ନୂଆଦିଲ୍ଲୀ: ଭାବନ୍ତୁ ତ ଯେତେବେଳେ ପୁଲିସ ବିଭାଗରେ ଚାକିରି କରୁଥଇବା ବାପ-ଝିଅ ସାମ୍ନାସାମ୍ନି ହେଉଥିବେ, ପିତା ସେହି ସମୟରେ ଝିଅକୁ ସ୍ୟାଲୁଟ ମାରୁଥିବେ । ଏହି ସମୟର ଦୃଶ୍ୟ କେମିତି ଥିବ। ଏମିତି ଏକ ଦୃଶ୍ୟ ରବିବାର ତେଲେଙ୍ଗାନାରେ ଦେଖିବାକୁ ମିଳିଛି। ଏଠାରେ ପୁଲିସ ପୋଷାକରେ ଥିବା ଡିଏସପି ପିତା ନିଜ ଏସ୍ପି ବନିଥିବା ଝିଅକୁ ସ୍ୟାଲୁଟ ମାରିଥିବା ଦେଖିବାକୁ ମିଳିଥିଲା। ଏହି ଦୃଶ୍ୟ ଦେଖିବା ପରେ ସେଠାରେ ଉପସ୍ଥିତ ଲୋକମାନଙ୍କ ମୁଖରେ ଏକ ଅଦ୍ଭୁତ ଖୁସି ଖେଳି ଯାଇଥିଲା। କେବଳ ଏତିକି ନୁହେଁ, ଡିଏସପି ପିତାଙ୍କ ଛାତି ବି ଗର୍ବରେ କୁଣ୍ଢେମୋଟ ହୋଇ ଯାଇଥିଲା।
ହାଇଦ୍ରାବାଦରେ ଡିଏସପି ଉମାମେହଶ୍ୱରା ଶର୍ମା ଆଗାମୀ ବର୍ଷ ଅବସର ନେବେ। ସେ ପାଖାପାଖି ୩୦ବର୍ଷ ହେବ ପୁଲିସ ବିଭାଗରେ କାମ କରି ଆସୁଛନ୍ତି। ସେହିପରି ତାଙ୍କ ଝିଅ ସିନ୍ଧୁ ଶର୍ମା ଚାରିବର୍ଷ ପୂର୍ବରୁ ପୁଲିସ ବିଭାଗରେ ଚାକିରି କରୁଛନ୍ତି। ଝିଅ ଭାରତୀୟ ପୁଲିସ ସେବା (ଆଇପିଏସ୍)ର ୨୦୧୪ ବ୍ୟାଚର ଅଧିକାରୀ। ରବିବାର ପିତା ଓ ଝିଅଙ୍କର ଯେତେବେଳେ ସାମ୍ନାସାମ୍ନି ହୋଇଥିଲା ସେତେବେଳେ ଏ.ଆର ଉମାମହେଶ୍ୱରା ଶର୍ମା ଗର୍ବ ସହକାରେ ବରିଷ୍ଠ ଅଧିକାରୀ ଥିବା ନିଜ ଝିଅ ସିନ୍ଧୁ ଶର୍ମାଙ୍କୁ ସ୍ୟାଲୁଟ ମାରିଥିଲେ।
ସିନ୍ଧୁ ବର୍ତ୍ତମାନ ତେଲେଙ୍ଗାନାର ଜଗତିୟାଲ ଜିଲ୍ଲାରେ ପୁଲିସ ଅଧୀକ୍ଷକ ଅଛନ୍ତି। ଉମାମହେଶ୍ୱରା ଶର୍ମାଙ୍କ କହିବାନୁସାରେ, ପ୍ରଥମ ଥର ଡିୟୁଟି କରିବା ସମୟରେ ଝିଅ ଓ ମୁଁ ସାମ୍ନାସାମ୍ନି ହୋଇଥିଲୁ। ମୁଁ ଭାଗ୍ୟଶାଳୀ କି ଝିଅ ସହିତ କାମ କରିବାର ମଉକା ମିଳିଛି। ମୋ ଝିଅ ମୋର ବରିଷ୍ଠ ଅଧିକାରୀ। ମୁଁ ଝିଅକୁ ଯେତେବେଳେ ଦେଖେ ସଲାମ୍ କରିଥାଏ। ଏପରି କରିବା ଦ୍ୱାରା ମୋତେ ଅଦ୍ଭୁତ ଖୁସି ମିଳିଥାଏ। କର୍ମ କ୍ଷେତ୍ରରେ ଆମେ ନିଜନିଜ ଡିୟୁଟି କରିଥାଉ କିନ୍ତୁ ଘରେ ଆମେ ସାଧାରଣ ବାପ-ଝିଅ ଭଳି ଚଳି ଥାଉ।