ଓଡ଼ିଶାର ସହରାଞ୍ଚଳରେ ପାଇପ୍ ଜଳ ଯୋଗାଣ, ‘୨୪x୭ ଜଳ ଯୋଗାଣ’, ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍’ ଇତ୍ୟାଦି ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମକୁ ନେଇ ପ୍ରସାର ଓ ହଟ୍ଟଚମଟ ଚାଲୁଥିବା ବେଳେ ଗ୍ରାମାଞ୍ଚଳର ପାନୀୟ ଜଳ ଯୋଗାଣ ସଂପର୍କରେ ବିଶେଷ ଆଲୋଚନା ହୁଏନାହିଁ। ଆମ ରାଜ୍ୟର ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ବେଶ୍ ଆହ୍ବାନମୂଳକ। ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ସକାଶେ ମୁଖ୍ୟତଃ ଭୂତଳ ଜଳ ଉପରେ ଅଧିକ ନିର୍ଭର କରାଯାଉଥିବାରୁ (କେଇବର୍ଷ ପୂର୍ବ ପର୍ଯ୍ୟନ୍ତ କେବଳ ସୀମିତ ସଂଖ୍ୟକ ଗଁାକୁ ପାଇପ୍ ଜଳ ଯୋଗାଇବାର ବ୍ୟବସ୍ଥା ଥିଲା) ଏ ବାବଦକୁ ବହୁ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼େ। ପ୍ରଥମତଃ, ଭୂତଳ ଜଳ ଉତ୍ତୋଳନ ପାଇଁ ବ୍ୟବହୃତ ହ୍ୟାଣ୍ଡ୍ ପମ୍ପର ରକ୍ଷଣାବେକ୍ଷଣ ଓ ମରାମତି ଠିକଣା ଭାବରେ କରାଯାଇ ପାରୁନଥିବାରୁ ଗ୍ରାମାଞ୍ଚଳର ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହୁଅନ୍ତି। ଖରାଦିନେ ଭୂତଳ ଜଳସ୍ତର ତଳକୁ ଖସିଯିବା ଫଳରେ ଅଧିକ ସଂଖ୍ୟକ ନଳକୂପ ଅକାମୀ ହୋଇ ଉତ୍କଟ ଜଳାଭାବର ସ୍ଥିତି ସୃଷ୍ଟି କରନ୍ତି। ଖରାଦିନ ଆସିଲେ ନଳକୂପ ଅଚଳ, ପିଇବା ପାଣିର ଉତ୍କଟ ଅଭାବ, ପିଇବା ପାଣି ପାଇଁ ଆନ୍ଦୋଳନ, ପାନୀୟ ଜଳ ପାଇଁ ଚୁଆ ଭରସା ଇତ୍ୟାଦି ସମ୍ବାଦରେ ଖବରକାଗଜର ପୃଷ୍ଠାସବୁ ଭର୍ତ୍ତି ହୋଇଯାଏ। ପ୍ରତିକାର ସ୍ବରୂପ ଖରାଦିନ ଆରମ୍ଭରେ ବହୁ ବର୍ଷ ଧରି ନିଆଯାଇ ଆସୁଥିବା ନିଷ୍ପତ୍ତିଗୁଡ଼ିକୁ ପୁଣିଥରେ ଦୋହରାଯାଏ- ୧୫ ଦିନ ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ସବୁ ନଳକୂପରେ ଅତିରିକ୍ତ ପାଇପ୍ ଖଞ୍ଜାଯିବ ଏବଂ ଜଳ ସଂକଟ ଥିବା ଗଁାଗୁଡ଼ିକୁ ଟ୍ୟାଙ୍କର୍ ଯୋଗେ ପିଇବା ପାଣି ଯୋଗା‌ଯିବ। ଏହି ନିଷ୍ପତ୍ତିଗୁଡ଼ିକ ମଧ୍ୟରୁ କିଛି ହାସଲ କରାଯାଏ ଏବଂ ମୌସୁମୀ ବର୍ଷା ପରେ ସମସ୍ୟାର ତାତି କମିଯାଏ। ପୁଣି ଆରବର୍ଷକୁ ସେହି କଥାର ପୁନରାବୃତ୍ତି। ଏ ସବୁ ପଛରେ ଲୁଚିଯାଏ ପାନୀୟ ଜଳଯୋଗାଣର ମୂଳ ସମସ୍ୟା।

Advertisment

ଓଡ଼ିଶାର ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ରହିଥିବା ସମସ୍ୟାଗୁଡ଼ିକ ମୁଖ୍ୟତଃ ତିନି ପ୍ରକାରର। ପାନୀୟ ଜଳର ଉପଲବ୍‌ଧତା, ପାନୀୟ ଜଳର ମାନ ସଂପର୍କିତ ସମସ୍ୟା ଏବଂ ପାନୀୟ ଜଳ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଓ ପରିଚାଳନା। ପାନୀୟ ଜଳ ଯୋଗାଣ ମୁଖ୍ୟତଃ ଭୂତଳ ଜଳ ଉପରେ ନିର୍ଭରଶୀଳ ଥିବାରୁ କମ୍ ବୃଷ୍ଟିପାତ, ଭୂତଳ ଜଳ ସଂରକ୍ଷିତ ‌େହାଇ ନ ପାରିବା, ଖରାଦିନେ ଭୂତଳ ଜଳସ୍ତର କମିଯିବା ଏବଂ ଅଞ୍ଚଳ ଭିତ୍ତିରେ କୃଷି ଓ ଶିଳ୍ପ ସକାଶେ ଭୂତଳ ଜଳର ଅତିରିକ୍ତ ଶୋଷଣ। ଖଣି ଆଖପାଖ ଅଞ୍ଚଳରେ ମଧ୍ୟ ଭୂତଳ ଜଳର ଅଭାବ ଦେଖାଦିଏ। କଳକାରଖାନା ବିପୁଳ ପରିମାଣର ଭୂତଳ ଜଳ ଶୋଷଣ କରିବା ଫଳରେ ଯାଜପୁରର କଳିଙ୍ଗ ନଗର ଅଞ୍ଚଳରେ ଭୂତଳ ଜଳର ଅଭାବ ଦେଖାଦେଇଛି। ସେହିପରି ବାଲେଶ୍ବରର ଭୋଗରାଇ, ଜଳେଶ୍ବର, ସଦର ବ୍ଲକ୍‌ଗୁଡ଼ିକ କୃଷି ପାଇଁ ଭୂତଳ ଜଳର ଶୋଷଣ ପାନୀୟ ଜଳ ଯୋଗାଣ ପାଇଁ ସମସ୍ୟା ସୃଷ୍ଟି କରିଛି। କୃଷି ବୋର୍‌ୱେଲ୍ ପାଇଁ ସବ୍‌ସିଡି ଏହି ସମସ୍ୟାକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରିପାରେ। ଛୋଟ ନଦୀ, ଝରଣାର ଭୂପୃଷ୍ଠ ଜଳ ଉପରେ ନିର୍ଭର କରି ପାଇପ୍ ଜଳ ଯୋଗାଣ ମଧ୍ୟ ନିର୍ଭରଯୋଗ୍ୟ ନୁହେଁ।
ଗ୍ରାମାଞ୍ଚଳରେ ନିରାପଦ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ସବୁଠାରୁ ବଡ଼ ସମସ୍ୟା ହେଉଛି ପାନୀୟ ଜଳର ମାନ।

ଭୂତାତ୍ତ୍ବିକ କାରଣରୁ ରାଜ୍ୟର ଭୂତଳ ଜଳରେ ଫ୍ଲୋରାଇଡ୍, ଲୌହ, ନାଇଟ୍ରେଟ୍, ଆର୍ସେନିକ୍ ଇତ୍ୟାଦି ରସାୟନ ରହିଥାଏ। ପାନୀୟ ଜଳରେ ଫ୍ଲୋରାଇଡ୍ ଅନୁମୋଦିତ ମାତ୍ରାଠାରୁ ଅଧିକ ପରିମାଣରେ ରହିଥିବା ଯୋଗୁଁ ଏହି ଜଳକୁ ନିୟମିତ ରୂପେ ବ୍ୟବହାର କରୁଥିବା ଲୋକମାନେ ଦାନ୍ତର ଫ୍ଲୋରୋସିସ୍, ଅସ୍ଥିକଙ୍କାଳର ଫ୍ଲୋରୋସିସ୍, ଚର୍ମରୋଗ, ଶିଶୁମାନଙ୍କର ଧୀଶକ୍ତି ହ୍ରାସ ପାଇବା ଇତ୍ୟାଦି ରୋଗ ହୋଇଥାଏ। ଫ୍ଲୋରାଇଡ୍ ଯୋଗୁଁ ହେଉଥିବା ରୋଗର କୌଣସି ଚିକିତ୍ସା ନାହିଁ। ଫ୍ଲୋରୋସିସ୍ ଯୋଗୁଁ ଆକ୍ରାନ୍ତମାନେ ଅକାଳ ବାର୍ଦ୍ଧକ୍ୟର ଶିକାର ହୋଇ ଶ୍ରମ କରି ଜୀବିକାର୍ଜନର କ୍ଷମତା ହରାଇ ଥାଆନ୍ତି। ନୂଆପଡ଼ା, ବଲାଙ୍ଗୀର, ଖୋର୍ଦ୍ଧା, ଅନୁଗୋଳ, ନୟାଗଡ଼, ବୌଦ୍ଧ ଇତ୍ୟାଦି ଜିଲ୍ଲାରେ ଫ୍ଲୋରାଇଡ୍ ପ୍ରଦୂଷଣର ମାତ୍ରା ଚିନ୍ତାଜନକ। ମାତ୍ର ଦୁର୍ଭାଗ୍ୟର ବିଷୟ, ଆମ ସରକାରମାନେ ଏହି ସମସ୍ୟାକୁ ଘୋଡ଼ାଇବାରେ ବ୍ୟସ୍ତ। ଏପରିକି ନିକଟରେ ଓଡ଼ିଶା ବିଧାନସଭାରେ ମଧ୍ୟ ଫ୍ଲୋରାଇଡ୍ ପ୍ରଦୂଷିତ ଜଳଉତ୍ସ ସଂପର୍କରେ ଅବିଶ୍ବସନୀୟ ଭାବେ ଖୁବ୍ କମ୍ ସଂଖ୍ୟା ଦର୍ଶାଯାଇଥିଲା।
ପାନୀୟ ଜଳରେ ଲୌହର ଲବଣ ମିଶିବା ଫଳରେ ପାଣି ପିଇବାକୁ ଭଲ ଲାଗେନାହିଁ। ଡାଲି ସିଝେ ନାହିଁ ଏବଂ ଭାତର ରଙ୍ଗ ହଳଦିଆ ହୋଇଯାଏ। ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଏହି ସମସ୍ୟା ଊଣାଅଧିକେ ରହିଛି। ଲୌହ ଯୋଗୁଁ ବଡ଼ଧରଣର ସ୍ବାସ୍ଥ୍ୟ ସମସ୍ୟାମାନ ଉପୁଜୁ ନଥିଲେ ମଧ୍ୟ ଲୋକେ ସ୍ବାଦ ଓ ରନ୍ଧାରନ୍ଧିରେ ସମସ୍ୟା ଯୋଗୁଁ ନଳକୂପର ନିରାପଦ ପାଣିକୁ ଛାଡ଼ି ପୋଖରୀ, ଗାଡ଼ିଆର ପାଣି ବ୍ୟବହାର କରି ଜୀବାଣୁଜନିତ ସଂକ୍ରମଣକୁ ଆମନ୍ତ୍ରଣ କରିଥା’ନ୍ତି। ଉପକୂଳ ଓଡ଼ିଶାରେ ନଳକୂପର ପାଣି କ୍ରମଶଃ ଲୁଣିଆ ହୋଇଯିବା ଅନ୍ୟ ଏକ ଜଳର ଗୁଣବତ୍ତା ସଂପର୍କିତ ସମସ୍ୟା। ପ୍ରାୟ ସମସ୍ତ ଉପକୂଳବର୍ତ୍ତୀ ବ୍ଲକ୍ ଓ ଜିଲ୍ଲା ଏହି ସମସ୍ୟାର ମୁକାବିଲା କରୁଛନ୍ତି। ଚଳିତବର୍ଷ ଯେଉଁ ନଳକୂପ ମଧୁର ପାଣି ଦେଉଛି, ତାହା ପରବର୍ଷକୁ ଲୁଣିଆ ହୋଇଯାଉଛି। ସମୁଦ୍ର ପତ୍ତନ ବୃଦ୍ଧି, ନଦୀରେ ସମୁଦ୍ରର ଲୁଣାପାଣି ବେଶୀ ଭିତରକୁ ମାଡ଼ିଆସିବା ଇତ୍ୟାଦି କାରଣ ଯୋଗୁଁ ଲୁଣାପାଣିର ଏହି ବିପଦ ଦିନକୁ ଦିନ ଅଧିକ କାୟା ବିସ୍ତାର କରିବାରେ ଲାଗିଛି।

ଗ୍ରାମାଞ୍ଚଳର ପାନୀୟ ଜଳର ସମସ୍ୟାଗୁଡ଼ିକର ମୁକାବିଲା ସକାଶେ ୨୦୧୯ ମସିହାରେ କେନ୍ଦ୍ରର ମୋଦୀ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଜଳଜୀବନ ମିସନ୍‌ ଏକ ବରଦାନ ସାବ୍ୟସ୍ତ ହୋଇଛି। ଜଳଜୀବନ ମିସନ୍‌‌ରେ ଗ୍ରାମାଞ୍ଚଳର ପ୍ରତ୍ୟେକଟି ଘରେ ପାଇପ୍ ଯୋଗେ ପିଇବା ପାଣି ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପମାନ ଆରମ୍ଭ କରାଯାଇଛି। କେନ୍ଦ୍ର ଓ ରାଜ୍ୟ ୫୦:୫୦ ଭାଗୀଦାରିରେ ରୂପାୟିତ ହେଉଥିବା ଏହି ‘ଘର୍ ଘର୍ ଜଲ୍’ କାର୍ଯ୍ୟକ୍ରମରେ ୨୦୨୪ ସୁଦ୍ଧା ରାଜ୍ୟର ପ୍ରତ୍ୟେକଟି ଘରେ ପାଇପ୍ ଜଳ ଯୋଗାଇବାର ବ୍ୟବସ୍ଥା କରାଯାଇଛି। ଗ୍ରାମ ସ୍ତରରେ ପାଇପ୍ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଛୋଟ ନଦୀ/ନାଳର ନିରନ୍ତର ପାଣି ଯୋଗାଇ ପାରିବାରେ ଅସାମର୍ଥ୍ୟ ଯୋଗୁଁ ଏକ ଅଞ୍ଚଳ ଆଧାରରେ ଅପେକ୍ଷାକୃତ ଭାବେ ବଡ଼ ନଦୀ/ଜଳଭଣ୍ଡାରରୁ ଜଳ ସଂଗ୍ରହ କରି ଏକ ବିରାଟ ଅଞ୍ଚଳକୁ ପିଇବା ପାଣି ଯୋଗାଯିବାର ବ୍ୟବସ୍ଥା କରାଯାଇଛି। ଜଳ ଜୀବନ ମିସନ୍‌‌ର ୱେବ୍‌ସାଇଟ୍‌ର ତଥ୍ୟ ଅନୁଯାୟୀ କେନ୍ଦୁଝର, ନୂଆପଡ଼ା, ଭଦ୍ରକ, ଦେଓଗଡ଼, ବୌଦ୍ଧ, ଝାରସୁଗୁଡ଼ା, ଢେଙ୍କାନାଳ, କେନ୍ଦ୍ରାପଡ଼ା, ରାୟଗଡ଼ା, ବାଲେଶ୍ବର, ସୁନ୍ଦରଗଡ଼, କଳାହାଣ୍ଡି, ଅନୁଗୋଳ ଓ ନବରଙ୍ଗପୁର ଏପରି ୧୪ଟି ଜିଲ୍ଲାର ୭୬-୧୦୦% ଘରକୁ ପାଇପ୍ ପାଣି ଯୋଗାଯାଇ ସରିଛି। ଅବଶିଷ୍ଟ ୧୬ଟି ଜିଲ୍ଲାର ୫୧-୭୫% ଘରକୁ ପାଇପ୍ ପାଣି ଯୋଗାଯାଇ ସରିଲାଣି। ରାଜ୍ୟର ମୋଟ ୮୮,୬୭,୩୨୬ଟି ପରିବାର ମଧ୍ୟରୁ ୬୬,୪୪,୯୪୦ ପରିବାର ପାଇପ୍ ପାଣି ପାଇ ସାରିଲେଣି, ଯାହା ମୋଟ ପରିବାର ସଂଖ୍ୟାର ପ୍ରାୟ ୭୫%।

ସରକାରଙ୍କର ଏହି କାର୍ଯ୍ୟକ୍ରମ ଯୋଗୁଁ ପାନୀୟ ଜଳର ଉପଲବ୍‌ଧତା ତଥା ମାନ ସମସ୍ୟାର ସମାଧାନରେ ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଛି। ମାତ୍ର, ଏହି କାର୍ଯ୍ୟକ୍ରମର ରୂପାୟନରେ ରହିଥିବା ତ୍ରୁଟି ବିଚ୍ୟୁତିକୁ ନ ସୁଧାରିଲେ ଓ ଭବିଷ୍ୟତର ବିପଦଗୁଡ଼ିକ ପ୍ରତି ନିଘା ନ ଦେଲେ, ବିପୁଳ ଅର୍ଥବ୍ୟୟ ସତ୍ତ୍ବେ ଗ୍ରାମାଞ୍ଚଳର ପାନୀୟ ଜଳ ସମସ୍ୟାର ସମାଧାନ ହେବା ବଦଳରେ ବରଂ ଆମେ ମହରଗରୁ ଯାଇ କାନ୍ତାରରେ ପଡ଼ିବା। ପ୍ରଥମ କଥା ହେଲା, ଭ୍ରମାତ୍ମକ ପରିସଂଖ୍ୟାନ। ଜଳ ଜୀବନ ମିସନ୍‌‌ର ତଥ୍ୟରେ ଏପରି ଗଁା ସବୁକୁ ୧୦୦% ଜଳ ଯୋଗାଣ କରାଯାଇଥିବା ଉଲ୍ଲେଖ ରହିଛି, ଯେଉଁଠାରେ ପ୍ରକଳ୍ପ ଶେଷ ହୋଇନାହିଁ। ସ୍ବଚ୍ଛ ଭାରତ ମିସନ୍‌ ପରି ଯେ ପରିସ୍ଥିତି ହେବ ନାହିଁ, ସେ କଥା କୁହାଯାଇ ନ ପାରେ। ତେଣୁ ରାଜ୍ୟ ସରକାର କାର୍ଯ୍ୟକ୍ରମର ରୂପାୟନ ଉପରେ କଡ଼ା ନଜର ରଖିବା ଦରକାର। ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ୧୦୦%ର ଅର୍ଥ ୧୦୦% ହିଁ ହେବା ଏକାନ୍ତ ଆବଶ୍ୟକ।

ଦ୍ବିତୀୟ ସମସ୍ୟାଟି ହେଲା, ଜଳ ଜୀବନ ମିସନ୍‌ ବା ବସୁଧା ଯୋଜନା (ରାଜ୍ୟ ସରକାରଙ୍କ ଯୋଜନା) କାର୍ଯ୍ୟକ୍ରମ ମୁଖ୍ୟତଃ ଠିକାଦାରମାନଙ୍କ ଦ୍ବାରା ରୂପାୟିତ କାର୍ଯ୍ୟକ୍ରମ ପାଲଟି ଗଲାଣି। ହିତାଧିକାରୀ ବା ସଂପୃକ୍ତ ଲୋକପ୍ରତିନିଧିମାନେ ଏହି ଯୋଜନାଗୁଡ଼ିକର ରୂପରେଖ ଜାଣୁନାହାନ୍ତି, ସେମାନଙ୍କର ସଂପୃକ୍ତି ତ ଦୂରର କଥା। ଜଳ ଜୀବନ ମିସନ୍‌‌ର ଯୋଜନାଗୁଡ଼ିକ ଏହି ପ୍ରକଳ୍ପଗୁଡ଼ିକ ଶେଷରେ ପାନୀୟ ଜଳର ବ୍ୟବହାରକାରୀମାନଙ୍କ ଦ୍ବାରା ପରିଚାଳିତ ହେବ। ଏହା କରିବାକୁ ହେବ ବୋଲି ପ୍ରତ୍ୟେକଟି ଗଁାରେ ଗ୍ରାମ୍ୟ ଜଳ ଓ ପରିମଳ କମିଟିମାନ ଗଠନ କରାଯାଇଛି। ମାତ୍ର ସେଥିରେ ଯେଉଁମାନେ ସଦସ୍ୟ ଅଛନ୍ତି, ସେମାନେ ନିଜେ ମଧ୍ୟ ଜାଣନ୍ତି ନାହିଁ ଯେ ସେ ଗ୍ରାମ୍ୟ କମିଟିରେ ସଦସ୍ୟ ଅଛନ୍ତି ବୋଲି। ଏହା ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନିରନ୍ତରତା ପାଇଁ ବଡ଼ ବିପଦ। କାରଣ ଯୋଜନା ମୁତାବକ, ଏହି କମିଟିମାନେ ହିଁ ଗଁାରେ ପାନୀୟ ଜଳ ସଂସାଧନର ରକ୍ଷଣାବେକ୍ଷଣ, ମରାମତି ଓ ପରିଚାଳନା କରିବେ, ବ୍ୟବହାରକାରୀମାନଙ୍କ ଠାରୁ ଶୁଳ୍‌କ ଆଦାୟ କରିବେ ଇତ୍ୟାଦି। ମାତ୍ର ହେଉଛି ଠିକ୍ ଓଲଟା। ପ୍ରଥମତଃ,  ପ୍ରକଳ୍ପାଞ୍ଚଳର ଲୋକେ ପ୍ରକଳ୍ପ ସଂପର୍କରେ ଜାଣନ୍ତି ନାହିଁ।

ଦ୍ବିତୀୟତଃ, ବଡ଼ ପ୍ରକଳ୍ପ ପାଇଁ ବଡ଼ ବଡ଼ ଠିକାସଂସ୍ଥାଙ୍କୁ ଦାୟିତ୍ବ ଦିଆଯାଇଛି ଯେ ସେମାନେ ପ୍ରକଳ୍ପକୁ ରୂପାୟିତ କରିବେ, ତାକୁ ଚଳାଇବେ, ରକ୍ଷଣାବେକ୍ଷଣ କରିବେ ଓ ଶେଷରେ ବ୍ୟବହାରକାରୀମାନଙ୍କୁ ତାହା ହସ୍ତାନ୍ତର କରିବେ। ତେଣୁ ନୂଆ ପ୍ରକଳ୍ପର ପ୍ରଥମ ପାଞ୍ଚ ବର୍ଷ ଯାଏ, କମ୍ ରକ୍ଷଣ‌ାବେକ୍ଷଣ ଆବଶ୍ୟକ ଥିବା ବେଳେ କଂପାନିମାନେ ତା’ କଥା ବୁଝିବେ। ମାତ୍ର ରକ୍ଷଣାବେକ୍ଷଣର ବୋଝ ବଢ଼ିବା ପରେ, ମୂଳରୁ ସଂପୃକ୍ତ ନ ଥିବା ଲୋକଙ୍କୁ ସେହି ଦାୟିତ୍ବ ହସ୍ତାନ୍ତର କରିବେ। ପ୍ରକଳ୍ପଗୁଡ଼ିକ ରୁଗ୍‌ଣ ହେବା ପାଇଁ ଏହା ଏକ ବ୍ୟବସ୍ଥା ବୋଲି ଅନେକେ ବିଚାରୁଛନ୍ତି। ବ୍ୟବହାରକାରୀ ତଥା ସ୍ଥାନୀୟ ଲୋକପ୍ରତିନିଧିମାନଙ୍କୁ ମୂଳରୁ ସଂପୃକ୍ତ କରାଗଲେ, ନିମ୍ନମାନର କାମ ହେଉଛି ବୋଲି ଯେଉଁ ଅଭିଯୋଗ ଆସୁଛି, ତାହାକୁ ରୋକାଯାଇ ପାରନ୍ତା। ‘କେନ୍ଦ୍ରର ଯୋଜନା’ ଭାବି ରାଜ୍ୟ ସରକାର ହେଳା କରିଦେଲେ କାଗଜପତ୍ରରେ ଯୋଜନା ରୂପାୟିତ ହୋଇଯିବ ସିନା, ଗ୍ରାମାଞ୍ଚଳର ପାନୀୟ ଜଳ ଯୋଗାଣ ସ୍ଥିତିରେ ଦୀର୍ଘସ୍ଥାୟୀ ପରିବର୍ତ୍ତନ ଆସିବ ନାହିଁ।

ଯେଉଁ ଗଁାରେ ୧୦୦% ଘରକୁ ପାଣି ଯୋଗାଯାଇଛି, ସେହି ଗଁା ସବୁ ଏବେ ବ୍ୟବହାର ହୋଇ ନିଷ୍କାସିତ ହୋଇଥିବା ଜଳର ପ୍ରାବଲ୍ୟ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହି ଗଁାରେ (ଚୂଡ଼ାନ୍ତ ଭାବେ ରାଜ୍ୟର ସମସ୍ତ ଗଁାରେ) ବର୍ଜ୍ୟଜଳର ନିଷ୍କାସନ ଓ କୃଷି କ୍ଷେତ୍ରରେ ତାହାର ବ୍ୟବହାର ସକାଶେ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରି ନିଷ୍ଠାର ସହ ତା’ର ରୂପାୟନ କରିବା ଆବଶ୍ୟକ। ଜାଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଯେଉଁ ବୃହତ୍ତର ନଦୀ/ଜଳଭଣ୍ଡାରକୁ ଭରସା କରି ପାନୀୟ ଜଳ ପ୍ରକଳ୍ପମାନ କରାଯାଉଛି, ସେଗୁଡ଼ିକରେ ଜଳ ଯୋଗାଣ କ୍ଷମତା ମଧ୍ୟ ଆଗାମୀ ଦିନରେ ସଂକଟରେ ପଡ଼ିପାରେ। ତେଣୁ ନଦୀଗୁଡ଼ିକର ଜଳପ୍ରବାହକୁ ସୁନିଶ୍ଚିତ କରିବା ସକାଶେ ନଦୀର ଉପରମୁଣ୍ଡରେ ଜଳ ସଂରକ୍ଷଣ ପାଇଁ ବ୍ୟବସ୍ଥାମାନ କରାଯିବା ଆବଶ୍ୟକ। ଶେଷରେ ଏତିକି କୁହାଯାଇପାରିବ ଯେ କେବଳ ଠିକାଦାରଙ୍କୁ କାମ ଦେବା ବଦଳରେ ରାଜ୍ୟ ସରକାର ଓ ସଂପୃକ୍ତ ବିଭାଗ ଜଳ ଜୀବନ ମିସନ୍‌‌ର ମୂଳ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ସକାଶେ ଆହୁରି ‌ଅନେକ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି।
ମୋ: ୮୮୯୫୭୫୯୮୯୯