ଝିପିଝିପି ବର୍ଷାରେ ଟ୍ରାଫିକ ପୋଷ୍ଟରେ ଦାୟିତ୍ୱ ସମ୍ଭାଳିଲେ ପୁଲିସ ବାବୁ

ବ୍ରହ୍ମପୁର: ଦାୟିତ୍ୱ ଆଗ, ବର୍ଷା ପଛ | ଝିପିଝିପି ବର୍ଷାରେ ଆଜି ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକି ଦାୟିତ୍ୱ ପ୍ରତି କେତେ ନିଷ୍ଠା ରଖାଯାଇପାରେ ତାହାକୁ ପ୍ରମାଣିତ କରିଛି | ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରୁ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି | ଯାହାକୁ ବ୍ରହ୍ମପୁର ଏସପି ପ୍ରଶଂସା କରିବା ସହ ନିଜ ଟ୍ୱିଟରରେ ଭିଡିଓଟିଏ ସେୟାର କରିଛନ୍ତି | ମିଳିଥିବା ସୂଚନା ମୁତାବକ ବ୍ରହ୍ମପୁର ସହରର କମାପଲ୍ଲୀ ଛକରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ମୁତୟନ ହୋଇଥିଲେ ହୋମଗାର୍ଡ ଏସ ଚନ୍ଦ୍ରଶେଖର |


ଚନ୍ଦ୍ରଶେଖର ଡ୍ୟୁଟିରେ ଥିବାବେଳେ ବର୍ଷା ମଧ୍ୟ ହୋଇଥିଲା | କିନ୍ତୁ କାଳେ ତାଙ୍କ ଅନୁପସ୍ଥିତିରେ କିଛି ଦୁର୍ଘଟଣା ଘଟିଯିବ ସେଥିପାଇଁ ସେ ସ୍ଥାନରୁ ଚନ୍ଦ୍ରଶେଖର ଯାଇନଥିଲେ | ରେନିକୋଟ ଖଣ୍ଡେ ପିନ୍ଧି ଟ୍ରାଫିକ ନିୟନ୍ତ୍ରଣ କରୁଥିବାର ଦେଖିବାକୁ ମିଳିଥିଲା | ଶୀତ ଦିନରେ ଅଦିନିଆ ବର୍ଷା ଯୋଗୁଁ ଲୋକେ ଘରୁ ଗୋଡ଼ କାଢ଼ିବାକୁ ମଙ୍ଗୁନଥିବାବେଳେ ଏହି ପୁଲିସ କର୍ମୀ ଜଣକ ନିଜର କର୍ତ୍ତବ୍ୟ କରିବାରେ ଟିକିଏ ବି ହେଳା କରିନାହାନ୍ତି ।

ତାଙ୍କର ଏପରି କାର୍ଯ୍ୟଶୈଳୀ ପାଇଁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି । ଲୋକଙ୍କୁ ସୁବିଧାରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାର ପାଇଁ ବର୍ଷାରେ ଛିଡ଼ା ହୋଇ କାର୍ଯ୍ୟ କରୁଛନ୍ତି । ଟ୍ରାଫିକ ପୋଷ୍ଟରେ ଅଧିକ ଭିଡ଼ ନଥିଲେ ମଧ୍ୟ ନିଜ କର୍ମରୁ ବିରତ ହୋଇନାହାନ୍ତି ।

ସମ୍ବନ୍ଧିତ ଖବର