ନଭେମ୍ବର ହେଉଛି ପାକସ୍ଥଳୀ କର୍କଟ ସଚେତନତା ମାସ। ଏହି ଅବସରରେ ପାକସ୍ଥଳୀ କର୍କଟର ପ୍ରାକ୍ସୂଚନା ଓ ଲକ୍ଷଣ ସମ୍ପର୍କରେ ଆଲୋଚନା କରିବା। ପାକସ୍ଥଳୀ କର୍କଟ ବା ଗ୍ୟାଷ୍ଟ୍ରିକ୍ କ୍ୟାନ୍ସର୍ ହେଉଛି ଏପରି ଏକ ରୋଗ ଯେଉଁଠି ପାକସ୍ଥଳୀର ଭିତର ପାର୍ଶ୍ବରେ କର୍କଟ କୋଷ ସୃଷ୍ଟି ହୋଇଥାଏ, ଯାହାର ଶୀଘ୍ର ଚିହ୍ନଟ ଓ ଚିକିତ୍ସା ନକଲେ ପରିସ୍ଥିତି ଘାତକ ହୋଇପାରେ। ଅନ୍ୟ ରୋଗ ପରି ଏହି ରୋଗର ମଧ୍ୟ କିଛି ପ୍ରାରମ୍ଭିକ ଲକ୍ଷଣ ରହିଛି। ସେଭଳି କିଛି ଲକ୍ଷଣ ବାବଦରେ ଜାଣିବା।
ପାକସ୍ଥଳୀ କର୍କଟର ଲକ୍ଷଣମାନଙ୍କ ଭିତରୁ ଗୋଟିଏ ହେଲା ଛାତିରେ ପୋଡ଼ାଜଳା ବା ଯନ୍ତ୍ରଣା ହେବା। କର୍କଟକୋଷ ବା ଟ୍ୟୁମର ବୃଦ୍ଧି ହେତୁ ପାକସ୍ଥଳୀର ପାର୍ଶ୍ବଦେଶରୁ ଏଭଳି ଜ୍ବଳନ ଅନୁଭବ ଆସିଥାଏ। ବେଳେବେଳେ ପେଟ ଫାମ୍ଫିଥାଏ କିମ୍ବା ଅଳ୍ପ ଖାଇଲା ପରେ ପେଟ ପୂରିଲା ଭଳି ଲାଗିଥାଏ। ହଜମକ୍ରିୟାରେ ସମସ୍ୟା ଓ ପାକସ୍ଥଳୀରେ ବର୍ଦ୍ଧିତ ଟ୍ୟୁମର୍ ସ୍ଥାନ ମାଡ଼ି ବସିଥିବାରୁ ଏପରି ହୋଇଥାଏ। କର୍କଟ ରୋଗ ମେଟାବଲିଜିମ୍ରେ ପରିବର୍ତ୍ତନ ଆଣି ହଠାତ୍ ଓଜନ କମାଇଦେଇଥାଏ ଏବଂ ପୀଡ଼ିତର ଖାଦ୍ୟ ପ୍ରତି ଆଗ୍ରହ କମିଯାଇଥାଏ। ଖୁବ୍ କମ୍ ସମୟ ଭିତରେ ଏପରି ହେଲେ, ତାହା ପାକସ୍ଥଳୀ କର୍କଟର ଲକ୍ଷଣ ହୋଇପାରେ। କ୍ରମାଗତ ଓକାର ମାଡ଼ିବା ବା ବାନ୍ତି ହେବା ପାକସ୍ଥଳୀ କର୍କଟର ଅନ୍ୟତମ ଲକ୍ଷଣ। ରକ୍ତବାନ୍ତି ଏକ ଗୁରୁତର ସଂକେତ।
ନାଭି ଉପରକୁ ଯନ୍ତ୍ରଣା ଅନ୍ୟତମ ସଂକେତ ହୋଇପାରେ। ସେହିପରି ତଣ୍ଟିରେ ଖାଦ୍ୟ ଅଟକିବା କିଂବା ଖାଦ୍ୟ ଢୋକିବାରେ ଅସୁବିଧା ହେବା ମଧ୍ୟ ଆଉ ଏକ ଲକ୍ଷଣ ହୋଇପାରେ। ବିଶେଷ କରି ବୟସ୍କମାନଙ୍କ ଠାରେ ନିର୍ଦ୍ଦିଷ୍ଟ କାରଣ ନଥାଇ ରକ୍ତହୀନତା ଦେଖାଦେବା ପଛରେ ପାକସ୍ଥଳୀ କର୍କଟର ଭୂମିକା ଥାଇପାରେ। ସାଧାରଣତଃ ଏହି ରୋଗର ଉପରବର୍ଣ୍ଣିତ ଲକ୍ଷଣଗୁଡ଼ିକ ପ୍ରାରମ୍ଭିକ ଅବସ୍ଥାରେ ସାମାନ୍ୟ ରହି ସମୟକ୍ରମେ ତୀବ୍ରତର ହୋଇଥାଏ। ତେଣୁ ପ୍ରଥମରୁ ଲକ୍ଷଣ ଚିହ୍ନଟ କରିପାରିଲେ ଆରୋଗ୍ୟଲାଭର ଅଧିକ ସମ୍ଭାବନା ଥାଏ।