ଏକାଦଶୀ ପରି ଦ୍ୱାଦଶୀକୁ ମଧ୍ୟ ଏକ ପୁଣ୍ୟତିଥି ଭାବରେ ଗଣନା କରାଯାଏ। ଭଗବାନ ବିଷ୍ଣୁଙ୍କର ଏହି ତିଥି ଅତ୍ୟନ୍ତ ପ୍ରିୟ। ବାମନ, କୂର୍ମ ଓ ନରସିଂହ ଅବତାରରେ, ଭଗବାନ ବିଷ୍ଣୁ ଏହି ତିଥିରେ ଧରାବତରଣ କରିଥିଲେ। କୁହାଯାଏ, କଳ୍କୀ ଅବତାରରେ ସେ ଏହି ତିଥିରେ ଧରାବତରଣ କରିବେ।
ବର୍ଷ ମଧ୍ୟରେ ତିଳଦ୍ୱାଦଶୀ, ଭୀଷ୍ମଦ୍ୱାଦଶୀ, ଗୋବିନ୍ଦ ଦ୍ୱାଦଶୀ, ଚମ୍ପକ ଦ୍ୱାଦଶୀ, ବାମନ ଦ୍ୱାଦଶୀ, ପଦ୍ମନାଭ ଦ୍ୱାଦଶୀ ଆଦି ଅନେକ ଦ୍ୱାଦଶୀକୁ ମହା ସମାରୋହରେ ପାଳନ କରାଯାଇଥାଏ। ସେହିପରି, ମାର୍ଗଶିର ମାସରେ ପଡ଼ୁଥିବା ଦ୍ୱାଦଶୀକୁ ଅଖଣ୍ଡ ଦ୍ୱାଦଶୀ କୁହାଯାଏ। ଏହି ଦ୍ୱାଦଶୀରେ ଉପବାସ ଓ ବ୍ରତ କଲେ ମନୁଷ୍ୟର ସମସ୍ତ ପାପ ଖଣ୍ଡିତ ହୋଇଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ଦ୍ୱାଦଶୀ ତିଥିର ବିଶେଷତ୍ୱ ହେଉଛି, ଏହିଦିନ ପବିତ୍ର ତୁଳସୀ ବୃକ୍ଷର ପୂଜା କରାଯାଏ। ବିଶ୍ୱାସ କରାଯାଏ, ଯେ ପବିତ୍ର ତୁଳସୀ ଜଳର ସ୍ପର୍ଶ ମାତ୍ର, ସମସ୍ତ ପାପ ଖଣ୍ଡନ ନିମିତ୍ତ ଯଥେଷ୍ଟ। ଏ ସଂପର୍କରେ ପୁରାଣରେ ଏକ କାହାଣୀ ବର୍ଣ୍ଣିତ ଅଛି।
ପ୍ରାଚୀନ କାଳରେ ସତ୍ୟଶୀଳ ନାମକ ଏକ ବ୍ରାହ୍ମଣ ସହିତ ମାଳିନୀ ନାମକ ଏକ ସୁନ୍ଦରୀ କନ୍ୟାର ବିବାହ ହୋଇଥିଲା। ସତ୍ୟଶୀଳ ଯେତିକି ଚରିତ୍ରବାନ ଥିଲା, ମାଳିନୀ ଥିଲା ସେତିକି ଅସତ୍ଚରିତ୍ରା। ସେହି ଦୋଷରୁ ସେ ଅନେକ ଜନ୍ମଧରି ଶ୍ୱାନଯୋନିରେ ଜନ୍ମଗ୍ରହଣ କରୁଥିଲା ଏବଂ ରୋଗାକ୍ରାନ୍ତ ହୋଇ କଷ୍ଟ ଭୋଗ କରୁଥିଲା। ଏକଦା ସେ ପଦ୍ମବନ୍ଧୁ ନାମକ ଜଣେ ବ୍ରାହ୍ମଣଙ୍କ ଗୃହରେ ଏକ ରୋଗାକ୍ରାନ୍ତ କୁତ୍ତୀ ହୋଇ ଜନ୍ମ ନେଇଥିଲା। ଦିନେ ପଦ୍ମବନ୍ଧୁଙ୍କ ପୁତ୍ର ଦ୍ୱାଦଶୀବ୍ରତ ପାଳନ କରି ତୁଳସୀ ବୃକ୍ଷରେ ଜଳଦାନ କରୁଥିବା ସମୟରେ, ସେହି ଜଳରୁ କିଛି ଆସି ଚଉରା ତଳେ ଶୋଇଥିବା କୁତ୍ତୀ ଉପରେ ପଡ଼ିବାରୁ ତା’ର ପାପ ଖଣ୍ଡନ ହେଲା ଏବଂ ସେ ଆରାମ ବୋଧ କଲା। ଏଥିରେ ପୁଲକିତ ହୋଇ କୁତ୍ତୀଟି ବ୍ରାହ୍ମଣପୁତ୍ରକୁ ତାର ଦ୍ୱାଦଶୀ ବ୍ରତର ପୁଣ୍ୟରୁ କିଛି ପ୍ରଦାନ କରିବାକୁ ଅନୁରୋଧ କଲା। କିନ୍ତୁ ବ୍ରାହ୍ମଣପୁତ୍ର ଏଥିରେ କୁଣ୍ଠା ପ୍ରକାଶ କରି ଯୁକ୍ତି କଲା, “ସମସ୍ତ ପ୍ରାଣୀ ନିଜ ନିଜର କର୍ମଫଳ ଭୋଗ କରନ୍ତି। ତୁ ମଧ୍ୟ ତୋର କର୍ମଫଳ ଭୋଗ କର।” କୁତ୍ତୀଟି ଯେତେ ଅନୁରୋଧ କଲେ ମଧ୍ୟ, ବ୍ରାହ୍ମଣପୁତ୍ର ତା’ ଜିଦ୍ରେ ଅଟଳ ରହିଲା।
ପଦ୍ମବନ୍ଧୁ ଏ ସଂପର୍କରେ ଯେତେବେଳେ ଜାଣିଲେ, ସେତେବେଳେ କହିଲେ, “ଚନ୍ଦ୍ର, ସୂର୍ଯ୍ୟ, ବାୟୁ, ଅଗ୍ନି, ଜଳ, ଚନ୍ଦନ, ବୃକ୍ଷ ଆଦି ଯେପରି କୌଣସି ଭେଦଭାବ ନରଖି ସମସ୍ତଙ୍କର ସେବା କରନ୍ତି, ସାଧୁପୁରୁଷମାନେ ସେପରି ହେବା ଉଚିତ୍।” ଏହା କହିବା ସହିତ ପଦ୍ମବନ୍ଧୁ କୁତ୍ତୀଟି ପାଖକୁ ଆସି ତାକୁ କହିଲେ “ମୁଁ ମୋର ଦ୍ୱାଦଶୀ ବ୍ରତର ସମସ୍ତ ପୁଣ୍ୟ ତୋତେ ଅର୍ପଣ କରୁଛି।” ପଦ୍ମବନ୍ଧୁ ଏହା କହିବା ସଙ୍ଗେ ସଙ୍ଗେ, କୁତ୍ତୀଟି ତାର ସ୍ୱରୂପ ତ୍ୟାଗ କଲା ଏବଂ ଏକ ଦିବ୍ୟସୁନ୍ଦର ଶରୀର ଧାରଣ କରି ସ୍ୱର୍ଗ ଗମନ କଲା। ଅନେକ ବର୍ଷ ପରେ ସେହି ଦିବ୍ୟନାରୀ ଭଗବାନ ନରନାରାୟଣଙ୍କ ଅଂଶରୁ ଉର୍ବଶୀ ଭାବରେ ଜନ୍ମଗ୍ରହଣ କରି ତ୍ରିଲୋକ ମୋହିନୀ ହୋଇଥିଲେ।
-ଡକ୍ଟର ତୁଳସୀ ଓଝା