ଦୁଶ୍ଚିନ୍ତା ଓ ଅବସାଦ, ଶରୀରରେ ରକ୍ତ ଜମାଟ ବାନ୍ଧିବା ଆଶଙ୍କାକୁ ୫୦ ପ୍ରତିଶତ ବଢ଼ାଇ ଦେଇଥାଏ ବୋଲି ଏକ ସଦ୍ୟ ଅନୁଧ୍ୟାନରୁ ଜଣାଯାଇଛି। ମସ୍ତିଷ୍କର ଇମେଜିଂରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ, ମସ୍ତିଷ୍କରେ ମାନସିକ ଚାପ ସହ ଜଡ଼ିତ କାର୍ଯ୍ୟକଳାପ ବଢ଼ିଲେ ‘ଡିପ୍ ଭେନ୍ ଥ୍ରମ୍ବୋସିସ୍’ ହେବାର ଆଶଙ୍କା ବୃଦ୍ଧିପାଏ, ଯହିଁରେ ଶିରାରେ ରକ୍ତ ଜମାଟ ବାନ୍ଧିଥାଏ। ଏହି ଅନୁଧ୍ୟାନରେ ଆମେରିକାର ମାସାଚ୍ୟୁସେଟ୍ସ ଜେନେରାଲ୍ ହସ୍ପିଟାଲ୍ର ପ୍ରାୟ ୧.୧ ଲକ୍ଷ ରୋଗୀଙ୍କୁ ସାମିଲ କରାଯାଇଥିଲା। ସେମାନଙ୍କର ଦୁଶ୍ଚିନ୍ତା ଓ ଅବସାଦ ସହ ଡିପ୍ ଭେନ୍ ଥ୍ରମ୍ବୋସିସ୍ର କିଛି ସମ୍ପର୍କ ରହିଛି ନା ନାହିଁ, ତାହା ବିଶ୍ଳେଷଣ କରି ଗବେଷକମାନେ ଏପରି ନିର୍ଯାସ ପାଇପାରିଛନ୍ତି। ଗବେଷଣାର ଅଂଶବିଶେଷ ସାଜିଥିବା ଏହି ରୋଗୀଙ୍କ ହାରାହାରି ବୟସ ୫୮ ବର୍ଷ ହୋଇଥିବା ବେଳେ ସେମାନଙ୍କ ଭିତରୁ ୫୭ ପ୍ରତିଶତ ଥିଲେ ମହିଳା। ସେହିପରି ସମସ୍ତଙ୍କ ଭିତରେ ୪୪ ପ୍ରତିଶତଙ୍କର କର୍କଟ ଇତିହାସ ରହିଥିଲା। ତେବେ କର୍କଟ ରୋଗର ପ୍ରଭାବରୁ ରକ୍ତ ଜମାଟ ବାନ୍ଧିବାର ସମ୍ଭାବନା ବଦଳିନଥିଲା। ତିନି ବର୍ଷର ଅନୁଧ୍ୟାନ ପରେ ପ୍ରାୟ ୧,୭୮୧ ଜଣ ବା ୧.୫ ପ୍ରତିଶତ ରୋଗୀଙ୍କର ରକ୍ତ ଜମାଟ ବାନ୍ଧିବା ଅବସ୍ଥା ବିକଶିତ ହୋଇଥିବା ଜଣାପଡ଼ିଥିଲା। କେବଳ ଦୁଶ୍ଚିନ୍ତା ଭୋଗୁଥିବା ବା ମାନସିକ ଅବସାଦରେ ସନ୍ତୁଳି ହେଉଥିବା ରୋଗୀ ଡିପ୍ ଭେନ୍ ଥ୍ରମ୍ବୋସିସ୍ରେ ଆକ୍ରାନ୍ତ ହେବାର ଆଶଙ୍କା ୫୦ ପ୍ରତିଶତ ଥିଲା ବେଳେ ଉଭୟ ମାନସିକ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ଥ୍ରମ୍ବୋସିସ୍ ହେବାର ଆଶଙ୍କା ୭୫ ପ୍ରତିଶତ ବୋଲି ଜଣାଯାଇଛି। ସୁତରାଂ ଡିପ୍ ଭେନ୍ ଥ୍ରମ୍ବୋସିସ୍ର ମୁଖ୍ୟ କାରଣ ଭାବେ ଦୁଶ୍ଚିନ୍ତା ଓ ମାନସିକ ଅବସାଦକୁ ଗବେଷକମାନେ ଦାୟୀ କରିଛନ୍ତି।
ଦୁଶ୍ଚିନ୍ତା ବା ଅବସାଦ ମଧ୍ୟରୁ ଗୋଟିଏ ଭୋଗୁଥିବା ରୋଗୀ ଡିପ୍ ଭେନ୍ ଥ୍ରମ୍ବୋସିସ୍ ଆକ୍ରାନ୍ତ ହେବାର ଆଶଙ୍କା ୫୦%, ଉଭୟ ରୋଗ ଥିଲେ ଏହି ଆଶଙ୍କା ହେଉଛି ୭୫%
ମାନସିକ ସ୍ବାସ୍ଥ୍ୟ ପାଇଁ ଖାଦ୍ୟ
ସାମ୍ପ୍ରତିକ ଦ୍ରୁତ ଗତିଶୀଳ ଦୁନିଆରେ ବ୍ୟକ୍ତିଗତ ଓ ପେସାଗତ ଜୀବନ ମଧ୍ୟରେ ଉପଯୁକ୍ତ ସନ୍ତୁଳନ ବଜାୟ ରଖିବା ଏକ ଆହ୍ବାନ। ପରିସ୍ଥିତି ଚାପରେ ଆମେ ଭୁଲିଯାଇଥାଉ ଯେ ଆମର ସମଗ୍ର ସୁସ୍ଥତା ପାଇଁ ମାନସିକ ସ୍ବାସ୍ଥ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଉତ୍କଣ୍ଠା, ଚାପ କିମ୍ବା ଦୁଃଖର କ୍ରମାଗତ ଭାବନା ଅବସାଦର କାରଣ ହୋଇପାରେ। ତାହାକୁ ନିୟନ୍ତ୍ରଣ କରାନଗଲେ ତାହା ଦୈନନ୍ଦିନ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରିପାରେ। ଏପରି କିଛି ଖାଦ୍ୟ ରହିଛି ଯାହା ମାନସିକ ସ୍ବାସ୍ଥ୍ୟକୁ ସୁଦୃଢ଼ କରିବାରେ ସହାୟକ ହୋଇଥାଏ।
ସାଲମନ୍ ମାଛକୁ ସୁସ୍ଥ ଖାଦ୍ୟ ଅଭ୍ୟାସର ଏକ ମୁଖ୍ୟ ଉପାଦାନ ଭାବେ ବିବେଚନା କରାଯାଏ। ଏଥିରେ ଓମେଗା-୩ ଚର୍ବିଳାମ୍ଳ ଭରପୂର ରହିଛି, ଯାହା ଅବସାଦର ଲକ୍ଷଣ ଓ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଦୂର କରିଥାଏ। ସ୍ମରଣ ଶକ୍ତିକୁ ମଧ୍ୟ ଶାଣିତ ତଥା ଉନ୍ନତ କରିବାରେ ସାଲମନ୍ ମାଛ ଏକ ପ୍ରକୃଷ୍ଟ ଖାଦ୍ୟ।
ତତ୍କାଳ ମନୋଭାବ ଉତ୍ପ୍ରେରକ ହିସାବରେ କମଳାର ଭୂମିକା ଗୁରୁତ୍ବପୂର୍ଣ୍ଣ। ଏଥିରେ ଥିବା ଭିଟାମିନ୍-ସି ଚାପ ହ୍ରାସ କରାଇଥାଏ। ଏକ ଉତ୍ତମ ଆଣ୍ଟିଅକ୍ସିଡାଣ୍ଟ୍ ଭାବରେ ଏହା ଚିନ୍ତା ଉପଶମକାରୀ ଗୁଣକୁ ପ୍ରୋତ୍ସାହିତ କରିଥାଏ।
ଷ୍ଟ୍ରବେରି, ବ୍ଳୁବେରି ପରି କୋଳି ମାନସିକ ସୁସ୍ଥତାରେ ଉନ୍ନତି ଆଣିଥାଏ। କୋଳିଗୁଡ଼ିକ ଆଣ୍ଟିଅକ୍ସିଡାଣ୍ଟ୍ ସମୃଦ୍ଧ ହୋଇଥିବାରୁ ସେଗୁଡ଼ିକ ମାନସିକ ଦୁଶ୍ଚିନ୍ତା ବା ଅବସାଦର ମୁକାବିଲା କରିପାରିବ।
କନ୍ଦମୂଳ ମାନସିକ ସୁସ୍ଥତା ବଜାୟ ରଖିବାର ଏକ ଅମୋଘ ଅସ୍ତ୍ର। ଏଥିରେ ଉଚ୍ଚମାନର ଭିଟାମିନ ବି-୬ ଥାଏ, ଯାହା ସିରୋଟୋନିନ୍ ଓ ଡୋପାମାଇନ୍ ଭଳି ହରମୋନ୍ କ୍ଷରଣକୁ ତ୍ବରାନ୍ବିତ କରେ। ଏହି ହରମୋନ୍ଗୁଡ଼ିକ ମନୋବଳକୁ ନିୟନ୍ତ୍ରିତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥା’ନ୍ତି।