ଭାରତ ପରି ଏକ ଜନବହୁଳ ଦେଶରେ ସ୍ବୟଂଚାଳିତ ଗମନାଗମନ ପ୍ରଚଳନ ଲକ୍ଷ୍ୟରେ ହାଇଦ୍ରାବାଦ ଆଇଆଇଟିର ଦଳେ ଗବେଷକ ଏକ ଚାଳକବିହୀନ ଯାନ ବିକଶିତ କରିଛନ୍ତି। ସଂସ୍ଥାନର ଟେକ୍ନୋଲୋଜି ଇନୋଭେସନ୍ ହବ୍ ଅନ୍ ଅଟୋନୋମସ୍ ନାଭିଗେସନ୍(ଟିହାନ୍) ଦ୍ୱାରା ନିର୍ମିତ ଏହି ଏଆଇ ଆଧାରିତ ସ୍ୱୟଂଚାଳିତ ଯାନଟି ପରୀକ୍ଷାମୂଳକ ଭାବେ ଗତ ଦେଢ଼ ବର୍ଷ ଧରି ପ୍ରତିଷ୍ଠାନ ପରିସରରେ ଚାଲୁଛି ଏବଂ ଆଜି ପର୍ଯ୍ୟନ୍ତ କୌଣସି ଦୁର୍ଘଟଣା ହୋଇନାହିଁ। ବର୍ତ୍ତମାନ ସୁଦ୍ଧା ସେଥିରେ ୧୦ ହଜାରରୁ ଅଧିକ ଯାତ୍ରୀ ଯାତାୟାତ କରିସାରିଥିବା ବେଳେ ଉକ୍ତ ଗାଡ଼ି ବାବଦରେ ସେମାନଙ୍କର ମତାମତ ଭଲ ରହିଛି।
ଏହି ବିଦ୍ୟୁତ୍ ଚାଳିତ ଗାଡ଼ିଟି ବର୍ତ୍ତମାନ ସୁଦ୍ଧା ସଂସ୍ଥାନ ପରିସର ବ୍ୟତୀତ କୌଣସି ସାର୍ବଜନୀନ ସ୍ଥାନରେ ବ୍ୟବହୃତ ହୋଇନାହିଁ, ତେବେ ଏଥିରେ ଉପଯୋଗ କରାଯାଇଥିବା ପ୍ରଯୁକ୍ତିକୁ ବିମାନବନ୍ଦର, ଗୋଦାମ, ବଡ଼ ଶିକ୍ଷାନୁଷ୍ଠାନ କିମ୍ବା ଶିଳ୍ପ ପରିସର ଭଳି ସ୍ଥାନରେ ନିୟୋଜିତ କରିହେବ ବୋଲି ଗବେଷକମାନେ କହିଛନ୍ତି। ସମ୍ପ୍ରତି ସତର୍କତା ସ୍ୱରୂପ ଗାଡ଼ିରେ ଜଣେ ଚାଳକ ରହୁଥିବା ବେଳେ ସେ ଗାଡ଼ିର ଗତିବିଧିକୁ ନିୟନ୍ତ୍ରଣ କରନ୍ତି ନାହିଁ। ସେ କେବଳ ଗାଡ଼ିର ତଦାରଖ କରିବା ସହ ତାହାର କାର୍ଯ୍ୟକାରିତା ବିଷୟରେ ବିଶେଷଜ୍ଞ ଦଳକୁ ରିପୋର୍ଟ କରନ୍ତି। ଭବିଷ୍ୟତରେ ଏହି ସ୍ୱୟଂଚାଳିତ ଯାନକୁ ବିକ୍ରି କରିବା ପାଇଁ ବିଭିନ୍ନ ଶିଳ୍ପ ଅଂଶୀଦାରଙ୍କ ସମର୍ଥନ ଗ୍ରହଣ କରାଯିବ ବୋଲି ଗବେଷକମାନେ କହିଛନ୍ତି।