋଲି ଅନ୍ୟତମ ଗବେଷକ ଡକ୍ଟର ଅନୁଜା ଜୋସେଫ୍ ମତପ୍ରକାଶ କରିଛନ୍ତି। ବୈଜ୍ଞାନିକ ଡକ୍ଟର ବୀରେନ୍ଦ୍ର କେ. ତିୱାରୀ କହିଛନ୍ତି, “ଆମ ପ୍ରତି ବିପଦ ସୃଷ୍ଟି କରୁଥିବା କାଗଜ କପ୍ ଭଳି ସାମଗ୍ରୀଗୁଡ଼ିକର ବିକଳ୍ପ ବାଛିବା ବେଳେ ଆମକୁ ଅତ୍ୟନ୍ତ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ପ୍ଲାଷ୍ଟିକ୍ କପ୍ ଓ ଗ୍ଲାସ୍ର ବିକଳ୍ପ ରୂପେ କାଗଜ କପ୍ ବାଛିବା ବେଳେ ଆମେମାନେ ଯଥେଷ୍ଟ ସାବଧାନତା ଅବଲମ୍ବନ କରୁନାହୁଁ। ଯଦି ଆମେ ଏ ଦିଗରେ ସଚେତନ ନ ହୋଇ ସତର୍କତା ଅବଲମ୍ବନ ନକରିବା ତେବେ ଆଗାମୀ ଦିନରେ କର୍କଟ ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହେବାର ନିଶ୍ଚିତ ଆଶଙ୍କାକୁ ଏଡ଼ାଇ ଦେଇହେବନି।’’