ସ୍ତ୍ରୀର ମୁଣ୍ଡ ଆଉଁଷି ଏଭଳି କଥା ବୁଝାଇ ସବୁଦିନ ପାଇଁ ଆଖିବୁଜି ଦେଲେ ସ୍ବାମୀ

ନୂଆଦିଲ୍ଲୀ: ଜଣେ ବୃଦ୍ଧ ମୃତ୍ୟୁ ପୂର୍ବରୁ ନିଜର ସ୍ତ୍ରୀଙ୍କୁ ଆଶ୍ବସନା ଦେଇ ଧୌର୍ଯ୍ୟଧରି ରହିବାକୁ ବୁଝାଉଥିବାର ଏକ ଭାବବିହ୍ବଳ ଘଟଣା ସାମ୍ନାକୁ ଆସିଛି। ଏଭଳି ଏକ ଘଟଣା ଉତ୍ତର ଚୀନରେ ଘଟିଥିବା ଜଣାପଡ଼ିଛି। ବୃଦ୍ଧ ଦମ୍ପତିଙ୍କ ବାର୍ତ୍ତାଳାପ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଦମ୍ପତି ୬୪ବର୍ଷ ହେବ ଏକାଠି ହସଖୁସିରେ ସଂସାର କରି ଆସିଥିଲେ। କିନ୍ତୁ ଅସୁସ୍ଥତା ହେତୁ ଗତବର୍ଷ ଡିସେମ୍ବର ମାସରେ ୮୮ବର୍ଷ ବୟସେରେ ବୃଦ୍ଧଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ବୃଦ୍ଧ ଓ ବୃଦ୍ଧା ବସି କଥା ହେଉଥିବାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ତେବେ ଏହି ଭିଡିଓକୁ ବୃଦ୍ଧ ଦମ୍ପତିଙ୍କ ଜଣେ ସମ୍ପର୍କୀୟ ସେହି ସମୟରେ ରେକର୍ଡ କରିଥିବା ଜଣାପଡ଼ିଛି।

ବୃଦ୍ଧ ଦମ୍ପତିଙ୍କ ସମ୍ପର୍କୀୟ ଶିନ ଜିଙ୍ଗ ଜିୟା ଭିଡିଓ ସେୟାର କରି କହିଛନ୍ତି,‘ଶେଷରେ ମୋର ଜେଜେ ବାପା ଚାଲିଗଲେ। ଜେଜେ ମା’ ଛୋଟ ଛୁଆଙ୍କ ଭଳି ଭୋଭୋ ହୋଇ କାନ୍ଦୁଛି। ୬୪ତମ ବିବାହ ବାର୍ଷିକୀ ପାଳନ କରିବା ପରେ ଜେଜେ ବାପା ମୋ ଜେଜେ ମା’ଙ୍କୁ ସବୁଦିନ ପାଇଁ ଛାଡ଼ି ଚାଲିଗଲେ। କିନ୍ତୁ ଜେଜେବାପା ମୃତ୍ୟୁ ପୂର୍ବରୁ ଜେଜେମା’ଙ୍କୁ କହିଥିଲେ, ତୁ ଧୌର୍ଯ୍ୟ ଧର, ମନକୁ ଦୃଢ଼ କର। ଦୁଃଖ ହେତୁ ନିଜର ଆବଶ୍ୟକ ଜିନିଷକୁ ହେଳା କରିବୁ ନାହିଁ। ଠିକ ସମୟରେ ଖାଦ୍ୟ ଖାଇବା ସହିତ ଔଷଧ ଖାଉଥିବୁ। ତୁ ବି ବୁଢ଼ୀ ହେଲୁଣୁ, ତୋ ଦେହ ଭଲ ରହୁନି। ନିଜର ଯତ୍ନ ନେଉଥିବୁ। ଯଦିବି କେବେ ପୁଅ, ବୋହୂ, ନାତି, ନାତୁଣୀ କିଛି କହିବେ ତୁ ମନଦୁଃଖ କରିବୁ ନାହିଁ।’

ସ୍ବାମୀଙ୍କ ଠାରୁ ଏଭଳି କଥା ଶୁଣି ବୃଦ୍ଧା କହୁଛନ୍ତି, ‘ମୁଁ ତୁମକୁ ଘୃଣା କରେ। କାରଣ ତୁମେ ମୋତେ ଛାଡ଼ି ଚାଲିଯିବାକୁ ଇଚ୍ଛା କରୁଛ।’ ସ୍ତ୍ରୀଙ୍କ ଠାରୁ ଏଭଳି କଥା ଶୁଣି ବୃଦ୍ଧା କହୁଛନ୍ତି, ‘ ମୋ ପାଖରେ ଆଉ କିଛି ବିକଳ୍ପ ନାହିଁ। ମୋତେ ବି ତୋ ସହ ବଞ୍ଚି ରହିବାକୁ ବହୁତ ଇଚ୍ଛା, କିନ୍ତୁ…… ପରିସ୍ଥିତି କ’ଣ ତୁ ଭଲ ଭାବେ ଜାଣିଛୁ। କେତେବେଳେ  କିଛି ବି ଘଟିପାରେ। ତେଣୁ ତୁ ନିଜକୁ ସମ୍ଭାଳିକି ରଖ।’

ସମ୍ବନ୍ଧିତ ଖବର