ମାନବବିହୀନ ପ୍ରଯୁକ୍ତି ବ୍ୟବହାର କରୁଥିବା ଯୁବପିଢ଼ିଙ୍କୁ ତାଲିମ ଦେବା ପାଇଁ ରୁଷର ଜାତୀୟ ସ୍କୁଲ ପାଠ୍ୟକ୍ରମରେ ଡ୍ରୋନ୍ ଚାଳନା ପ୍ରଶିକ୍ଷଣକୁ ସାମିଲ୍ କରାଯାଇଛି। ଏହି ଅବସରରେ ରୁଷୀୟ ଡ୍ରୋନ୍ ନିର୍ମାତା ଜିଓସ୍କାନ୍ ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ମାନବବିହୀନ ବାୟୁଯାନ (ୟୁଏଭି) ଉଡ଼ାଣ ସଂପର୍କିତ ସ୍କୁଲ ପାଠ୍ୟପୁସ୍ତକ ପ୍ରକାଶନର ଘୋଷଣା କରିଛି। ଏହା ଦେଶର ପ୍ରଥମ ଉପକ୍ରମ ବୋଲି କୁହାଯାଇଛି।
ଏହି ପାଠ୍ୟକ୍ରମ ରୁଷର ବୈଷୟିକ ଶିକ୍ଷା ପାଠ୍ୟକ୍ରମ ଅନ୍ତର୍ଗତ ‘ରୋବୋଟିକ୍ସ’ ମଡ୍ୟୁଲ୍ ଅଧୀନରେ ପ୍ରଦାନ କରାଯିବ। ଉକ୍ତ ପାଠ୍ୟପୁସ୍ତକଟି ଡ୍ରୋନ୍ ଗବେଷଣା ଓ ବିକାଶ କ୍ଷେତ୍ରରେ ଜିଓସ୍କାନ୍ କମ୍ପାନିର ୧୪ ବର୍ଷର ଅଭିଜ୍ଞତା ଏବଂ ରୋବୋଟିକ୍ସ ଶିକ୍ଷାରେ ୮ ବର୍ଷର ଅଭିଜ୍ଞତା ଆଧାରରେ ପ୍ରସ୍ତୁତ କରାଯାଇଛି। ରୁଷିଆର ଯୁବପିଢ଼ିଙ୍କ ମଧ୍ୟରେ ପ୍ରାୟୋଗିକ ପାଇଲଟିଂ ଏବଂ ଇଞ୍ଜିନିୟରିଂ ଦକ୍ଷତା ବିକାଶ ପାଇଁ ଏହାକୁ ଏକ ତତ୍କାଳ ବ୍ୟବହାରଯୋଗ୍ୟ ପାଠ୍ୟକ୍ରମ ଭାବେ ବିବେଚନା କରାଯାଉଛି। ଏହି ୩୪ ଘଣ୍ଟିଆ ପାଠ୍ୟକ୍ରମରେ ୟୁଏଭି ପ୍ରଯୁକ୍ତି ପରିଚାଳନା କ୍ରମରେ ଡ୍ରୋନ୍ ଉଡ଼ାଣ, ଡିଜାଇନ୍, ଇଲେକ୍ଟ୍ରୋନିକ୍ସ, ମାନୁଆଲ୍ ନିୟନ୍ତ୍ରଣ ଏବଂ ଅଟୋ ପ୍ରୋଗ୍ରାମିଂ ଆଦି ଅନ୍ତର୍ଭୁକ୍ତ କରାଯାଇଛି।
ଏହି ଅଭିନବ ପଦକ୍ଷେପ ରୁଷ୍ ସରକାରଙ୍କ ‘ମାନବବିହୀନ ଉଡ଼ାଣ ପ୍ରଯୁକ୍ତି ପାଇଁ କର୍ମଚାରୀ’ ଶୀର୍ଷକ କାର୍ଯ୍ୟକ୍ରମର ଏକ ଅଂଶ। ଏହା ଅଧୀନରେ ୨୦୩୦ ସୁଦ୍ଧା ୫୦୦ରୁ ଅଧିକ ସ୍କୁଲ୍ ଏବଂ ୩୦ଟି ବିଶ୍ୱବିଦ୍ୟାଳୟରେ ୧୦ ଲକ୍ଷ ଡ୍ରୋନ୍ ଅପରେଟର୍ଙ୍କୁ ତାଲିମ ଦେବାର ଲକ୍ଷ୍ୟ ରଖାଯାଇଛି। ଏହି ପାଠ୍ୟକ୍ରମ ଆରମ୍ଭ କରାଯିବାର ରାଜନୈତିକ ପୃଷ୍ଠଭୂମି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୨୦୨୨ ଫେବ୍ରୁଆରିରେ ୟୁକ୍ରେନ୍ ଉପରେ ରୁଷ୍ର ଆକ୍ରମଣ ଆରମ୍ଭ ହେବା ପରଠାରୁ, ରୁଷ ଉଭୟ ଗୁଇନ୍ଦା ଏବଂ ଆକ୍ରମଣ ଲାଗି ଡ୍ରୋନ୍ର ବ୍ୟବହାରକୁ ନାଟକୀୟ ଭାବରେ ବୃଦ୍ଧି କରିଛି। ନିକଟରେ ୟୁକ୍ରେନ୍ ରୁଷିଆ ଉପରେ ଏକ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ କରିବା ପରେ ଡ୍ରୋନ୍ର ନିର୍ଣ୍ଣାୟକ ଭୂମିକା ବିଶ୍ବସ୍ତରରେ ଚର୍ଚ୍ଚାର କେନ୍ଦ୍ରକୁ ଆସିଯାଇଛି। ଏହାକୁ ଦୃଷ୍ଟିରେ ରଖି ରୁଷ୍ ନୂଆ ପିଢ଼ିକୁ ଡ୍ରୋନ୍ ଚାଳନାରେ ଦକ୍ଷ କରିବାକୁ ଯୋଜନା ଆରମ୍ଭ କରିଛି।