ମଦ ପିଇ ଗାଡ଼ି ଚଳାଇ ଦୁର୍ଘଟଣା ଘଟାଇଲେ କଂଗ୍ରେସ ବିଧାୟକଙ୍କ ପୁଅ

ଭୋପାଳ: କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ହୁକୁମ ସିଂହ କରଦାଙ୍କ ପୁଅ ରୋହିତାବ ସିଂହ ମଦ୍ୟପାନ କରି ଗାଡ଼ି ଚଳାଇ ଦୁର୍ଘଟଣା ଘଟାଇଛନ୍ତି ବୋଲି ଅଭିଯୋଗ ହୋଇଛି। ସେ ଜଣେ ବ୍ୟବସାୟୀଙ୍କ କାର୍‌‌ରେ ଧକ୍କା ହୋଇଥିବା ଜାଣିବାକୁ ମିଳିଛି। ସୂଚନାରୁ ଜାଣିବାକୁ ମିଳିଛି ଯେ ମଧ୍ୟପ୍ରଦେଶର ସେହୋରଠାରେ ରୋହିତାବ ସିଂହ ମଦ୍ୟପାନ କରି ଗାଡ଼ି ଚଳାଉଥିଲେ। ‌ସେହି ସମୟର ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ରୋହିତାବଙ୍କ ଗାଡ଼ିରେ ଏକ ମଦ ବୋତଲ୍‌ ରଖା ଯାଇଥିବା ସ୍ପଷ୍ଟ ଦେଖିବାକୁ ମିଳିଛି।

ପୁଲିସ୍‌ ଏନେଇ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ରୋହିତାବ ସିଂହ ବ୍ୟବସାୟୀ ଦିନେଶ ଆହୁଜାଙ୍କ ସହ ପାଟି ତୁଣ୍ଡ କରୁଛନ୍ତି। ଭିଡିଓଟିକୁ ସେହି ବ୍ୟବସାୟୀ ଜଣକ ସୁଟ୍‌ କରିଥିବା ଜାଣିବାକୁ ମିଳିଛି।

ବ୍ୟବସାୟୀ ଜଣକ ଦୁର୍ଘଟଣାରେ କ୍ଷତିପୂରଣ ମାଗିବାରୁ ରୋହିତାବ ସିଂହ ତାଙ୍କ ସହ ଯୁକ୍ତିତର୍କ କରୁଥିବାର ଦେଖିବାକୁ ମିଳିଛନ୍ତି। ସେ କହୁଥିବାର ଶୁଣିବାକୁ ମିଳିଛି ଯେ ‘ଆମେ ଏବେ ଲଢ଼ିବା। ଚାଲ୍‌ ପୁଲିସ୍‌ ‌ଷ୍ଟେସନ୍‌ ଯିବା।’

ବ୍ୟବସାୟୀ ଜଣକ ଅଭି‌ଯୋଗ ଆଣିଛନ୍ତି ଯେ ଅଭିଯୁକ୍ତ ତାଙ୍କ ପଛେ ପଛେ ଦୌଡ଼ି ତାଙ୍କୁ ଛୁରିରେ ଆକ୍ରମଣ କରିବା ସହ ତାଙ୍କ ଗାଡ଼ିର ଝରକା ଭାଙ୍ଗି ଦେଇଛନ୍ତି।

 

ସମ୍ବନ୍ଧିତ ଖବର