ଭାରତର ଜଣେ ଜଣାଶୁଣା ଭୂତତ୍ତ୍ବବିଜ୍ଞାନୀ ଡକ୍ଟର ଶ୍ରୀରୂପ ଗୋସ୍ୱାମୀ ସଂପ୍ରତି ଓଡ଼ିଶାରେ ମରୁଡ଼ି ପରିସ୍ଥିତି ସଂପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ଗବେଷଣା କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ‘ଓଡ଼ିଶାରେ ମରୁଡ଼ିର ଦୀର୍ଘ ଇତିହାସ ଏବଂ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ମରୁଡ଼ିର ଦିଗ ଓ ପ୍ରଭାବ’ ଶୀର୍ଷକ ତାଙ୍କ ଗବେଷଣା ବିଶ୍ୱର ବିଭିନ୍ନ ପ୍ରସିଦ୍ଧ ବିଜ୍ଞାନ ଜର୍ଣ୍ଣାଲ୍‌ରେ ପ୍ରକାଶିତ ଓ ପ୍ରସଂଶିତ ହୋଇଛି। ଏହି ଗବେଷଣା ଓଡ଼ିଶାରେ ମରୁଡ଼ିକୁ ନେଇ ପ୍ରଚଳିତ ଧାରଣାରେ ପରିବର୍ତ୍ତନ ଆଣିବା ସହ ବହୁ ନୂତନ ତଥ୍ୟ ସାମ୍ନାକୁ ଆଣିଛି। ଏହି ପରିପ୍ରେକ୍ଷୀରେ ଡକ୍ଟର ଗୋସ୍ୱାମୀଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି 
ଆମର ବରିଷ୍ଠ ପ୍ରତିନିଧି ବିଭୂତି ପତି

Advertisment

ତଥ୍ୟଭିତ୍ତିକ କି?

ଡ. ଶ୍ରୀରୂପ ଗୋସ୍ୱାମୀ କଟକଜିଲ୍ଲା ଅନ୍ତର୍ଗତ ଚୌଦ୍ୱାର ଓଟିଏମ୍‌ ସ୍କୁଲ୍‌ରୁ ପ୍ରାଥମିକ ଏବଂ ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ମର୍ଦ୍ଦରାଜ ହାଇସ୍କୁଲ୍‌ରୁ ମାଧ୍ୟାମିକ ଶିକ୍ଷା ଗ୍ରହଣ କରିଥିଲେ। ସେ ଖଲିକୋଟ କଲେଜରୁ ବିଜ୍ଞାନରେ ସ୍ନାତକ କରିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଭୂତତ୍ତ୍ବବିଜ୍ଞାନରେ  ସ୍ନାତକୋତ୍ତର ଓ ଏମ୍‌.ଫିଲ୍‌ ପାଠ୍ୟକ୍ରମ ଅଧ୍ୟୟନ କରିଥିଲେ। ଉଚ୍ଚଶିକ୍ଷା ଧାରା ଜାରି ରଖି ସେ ଏହାପରେ ଭାରତ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ସୁପ୍ରସିଦ୍ଧ ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ ‘ବୀରବଲ୍‌ ସାହାନୀ ବିଜ୍ଞାନ ସଂସ୍ଥାନ’ରେ ପି.ଏଚ୍‌ଡି ଓ ଡି.ଏସ୍‌ସି ହାସଲ କରିଥିଲେ। ଭାରତ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ମନ୍ତ୍ରାଳୟରୁ ଫେଲୋସିପ୍‌ ପାଇ ଡକ୍ଟର ଗୋସ୍ୱାମୀ ଦକ୍ଷିଣ ଆଫ୍ରିକାରେ ଗବେଷଣା କରିଥିଲେ। ସେ ସର୍ବକନିଷ୍ଠ ବୈଜ୍ଞାନିକ ଭାବେ ଓଡିଶା ସରକାରଙ୍କ ଦ୍ୱାରା ପ୍ରଦତ୍ତ ଯୁବ ବୈଜ୍ଞାନିକ ଓ ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର ଲାଭ କରିଛନ୍ତି। ଭାରତର ସୁପ୍ରସିଦ୍ଧ ସଂସ୍ଥାନ ‘ଜିଓଲୋଜିକାଲ୍‌ ସୋସାଇଟି ଅଫ୍‌ ଇଣ୍ଡିଆ’ ପକ୍ଷରୁ ଡକ୍ଟର ଗୋସ୍ୱାମୀଙ୍କୁ ସର୍ବୋଚ୍ଚ ସମ୍ମାନ ଭାବେ ପରିଗଣିତ ‘ଅନୀଲ ଚନ୍ଦ୍ର ସମ୍ମାନ’ ପ୍ରଦାନ କରାଯାଇଛି।

ବହୁ ପୂର୍ବରୁ ଓଡ଼ିଶା ଏକ ମରୁଡ଼ିପ୍ରବଣ ରାଜ୍ୟ ଭାବେ ପରିଚିତ ହୋଇଆସିଛି। ଆପଣଙ୍କ ଗବେଷଣା ଓଡ଼ିଶାର ମରୁଡ଼ି ସଂପର୍କରେ କୌଣସି ନୂଆ ଦିଗ ଉ‌ନ୍ମୋଚନ କରିଛି କି?
ଏକଦା ମରୁଡ଼ି ହଟ୍‌ସ୍ପଟ୍‌ ଭାବେ ପରିଚିତ ଥିବା ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶା ଏବେ ଆଉ ମରୁଡ଼ିପ୍ରବଣ ହୋଇ ରହିନାହିଁ। ସଂପ୍ରତି ରାଜ୍ୟର ଉତ୍ତର ଏବଂ ପଶ୍ଚିମକୁ ମରୁଡ଼ି ପ୍ରବଣତା ସ୍ଥାନାନ୍ତରିତ ହୋଇଛି। ଏକ ବିଶ୍ବସ୍ତରୀୟ ଅଧ୍ୟୟନରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଚଳିତବର୍ଷର ସ୍ଥିତି ଏହାର ପ୍ରମାଣ। ୧୨୦ ବର୍ଷର ବୃଷ୍ଟିପାତ ତଥ୍ୟର ବିଶ୍ଳେଷଣ ସୂଚାଇ ଦେଇଛି ଯେ ପ୍ରାୟ ପ୍ରତିବର୍ଷ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲଗାତାର ମରୁଡ଼ି ପ୍ରଭାବ ଅନୁଭୂତ ହୋଇଛି। ୨୦୧୧ରୁ ୨୦୨୦ ମଧ୍ୟରେ ମରୁଡ଼ିର ତୀବ୍ରତା ବୃଦ୍ଧି ପାଇଥିଲା। ବର୍ତ୍ତମାନ ଏହି ନୂଆ ତଥ୍ୟକୁ ଆଧାର କରି ଓଡ଼ିଶାରେ ମରୁଡ଼ି ପ୍ରତିରୋଧ ରଣନୀତିର ପୁନର୍ବିଚାର କରିବାକୁ ପଡ଼ିବ। ଏହି ଅଧ୍ୟୟନ ଭବିଷ୍ୟତରେ ମରୁଡ଼ି ମୁକାବିଲା ଲାଗି ଉତ୍ତମ ଯୋଜନା ପ୍ରସ୍ତୁତି ପାଇଁ ଏକ ବୈଜ୍ଞାନିକ ଭିତ୍ତିଭୂମି ପ୍ରଦାନ କରିବାରେ ସଫଳ ହୋଇପାରିବ।

ସାଧାରଣତଃ ବଲାଙ୍ଗୀରକଳାହାଣ୍ଡି ଜିଲ୍ଲା ସବୁଠୁ ଅଧିକ ମରୁଡ଼ିପ୍ରବଣ ବୋଲି କୁହାଯାଏ। ଏହି ଧାରଣା କେତେ ଠିକ୍‌? ଏହା ତଥ୍ୟଭିତ୍ତିକ କି?
ବାସ୍ତବରେ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲା ଅଧିକ ମରୁଡ଼ି ସଂସ୍ପର୍ଶରେ ଆସିଛି। ଜିଲ୍ଲାୱାରି ମରୁଡ଼ି ପରିସଂଖ୍ୟାନ ଦର୍ଶାଉଛି ଯେ ବଲାଙ୍ଗୀର ଓ କଳାହାଣ୍ଡିରେ ହାରାହାରି ମରୁଡ଼ି ଅବଧି (ଏଡିଡି) ଏବଂ ହାରାହାରି ମରୁଡ଼ି ତୀବ୍ରତା (ଏଡିଏସ୍) ଯଥେଷ୍ଟ ଅଧିକ। ବିଶେଷକରି ୧୯୭୦ ଦଶକ ପରଠାରୁ ବଢୁଥିବା ମରୁଡ଼ିର ପୌନଃପୁନିକତା ଓ ତୀବ୍ରତା ଯୋଗୁଁ ନୂଆପଡ଼ା, କୋରାପୁଟ, ନବରଙ୍ଗପୁର ଓ ସୁନ୍ଦରଗଡ଼ ଜିଲ୍ଲା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି। ଗତ କେଇଦଶନ୍ଧି ହେଲା ମରୁଡ଼ିର ତୀବ୍ରତା ପଶ୍ଚିମ ଓ ଉତ୍ତର ଦିଗକୁ ଘୁଞ୍ଚିବା (ସ୍ଥାନ ଅଧାରରେ) ସହିତ ଏହି ପର୍ଯ୍ୟବେକ୍ଷଣ ମେଳଖାଉଛି। ବଲାଙ୍ଗୀର ଓ କଳାହାଣ୍ଡି ମରୁଡ଼ିପ୍ରବଣ ବୋଲି ଥିବା ପାରମ୍ପରିକ ଧାରଣା ଭୁଲ୍ ନୁହେଁ।

ଯେହେତୁ ଆମେ ଜଳବାୟୁ ପରିବର୍ତ୍ତନ ପ୍ରକ୍ରିୟାର ବଶବର୍ତ୍ତୀ ହୋଇଛେ, ତେଣୁ ଓଡ଼ିଶାରେ ୧୯୭୦ ଦଶକର ମରୁଡ଼ି ଏବଂ ଏବେ ଦେଖାଯାଉଥିବା ମରୁଡ଼ି ଭିତରେ ପାର୍ଥକ୍ୟ ରହିଛି କି?
ପାର୍ଥକ୍ୟ ହେଲା ମରୁଡ଼ି ଆଉ ରାଜ୍ୟର ନିର୍ଦ୍ଦିଷ୍ଟ ଜିଲ୍ଲାଗୁଡ଼ିକ ମଧ୍ୟରେ ସୀମିତ ନ ରହି ପଶ୍ଚିମ ଓ ଉତ୍ତର ଆଡ଼କୁ ସ୍ଥାନାନ୍ତରିତ ହେଉଛି। ଏହି ଅଧ୍ୟୟନ ମରୁଡ଼ିର ଭୌଗୋଳିକ ଗତିଶୀଳତାକୁ ସୂଚାଉଛି। ଅର୍ଥାତ୍‌ ମରୁଡ଼ିପ୍ରବଣତା ଆଉ ନିର୍ଦ୍ଦିଷ୍ଟ ଭୌ‌େଗାଳିକ ଅଞ୍ଚଳରେ ସୀମିତ ନରହି ପରିବର୍ତ୍ତନଶୀଳ ହୋଇଯାଇଛି। ସମ୍ଭବତଃ ବୃଷ୍ଟିପାତ ଧାରା, ମୌସୁମୀର ଗତିଶୀଳତା ଏବଂ ଏଲ୍‌ନିନୋ, ଆଇଓଡି, ଏସ୍ଓଆଇ ଭଳି ଜଳବାୟୁ ସଂପର୍କିତ ଘଟଣାକ୍ରମ ଦ୍ବାରା ପ୍ରଭାବିତ ହେବା ଯୋଗୁଁ ଏଭଳି ପରିବର୍ତ୍ତନ ଘଟୁଛି।

ଆପଣଙ୍କ ଅଧ୍ୟୟନରେ ମରୁଡ଼ିର ମୁଖ୍ୟ କାରଣ କ’ଣ ବୋଲି ଦର୍ଶାଯାଇଛି? ମରୁଡ଼ିର ବିଭାଗୀକରଣ ହୋଇଛି କି?
ଆମ ଅଧ୍ୟୟନ ମୁଖ୍ୟତଃ ବୃଷ୍ଟିପାତ ଅନୁଶୀଳନ ଅଧାରିତ। ବୃଷ୍ଟିପାତ ସୂଚକାଙ୍କ ନିର୍ଦ୍ଧାରିତ ମାନଦଣ୍ଡ (ଏସ୍.ପି.ଆଇ.)କୁ ବିଭିନ୍ନ ସମୟ ଅବଧିରେ (ଏସ୍.ପି.ଆଇ.-୩ରୁ ଏସ୍.ପି.ଆଇ.-୪୮) ପ୍ରୟୋଗକରି ମରୁଡ଼ିକୁ ପରିଭାଷିତ କରିଛି। ବିଶ୍ବସ୍ତରରେ ଅନୁସୃତ ପ୍ରଣାଳୀ ତଥା ବିଶ୍ବ ପାଣିପାଗ ସଂଗଠନ ମାର୍ଗଦର୍ଶିକା ଅନୁଯାୟୀ, ଏସ୍.ପି.ଆଇ.-୩ ଏବଂ ଏସ୍.ପି.ଆଇ.-୬ ସ୍ବଳ୍ପ ଅବଧିର ପାଣିପାଗ ମରୁଡ଼ିକୁ ଦର୍ଶାଇଥାଏ।  ମାଟିର ଆର୍ଦ୍ରତା ହ୍ରାସ, ଫସଲ ଉପରେ ଜଳାଭାବ ଜନିତ ଚାପ ଯୋଗୁଁ ଏହି ମରୁଡ଼ି ହୋଇଥାଏ। ସେହିପରି, ଏସ୍.ପି.ଆଇ.-୯ ଏବଂ ଏସ୍.ପି.ଆଇ.-୧୨ ମଧ୍ୟମ ଅବଧିର ମରୁଡ଼ିକୁ ସୂଚାଇଥାଏ। ପାଣିପାଗ ତଥା ପରିସଂସ୍ଥୀୟ ବିଶ୍ଳେଷଣ ସକାଶେ ଏହା ବେଶ୍‌ ଉପଯୋଗୀ। ଏସ୍.ପି.ଆଇ.-୨୪ ଏବଂ ଏସ୍.ପି.ଆଇ.-୪୮ ଦୀର୍ଘକାଳୀନ ମରୁଡ଼ିକୁ ଦର୍ଶାଇଥାଏ, ଯେଉଁଥିରେ ଜଳାଭାବ ହେତୁ ଜଳଭଣ୍ଡାର, ଭୂତଳ ଜଳ ଏବଂ ପରିବେଶ ପ୍ରଭାବିତ ହୋଇଥାଏ।  

ମରୁଡ଼ି ମୁକ୍ତ ଅଞ୍ଚଳରେ କିପରି ପାରିବେଶିକ ପରିଚାଳନା ଜରୁରି? ଏଠାରେ ପରିସଂସ୍ଥାନର ପୂର୍ବସ୍ଥିତି ଫେରିଆସିବା ସମ୍ଭବ?
ବିଂଶ ଶତାବ୍ଦୀ ପ୍ରାରମ୍ଭରେ ଉପକୂଳ ଓ ଦକ୍ଷିଣ ଓଡ଼ିଶା ମରୁଡ଼ିପ୍ରବଣ ଥିଲା। ସଂପ୍ରତି ମରୁଡ଼ିମୁକ୍ତ ହୋଇଥିବା ସେ ଅଞ୍ଚଳର ପରିସଂସ୍ଥାନର ପୁନରୁଦ୍ଧାର କରିବାକୁ ପଡ଼ିବ। ସେ ଅଞ୍ଚଳରେ ଉଦ୍ଭିଦର ପୁନଃବିସ୍ତାର, ଭୂତଳ ଜଳଭଣ୍ଡାର ପୁନଃଭରଣ, ଜୈବବିବିଧତା ଓ ମାଟିର ଉର୍ବରତାର ପୁନଃପ୍ରବର୍ତ୍ତନ କରାଇବା ସହିତ ଜଙ୍ଗଲ କ୍ଷୟ, ଅନିୟନ୍ତ୍ରିତ ବିକାଶ ବା ପ୍ରଦୂଷଣ ପରି ନୂତନ ଚାପକୁ ପ୍ରତିହତ କରିବାକୁ ହେବ।

ପରିବର୍ତ୍ତିତ ପରିସ୍ଥିତିରେ ମରୁଡ଼ି ମୁକାବିଲା କ୍ଷେତ୍ରରେ କିଭଳି ରଣକୌଶଳ ଆପଣାଇବା ଫଳପ୍ରଦ ଓ ପ୍ରଭାବଶାଳୀ?
ଏବେ ମରୁଡ଼ି ମୁକାବିଲା ଲାଗି ‘ମାକ୍ରୋ’ ବଦଳରେ ‘ମାଇକ୍ରୋ’ ପରିଚାଳନା ଫଳପ୍ରଦ ପ୍ରମାଣିତ ହେଉଛି। ଗୋଟିଏ ବିସ୍ତୃତ ଅଞ୍ଚଳକୁ ମରୁଡ଼ି ପ୍ରପୀଡ଼ିତ ଘୋଷଣା ନକରି ପ୍ରଭାବ ଅନୁଶୀଳନ କରି ଏହାକୁ କ୍ଷୁଦ୍ର କ୍ଷୁଦ୍ର ଭାଗରେ ବା ୟୁନିଟ୍‌ରେ ବିଭକ୍ତ କରିବା ଦରକାର। ଫଳରେ ଛୋଟ ଅଞ୍ଚଳରେ ମୁକାବିଲା ପ୍ରଭାବଶାଳୀ ହୋଇପାରିବ।  ‘ଗ୍ଲୋବାଲ୍ ମୋରାନ୍‌ସ୍‌ ଆଇ’ ଓ ‘ଏଲ୍.ଆଇ.ଏସ୍.ଏ. କ୍ଲଷ୍ଟରିଂ’ ପରି ସାଧନ ବ୍ୟବହାର କରି ଆମେ ବ୍ଲକ୍‌ସ୍ତରରେ ଗୁରୁତ୍ବପୂର୍ଣ୍ଣ ମରୁଡ଼ିପ୍ରବଣ କ୍ଲଷ୍ଟର୍‌ଗୁଡ଼ିକୁ ଚିହ୍ନଟ କରିବାରେ ସଫଳ ହୋଇଥିଲୁ। ଏହି ପଦ୍ଧତି ନୂଆକରି ବିପଦପ୍ରବଣ ହେଉଥିବା କ୍ଷୁଦ୍ର ଅଞ୍ଚଳଗୁଡ଼ିକୁ ଚିହ୍ନଟ କରିବାରେ ସହାୟକ ହୋଇଥିଲା। ମରୁଡ଼ି ପରିଚାଳନା ସକାଶେ ଗୋଟିଏ ଜିଲ୍ଲାକୁ ଏକକ ଆକାରରେ ନେଇ ସାରା ଜିଲ୍ଲା ନିମନ୍ତେ ସହାୟତା ଘୋଷଣା ନକରି ବ୍ଲକ୍‌ସ୍ତରୀୟ କ୍ଷୁଦ୍ର ଯୋଜନାମାନ ଗ୍ରହଣ କରାଯାଇ ପାରିବ। ସ୍ଥାନୀୟ ସମ୍ବେଦନଶୀଳ ଅଞ୍ଚଳ ଆଧାରରେ ପ୍ରଶମନ ଓ ରିଲିଫ୍ ପ୍ରୟାସ ସୁନିଶ୍ଚିତ କରାଯାଇ ପାରିବ। ଫଳରେ ଯୋଜନାର କାର୍ଯ୍ୟକାରିତା ସଫଳ ହେବ।

ମରୁଡ଼ି ମୁକାବିଲା ଲାଗି ନୀତି ନିର୍ଦ୍ଧାରଣ ଓ ଭବିଷ୍ୟତ ଯୋଜନା ପ୍ରଣୟନକୁ ନେଇ ଆପଣଙ୍କ ପରାମର୍ଶ କ’ଣ?
ନୀତି ନିର୍ଦ୍ଧାରଣ ଓ ଭବିଷ୍ୟତ ଯୋଜନା ଲାଗି ଉପଯୁକ୍ତ ସମ୍ବଳ ଆବଣ୍ଟନ, ଫସଲ ବୀମା ଓ ମରୁଡ଼ି ସହାୟତା ଉପରେ ଗୁରୁତ୍ବ ଦେବା ସହିତ ବିପଦପ୍ରବଣ ହୋଇଥିବା ନୂଆ ଅଞ୍ଚଳଗୁଡ଼ିକୁ ଏଥିରେ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ। ପରିବର୍ତ୍ତିତ ଜଳବାୟୁ ଧାରା ପ୍ରତି ଦୃଷ୍ଟିରଖି ମରୁଡ଼ିପ୍ରବଣ ଅଞ୍ଚଳ ସଂପର୍କରେ ଥିବା ପାରମ୍ପରିକ ଧାରଣାର ପୁନଃମୂଲ୍ୟାୟନ କରାଯିବା ଆବଶ୍ୟକ।