ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପୂର୍ବରୁ ପତ୍ତନଗଡ଼, କୋଶଲଗଡ଼, କୁଆଁରୀପାଟଣା ଭାବେ ପରିଚିତ ଥିଲା। ପରେ ଏହାକୁ ପାଟଣାଗଡ଼ କୁହାଗଲା। ପାଟଣାଗଡ଼ର ଅଧିଷ୍ଠାତ୍ରୀ ଦେବୀ ହେଲେ ମା’ ପାଟଣେଶ୍ବରୀ। ମା’ ପାଟଣେଶ୍ବରୀ ଦୁର୍ଗାଙ୍କ ଏକ ଆଦିରୂପ। ସେ ଜଙ୍ଗଲରେ ବନଦୁର୍ଗା ଭାବେ ପୂଜା ପାଉଥିବା ବେଳେ ସହର ମଧ୍ୟରେ ପାଟଣେଶ୍ବରୀ ରୂପରେ ପୂଜା ପାଇଥାନ୍ତି। କୋଶଲ ଇତିହାସ ଅନୁଯାୟୀ, କୋଶଲଗଡ଼ ତଥା କୁଆଁରୀପାଟଣାର ପ୍ରଜାବତ୍ସଳ ରାଜା ଥିଲେ ମାଧବଚନ୍ଦ୍ର ଦେବ। ପାଟଣାଗଡ଼, କୋଶଲଗଡ଼ ବା କୁଆଁରୀପାଟଣା ରାଜ୍ୟ ଜଙ୍ଗଲ ପରିବେଷ୍ଟିତ ଥିଲା। ପ୍ରାୟ ସମୟରେ ଏହାର ରାଜଧାନୀ ପାଟଣା ଉପରେ ବନ୍ୟପ୍ରାଣୀଙ୍କ ପ୍ରାଦୁର୍ଭାବ ରହୁଥିଲା। ରାଜା ମାଧବଚନ୍ଦ୍ର ଦେବଙ୍କ ସମୟରେ ଜଙ୍ଗଲରେ ଏକ ଗଣ୍ଡାର ଦୌରାତ୍ମ୍ୟ ବଢ଼ିବାରେ ଲାଗିଥିଲା। ଗଣ୍ଡାକୁ ମାରିବା ପାଇଁ ପ୍ରୟାସ କରି ବିଫଳ ହେଉଥିଲେ ରାଜାଙ୍କ ସୈନ୍ୟସାମନ୍ତ। ପରେ ରାଜା ନିଜେ ଗଣ୍ଡାକୁ ମାରିବା ପାଇଁ ଜଙ୍ଗଲକୁ ବାହାରିଥିଲେ। ରାଜାଙ୍କ ସହ ଗଣ୍ଡାକୁ ଖୋଜିବା ଓ ମାରିବାରେ ସହାୟତା କରିବା ପାଇଁ ବହୁ ପ୍ରଜା ବାହାରିଥିଲେ। ଜଙ୍ଗଲ ମଧ୍ୟରେ ଗଣ୍ଡାକୁ ଖୋଜାଖୋଜି ଥକି ଯିବା ପରେ ରାଜା ଏକ ଗଛ ମୂଳେ ବସି ପଡ଼ିଲେ। ଏହି ସମୟରେ ଏକ ନାରୀ କଣ୍ଠସ୍ବର ଶୁଭିଲା। ଖୋଜାଖୋଜି କଲେ ବି ରାଜା କାହାକୁ ପାଇଲେ ନାହିଁ।
ପରେ ମହାଶୂନ୍ୟରୁ ପୁଣି ସ୍ବର ଶୁଭିଲା। ସେ ସ୍ବୟଂ ବନଦୁର୍ଗା ଏବଂ ରାଜାଙ୍କ ପରୀକ୍ଷା ନେବା ପାଇଁ ନିଜେ ଜଙ୍ଗଲକୁ ଆସିଛନ୍ତି ବୋଲି କହିଥିଲେ। ପରେ ମା’ ବନଦୁର୍ଗା ପ୍ରକଟ ହୋଇ ରାଜାଙ୍କୁ ଦେଖାଦେଲେ। ବନଦୁର୍ଗା ରାଜାଙ୍କ ପ୍ରଜାବତ୍ସଳତାରେ ସନ୍ତୁଷ୍ଟ ହୋଇଥିବା କହିଥିଲେ। ପରେ ରାଜା ବନଦୁର୍ଗାଙ୍କୁ ତାଙ୍କ ଇଷ୍ଟଦେବୀ ହେବା ପାଇଁ ବିନତି କରିଥିଲେ। ବନଦୁର୍ଗା ସହର ମଧ୍ୟରେ ରହିବା ପାଇଁ ଚାହି ନଥିବା ବେଳେ ‘ମୁଁ ବନଦୁର୍ଗା ବନର ଦେବୀ, ବନରେ ରହିବି’ ବୋଲି କହିଥିଲେ। ରାଜା ନଗରରେ ରହୁଥିବା ବେଳେ ବନଦୁର୍ଗାଙ୍କୁ ନଗରକୁ ନେଇ ପୂଜା ଓ ସେବା କରିବା ପାଇଁ କହିଥିଲେ। ଏଥିରେ ଦେବୀ ରାଜାଙ୍କୁ ନିକଟସ୍ଥ ବୁଠି କୁଢ଼େର ଜଙ୍ଗଲର ନିଛାଟିଆ ସ୍ଥାନରେ ୩ଟି ସାହାଡ଼ା ଗଛରେ ମୋର ନିବାସ ବୋଲି କହି ସେଠାରେ ରାଜାଙ୍କୁ ପୂଜା କରିବା ପାଇଁ କହିଥିଲେ। ନଗରକୁ ନେବାକୁ ହେଲେ ବର୍ଷକୁ ଥରେ ବରୁଆ (ମଣିଷ) ଦେହରେ ଆଶ୍ବିନ ଶୁକ୍ଳପକ୍ଷ ନବମୀ ତିଥିରେ ଯାଇ ସମସ୍ତ ପ୍ରଜାଙ୍କୁ ଦର୍ଶନ ଦେବେ ବୋଲି କହିଥିଲେ ମା’ ବନଦୁର୍ଗା। ସେହି ଦିନଠାରୁ ମା’ ବନଦୁର୍ଗା ପାଟଣାଗଡ଼ର ଅଧିଷ୍ଠାତ୍ରୀ ଦେବୀ ଭାବେ ମା’ ପାଟଣେଶ୍ବରୀ ନାମରେ ପୂଜା ପାଇଆସୁଛନ୍ତି। ପ୍ରତିବର୍ଷ ଆଶ୍ବିନ ମାସରେ ପାଟଣାଗଡ଼ ସହର କଉଡ଼ିଆ ଗ୍ରାମ ନିକଟରେ ଥିବା ତିନିଟି ଗଛ ମୂଳରେ ପୂଜା କରି ବରୁଆଙ୍କୁ ଯନ୍ତ୍ର ଉପରେ ବସାଇ ଦେବୀଙ୍କୁ ମନ୍ଦିରକୁ ଅଣାଯାଇଥାଏ। ପରେ ଶୁକ୍ଲପକ୍ଷ ନବମୀ ରାତିରେ ମନ୍ଦିର ଭିତରେ ପୂଜାର୍ଚ୍ଚନା କରି ମା’ଙ୍କୁ ବରୁଆ ଦେହରେ ପ୍ରବେଶ କରାଯାଇ ନଗରଭ୍ରମଣ, ନଗରର ସୁରକ୍ଷା ପାଇଁ ଦ୍ବାର କିଳିବା ପରେ ଜନସାଧାରଣଙ୍କୁ ଦର୍ଶନ ଦେବା ସହ ପୂଜା କରାଯାଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/ovCgrORls7xjnsXpFh8R.jpg)