ବିଜ୍ଞାନର ଅଗ୍ରଗତି ସାଙ୍ଗକୁ ଦୈନନ୍ଦିନ ବ୍ୟବହାର ଲାଗି ନାନା ପ୍ରକାରର ଅତ୍ୟାଧୁନିକ ଉପକରରଣମାନ ବିକଶିତ ହେଉଛି। ଏହି କ୍ରମରେ ‘ସୋଲ୍‌’ ନାମକ ଇ-ପୁସ୍ତକ ରିଡର ହେଉଛି ଏକ ଅଭିନବ ଉପକରଣ ଯାହାକୁ ଚଷମା ପରି ଆଖିରେ ପିନ୍ଧିହେବ। ଶହେ ଗ୍ରାମ୍‌ ଓଜନର ଏହି କଳା ଚଷମା ଆକୃତିର ଇ-ରିଡରକୁ ଶୋଇବା ସମୟରେ ବହି ପଢ଼ିବା ଭଳି ଅଧିକ ଆରାମଦାୟକ ପଠନ ଅନୁଭୂତି ପାଇଁ ବିକଶିତ କରାଯାଇଛି। ପୃଷ୍ଠା ଓଲଟାଇବା ପାଇଁ ଏକ ରିମୋଟ୍‌ ନିୟନ୍ତ୍ରିତ ବୋତାମ ରହିଛି। ସୋଲ୍-ରିଡରରେ ୧.୩ ଇଞ୍ଚର ଦୁଇଟି ଇ-ଇଙ୍କ୍‌ ପରଦା ରହିଛି ଯାହା ୬୫,୫୩୬ ପିକ୍ସେଲର ଛବି ପ୍ରଦର୍ଶନ କରିବାକୁ ସକ୍ଷମ। ସେଥିରେ ଦୃଷ୍ଟିଶକ୍ତି ସହ ଖାପ ଖାଇବା ପାଇଁ ପାୱାର ବଦଳାଇବାର ବ୍ୟବସ୍ଥା ରହିଛି। ତେଣୁ ଚଷମା ପିନ୍ଧୁଥିବା ବ୍ୟକ୍ତି ଏହା ସାହାଯ୍ୟରେ ସହଜରେ ପଢ଼ିବାର ମଜା ନେଇପାରିବେ। ତେବେ ସୋଲ୍‌ ରିଡରର ଅନ୍ୟତମ ପ୍ରମୁଖ ସୁବିଧା ହେଉଛି, ଏହା ବାହାରର ଦୃଶ୍ୟକୁ ଅବରୋଧ କରିଥାଏ।

Advertisment

ଫଳରେ ପଢ଼ିବା ଉପରେ ଧ୍ୟାନକେନ୍ଦ୍ରିତ କରିବା ସହଜ ହୋଇଥାଏ। ଏଥିରେ ବହିର ପୃଷ୍ଠାଗୁଡ଼ିକ ଏଭଳି ପ୍ରଦର୍ଶିତ ହୁଏ ଯେ ତାହା ପ୍ରକୃତ ବହି ପଢ଼ିଲା ପରି ମନେ ହୁଏ। ଏଥିରେ ଖଚିତ ବ୍ୟାଟେରିଟି ୩୦ ଘଣ୍ଟାର ପଠନ ଅନୁଭୂତି ଦେଇପାରିବ। ଏହାର ତଥ୍ୟ ଗଚ୍ଛିତ କରିବା କ୍ଷମତା ୬୪ ଏମ୍‌ବିରେ ସୀମିତ। ତେବେ ମୋବାଇଲ୍‌ ଫୋନ୍‌ ସହ ସଂଯୋଗର ସୁବିଧା ଥିବାରୁ ଏଥିରେ ଅସୀମିତ ବହି ପଢ଼ି ହେବ। ତେଣୁ ସୋଲ୍‌-ରିଡରରେ ସମସ୍ତ ଇ-ପୁସ୍ତକକୁ ସଂରକ୍ଷିତ କରି ରଖିବା ଦରକାର ନାହିଁ। ବର୍ତ୍ତମାନ ସୁଦ୍ଧା ବଜାରରେ ଉପଲବ୍‌ଧ ଆମାଜନ କମ୍ପାନି ପ୍ରସ୍ତୁତ ‘କିଣ୍ଡଲ୍‌’ ନାମକ ଇ-ପୁସ୍ତକ ରିଡରଠାରୁ କେହି ଯଦି ଉନ୍ନତମାନର ଇ-ରିଡର ଚାହୁଁଛନ୍ତି, ତେବେ ସେମାନଙ୍କ ପାଇଁ ‘ସୋଲ୍‌’ ହେଉଛି ଶ୍ରେଷ୍ଠ ବିକଳ୍ପ।