କାହିଁ କେଉଁ କାଳରୁ ଦୀପାବଳି ଆଲୋକ, ଖୁସିବାସି ଓ ମିଳାମିଶାର ପର୍ବ ହୋଇ ରହି ଆସିଛି। ମାତ୍ର ଆଜ୍‌ମା ବା ଶ୍ବାସରୋଗରେ ପୀଡ଼ିତ ଲୋକଙ୍କ ପାଇଁ ଏହା ସାଂଘାତିକ ସ୍ବାସ୍ଥ୍ୟ ସମସ୍ୟା ଆଣିବାର ଆଶଙ୍କା ରହିଛି। ଫୁସ୍‌ଫୁସ୍‌ ଫୁଲିବା ସହ ଜଡ଼ିତ ଏହି ରୋଗ ଦ୍ବାରା ଶ୍ବାସନଳୀ ସହ ସଂପୃକ୍ତ ଥିବା ସ୍ନାୟୁତନ୍ତୁଗୁଡ଼ିକର ସମ୍ବେଦନଶୀଳତା ପ୍ରଭାବିତ ହୋଇଥାଏ। ଆଜ୍‌ମା ଆକ୍ରମଣ ବେଳେ ଶ୍ବାସନଳୀର ପାର୍ଶ୍ବଗୁଡ଼ିକ ଫୁଲିଯାଇ ତାହା ଦେଇ ପ୍ରବେଶ କରୁଥିବା ଓ ଫୁସ୍‌ଫୁସ୍‌ରୁ ବାହାରୁଥିବା ପବନର ସ୍ରୋତକୁ କ୍ଷୀଣ କରିଦେଇଥାଏ। ଏହି ରୋଗର ସାଧାରଣ ଲକ୍ଷଣ ହେଲା ପ୍ରଶ୍ବାସ ନେବା କି ନିଃଶ୍ବାସ ଛାଡ଼ିବା ବେଳେ ଧଇଁସଇଁ ହେବା ଓ ଛାତିଭିତରଟା ରୁନ୍ଧି ହେଲା ଭଳି ଲାଗିବା। ତେଣୁ ଦୀପାବଳି ବେଳେ ବାୟୁ ପ୍ରଦୂଷଣ ଆଜ୍‌ମାର ଲକ୍ଷଣକୁ ଆହୁରି ବଢ଼ାଇଦେଇଥାଏ। ଚରମ ପରିସ୍ଥିତିରେ ଶ୍ବାସକ୍ରିୟା ବନ୍ଦ ହୋଇ ମସ୍ତିଷ୍କଘାତ ହେବାର ଆଶଙ୍କା ରହିଛି। ତେଣୁ ଦୀପାବଳିରେ ଶ୍ବାସରୋଗୀମାନେ କିପରି ସତର୍କ ରହିପାରିବେ, ସେ ବାବଦରେ ଜାଣିବା।

Advertisment

ପ୍ରଥମ କଥା ହେଲା, ବାହାରର ପ୍ରଦୂଷିତ ପରିବେଶକୁ ନଯାଇ ଶ୍ବାସରୋଗୀ ଘର ଭିତରେ ନିଜକୁ ଆବଦ୍ଧ ରଖିବା ଉଚିତ। ଅଧିକ ସମୟ ବାହାରେ ରହିବାକୁ ହେଲେ ତାହା ପୂର୍ବରୁ ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ନିର୍ଦ୍ଧାରିତ ଔଷଧ ନେବା ଜରୁରି। ତଥାପି ଶ୍ବାସକ୍ରିୟାରେ କୌଣସି ସମସ୍ୟା ହେଲେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯିବା ଜରୁରି। ପରିଜନଙ୍କ ସହ ବାଣଫୁଟା ଉପଭୋଗ କରିବାକୁ ଚାହୁଥିଲେ ମୁହଁରେ ଅନବରତ ମାସ୍କ ପରିଧାନ କରିବା ବାଞ୍ଛନୀୟ। ଏହାଦ୍ବାରା ଶ୍ବାସକ୍ରିୟାକୁ ବାଣଟୁକୁରା ଓ ଧୂଆଁରୁ ମୁକ୍ତ ରଖି ସମ୍ଭାବ୍ୟ ଆଜ୍‌ମା ଆକ୍ରମଣରୁ ସୁରକ୍ଷିତ ରହିହେବ। ପାଖରେ ଇନ୍‌ହେଲର୍‌ ରଖିବା ଓ ନିୟମିତ ପ୍ରୟୋଗ କରିବା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଦୀପାବଳି ପାଇଁ ସାଧାରଣତଃ ଘରଦ୍ବାର ସଫାସୁତର କରାଯାଇଥାଏ। ସେହି ସମୟରେ ଶ୍ବାସରୋଗୀ ଧୂଳିକଣାରୁ ଦୂରେଇ ରହିବା ଜରୁରି। ଏହା ପିଠାପଣାର ପର୍ବ ହୋଇଥିବାରୁ ଅନେକଙ୍କର ଖାଦ୍ୟଲାଳସା ବଢ଼ିଥାଏ। ମାତ୍ର ଆଜ୍‌ମା ପୀଡ଼ିତମାନେ ଅଳ୍ପ ତଥା ସନ୍ତୁଳିତ ଖାଦ୍ୟ ଖାଇବା ଦରକାର। ବିଶେଷ କରି ଚର୍ବିଳ ପିଠାପଣା ଓ ମଦ୍ୟପାନଠାରୁ ଦୂରେଇ ରହିବା ଗୁରୁତ୍ବପୂର୍ଣ୍ଣ।