ଗୁରୁଗ୍ରାମ ଦୁର୍ଗା ପୂଜା ପେଣ୍ଡାଲରେ ୪୩୪ଜଣ ଭକ୍ତ ଶଙ୍ଖ ବଜାଇ ସୃଷ୍ଟି କଲେ ବିଶ୍ୱ ରେକର୍ଡ଼

ଗୁରୁଗ୍ରାମ: ଚଳିତ ବର୍ଷ କିଛି ନୂଆ କରିବାକୁ ଯାଇ ବିଶ୍ୱ ରେକର୍ଡ଼ ସୃଷ୍ଟି କରିବାରେ ସଫଳ ହୋଇଛି ଗୁରୁଗ୍ରାମରେ ଥିବା ଦୁର୍ଗା ପୂଜା ପେଣ୍ଡାଲ । ପ୍ରତିବର୍ଷ ବଙ୍ଗୀୟ ପରିଷଦ ଦ୍ୱାରା ଏଠାରେ ଦୁର୍ଗାପୂଜାର ଆୟୋଜନ କରାଯାଉଥିବା ବେଳେ ଚଳିତ ବର୍ଷ ସଦସ୍ୟ ଏବଂ ଭକ୍ତମାନଙ୍କୁ ନେଇ କିଛି ନୂଆ କରିବାକୁ ଭାବିଥିଲା ବଙ୍ଗୀୟ ପରିଷଦ । ଯାହା ପରେ ଏଥିରେ ସଫଳ ହୋଇଥିବା ଜଣା ପଡ଼ିଛି । ୨୦୧୩ରେ ୨୯୫ଭକ୍ତମାନେ ଏକା ସାଙ୍ଗରେ ଶଙ୍ଖ ବଜାଇ ବିଶ୍ୱ ରେକର୍ଡ଼ କରିଥିବା ବେଳେ ଏହି ରେକର୍ଡ଼କୁ ଭାଙ୍ଗିବାରେ ସଫଳ ହୋଇଛି ବଙ୍ଗୀୟ ପରିଷଦ । ୧୦ସେକେଣ୍ଡ ପର୍ଯ୍ୟନ୍ତ ନ ରହି ୪୩୪ଜଣ ଭକ୍ତ ଶଙ୍ଖ ବଜାଇ ୨୦୧୩ରେ ସୃଷ୍ଟି କରାଯାଇଥିବା ରେକର୍ଡ଼କୁ ଭାଙ୍ଗିବାରେ ସଫଳ ହୋଇଥିଲେ ।

Indiatimes.com

ସୂଚନା ମୁତାବକ, ଏହି ରେକର୍ଡ଼ ଭାଙ୍ଗିବା କାର୍ଯ୍ୟକ୍ରମଟି ଅକ୍ଟୋବର ୧୭ରେ ଆୟୋଜିତ କରାଯାଇଥିବା ଜଣା ପଡ଼ିଛି । ପ୍ରଥମେ ଏହି ପ୍ରତିଯୋଗୀତାରେ ୪୭୨ଜଣ ଭାଗ ନେଇଥିଲେ । ସେମାନଙ୍କୁ ଜଜ୍‌ କରିବା ପାଇଁ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡ଼୍‍ ରେକର୍ଡ଼ ତରଫରୁ ୧୦ଜଣ ଜଜ୍‌ ଏବଂ ୨ଜଣ ସାକ୍ଷୀ ସେଠାରେ ଉପସ୍ଥିତ ଥିଲେ । ପ୍ରତିଯୋଗୀତା ଆରମ୍ଭ ହେବା ପରେ ସମସ୍ତଙ୍କୁ ଏକା ସାଙ୍ଗରେ ଏକା ତାଳରେ ଶଙ୍ଖ ବଜାଇବା ପାଇଁ କୁହାଯାଇଥିଲା । ୩ଥର ଚେଷ୍ଟା କରିବା ପରେ ୪୭୨ରୁ ୪୩୪ଜଣ ପ୍ରତିଯୋଗୀତାରେ ସଫଳ ହୋଇଥିଲେ । ୪୭୨ଜଣଙ୍କୁ ୫୦ଜଣିଆ ଗ୍ରୁପ୍‌ କରାଯାଇ ଏକ ଘଣ୍ଟା ପର୍ଯ୍ୟନ୍ତ ପରୀକ୍ଷା କରାଯାଇଥିଲା । ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡ଼୍‍ ରେକର୍ଡ଼ରେ ଏହି କାର୍ଯ୍ୟକ୍ରମକୁ ସାମିଲ କରିବା ପାଇଁ ବଙ୍ଗୀୟ ପରିଷଦ ତରଫରୁ ଫେବ୍ରୁଆରି ମାସରେ ଆବେଦନ କରାଯାଇଥିଲା । ଆବେଦନ ଗ୍ରହଣ କରାଯିବା ପରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ସମ୍ବନ୍ଧିତ ଖବର