ନୂଆଦିଲ୍ଲୀ: ଜଣେ ଯୁବତୀ ନିଜ ଜନ୍ମଦିନ ପାର୍ଟିରେ ଉନ୍ମତ୍ତ କାଣ୍ଡ ଘଟାଇ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି। ଯୁବତୀ ଜଣକ ତାଙ୍କ ଜନ୍ମଦିନ ଉତ୍ସବ ପାଳନ ସମୟରେ ମଦ ନିଶାରେ ରହି ଜଣେ ପୁଲିସ୍ ଅଧିକାରୀଙ୍କୁ କାମୁଡ଼ି ଦେଇଥିବା ଜାଣିବାକୁ ମିଳିଛି। ଏହି କାରଣରୁ ପୁଲିସ୍ ଏବେ ଯୁବତୀଙ୍କୁ ଗିରଫ କରିଛି। ଖାଲି ଏତିକି ନୁହେଁ, ଏହାର ଶୁଣାଣି ପାଇଁ ମାମଲା କୋର୍ଟ ପର୍ଯ୍ୟନ୍ତ ବି ପଳାଇଛି।
ସ୍କଟଲାଣ୍ଡ୍ର ବାସିନ୍ଦା ଏଲିଜା ଏକ ହୋଟେଲ୍ରେ ନିଜର ୧୯ ତମ ଜନ୍ମଦିନ ପାଳନ କରୁଥିଲେ। ତାଙ୍କ ସହ ତାଙ୍କର କିଛି ଅନ୍ତରଙ୍ଗ ବନ୍ଧୁ ମଧ୍ୟ ସେଠାରେ ଥିଲେ। ଜନ୍ମଦିନ ଉତ୍ସବରେ ମଦ୍ୟପାନ କରି ଏଲିଜା ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଲେ। ସେଠାରେ ତାଙ୍କର ଜଣେ ପୁଲିସ୍ ଅଧିକାରୀଙ୍କ ସହ ସାମାନ୍ୟ ଯୁକ୍ତିତର୍କ ହେବାରୁ ରାଗରେ ଆସି ସେ ପୁଲିସ୍ ଅଧିକାରୀଙ୍କୁ କାମୁଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏପରିକି ପୁଲିସ୍ ଅଧିକାରୀଙ୍କ ହାତରୁ ରକ୍ତ ମଧ୍ୟ ବାହାରୁଛି।
‘ଦ ସନ୍’ର ରିପୋର୍ଟ ମୁତାବକ, ଏଲିଜା ହୋଟେଲ୍ରେ ଜଣେ ୱେଟର୍ ଭାବେ କାମ କରନ୍ତି। ପୁଲିସ୍ ଅଧିକାରୀଙ୍କୁ କାମୁଡ଼ିବା ପରେ ତାଙ୍କୁ ଗିରଫ କରି ଦିଆଯାଇଥିଲା। ଅଦାଲତରେ ଏହି ଘଟଣାର ଶୁଣାଣି ବେଳେ ଏଲିଜା ସ୍ବୀକାର କରିଥିଲେ ଯେ ସେ ପୁଲିସ୍ ଅଧିକାରୀଙ୍କୁ କାମୁଡ଼ିଛନ୍ତି ବୋଲି। ମାତ୍ର ତାଙ୍କ କାମୁଡ଼ିବା ହେତୁ ପୁଲିସ୍ ଅଧିକାରୀଙ୍କ ହାତରୁ ଯେ ରକ୍ତ ବାହାରିଛି ସେ କଥାକୁ ଏଲିଜା ଅସ୍ବୀକାର କରିଛନ୍ତି। ଏହି ମମାଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ମାସରେ ହେବ।