ନୂଆଦିଲ୍ଲୀ: ଜମିରେ ପକାଇବାକୁ ନା ଆବଶ୍ୟକ କୀଟନାଶକ ନା ଥାଏ ଫସଲ ହାନିର ଚିନ୍ତା | କାରଣ ଜମିରୁ ସମସ୍ତ ପ୍ରକାରର କୀଟଙ୍କୁ ଖାଇ ସଫା କରିଦିଅନ୍ତି ବତକ | ଥାଇଲାଣ୍ଡରେ ବତକଙ୍କ ସାହାଯ୍ୟରେ କରାଯାଉଥିବା ଏହି ଜମି ସଫେଇ କାମ ଆପଣ ଦେଖିଲେ ବି ଆଶ୍ଚର୍ଯ୍ୟ ହୋଇ ରହିଯିବେ | କାରଣ ବିନା କୌଣସି ଖର୍ଚ୍ଚରେ ଏକର ଏକର ଜମିକୁ ବତକ କୀଟମୁକ୍ତ କରିଦିଅନ୍ତି |
ଏକାସାଙ୍ଗରେ ୧୦ ହଜାର ବତକଙ୍କ ମେଳି | ଥାଇଲାଣ୍ଡର ନାଖନ ପଥୋମ ଅଂଚଳର ଚାଷୀମାନେ ଧାନ ଅମଳ କରିବା ପରେ ଏହି ବତକମାନଙ୍କୁ ନିୟୋଜିତ କରନ୍ତି | ଜମି ସଫା କରିବା ପାଇଁ ଚାଷୀମାନେ ବତକ ଫାର୍ମ କରିଥିବା ବ୍ୟକ୍ତିମାନଙ୍କୁ ଯୋଗାଯୋଗ କରିଥାନ୍ତି | ଆଉ ନିଜ ବତକମାନଙ୍କୁ ଧରି ଫାର୍ମ ମାଲିକମାନେ ଜମିରେ ହାଜର ହୋଇଯାଇଥାନ୍ତି | ଚାଷ ପୂର୍ବରୁ ବତକମାନେ ଜମିରେ ବୁଲିବୁଲି କୀଟମାନଙ୍କୁ ଖାଇ ସଫା କରିଥାନ୍ତି | ଏଥିରେ ଉଭୟ ଜମି ମାଲିକ ଓ ଫାର୍ମ ମାଲିକଙ୍କୁ ଲାଭ ମିଳିଥାଏ | କାରଣ ବତକମାନେ କୀଟ ଖାଇ ଦେଉଥିବାରୁ କୀଟନାଶକର ଆବଶ୍ୟକ ପଡ଼ିନଥାଏ |
10,000 ducks invade in Nakhon Pathom Province in Thailand https://t.co/BbgPTB7f27pic.twitter.com/OxeWlMmft8
— Reuters (@Reuters) September 15, 2020
ଅନ୍ୟପଟେ ଫାର୍ମ ମାଲିକମାନେ ମଧ୍ୟ ବତକଙ୍କ ଖାଦ୍ୟପେୟ ପାଇଁ ଖର୍ଚ୍ଚ କରିବାକୁ ପଡ଼ିନଥାଏ | ଏହି ବତକମାନେ ଏହି କାମରେ ଏମିତି ପାରଙ୍ଗମ ଯେ ଇସାରା କରିଦେବା ମାତ୍ରେ ଜମିରେ ଯାଇ କୀଟମାନଙ୍କୁ ଖାଇଦେଇଥାନ୍ତି | ୧୫ ଏକର ଜମିକୁ ସଫା କରିବାକୁ ଦଶ ହଜାର ବତକଙ୍କୁ ଏକ ସପ୍ତାହ ସମୟ ଲାଗିଥାଏ | କେବଳ କୀଟ ଖାଇବା ନୁହେଁ ବରଂ ବତକମାନେ ଜମିକୁ ସମତଳ ମଧ୍ୟ କରିଦେଥାନ୍ତି, ଯେଉଁଥିପାଇଁ ଚାଷୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିନଥାଏ |