ବିଭିନ୍ନ କାରଣରୁ ଆଜିକାଲି ଅତି କମ୍ ବୟସର ଶିଶୁମାନଙ୍କ ଠାରେ ଦୃଷ୍ଟିଦୋଷ ଦେଖାଦେଉଛି। ପ୍ରଥମରୁ ଜାଣିପାରିଲେ ତାହାକୁ ଶୀଘ୍ର ଦୂର କରାଯାଇପାରନ୍ତା। ମାତ୍ର ଶିଶୁଙ୍କର ଚକ୍ଷୁ ସମସ୍ୟା ରହିଛି ବୋଲି ଜାଣିବା ଏକ କଷ୍ଟକର ବ୍ୟାପାର। କାରଣ ଶିଶୁମାନେ ସେ ବାବଦରେ ଅଭିଯୋଗ କରୁନଥିବାରୁ ସେମାନଙ୍କର ଆଖି ଓ ଦୃଷ୍ଟିଶକ୍ତି ସ୍ବାଭାବିକ ରହିଛି ବୋଲି ପିତାମାତାମାନେ ଧରିନେଇଥା’ନ୍ତି। ତେବେ ଶିଶୁଙ୍କର ଦୃଷ୍ଟିଦୋଷ ଠଉରେଇବା ପାଇଁ ଚକ୍ଷୁ ବିଶେଷଜ୍ଞମାନେ କେତେକ ସହଜ ଉପାୟ ବତାଇଛନ୍ତି। ପିଲାଙ୍କ ଠାରେ ନିମ୍ନଲିଖିତ ଲକ୍ଷଣ ଦେଖାଗଲେ ସେମାନଙ୍କର ଆଖି ସମସ୍ୟା ରହିଥିବା କଥା ବୁଝିବାକୁ ହେବ। ପ୍ରଥମତଃ, ଶିଶୁମାନେ ସମୟ ସମୟରେ କୌଣସି ବସ୍ତୁ ଉପରେ ଦୃଷ୍ଟି ନିବଦ୍ଧ କଲା ବେଳେ ଆଖିକୁ ଖୁବ୍ ଜୋରରେ ମନ୍ଥି ଚାଲିଥାନ୍ତି। ସେଥିରୁ ବୁଝିବାକୁ ହେବ ଯେ ସେମାନେ ଆଖିରେ କଷ୍ଟ ଅନୁଭବ କରୁଛନ୍ତି। ଦ୍ବିତୀୟରେ ଶିଶୁମାନେ ନିର୍ଦ୍ଦିଷ୍ଟ ସମୟରେ ଯେତିକି ବହି କି ଖାତାପତ୍ର ପଢ଼ିବା କଥା, ତା’ଠାରୁ କମ୍ ପଢ଼ିଲେ ସେମାନଙ୍କର ଆଖି ସମସ୍ୟା ରହିଛି ବୋଲି ଧରିନେବାକୁ ହେବ। କାରଣ ସେଥିପାଇଁ ସେମାନେ ଗୋଟିଏ ଧାଡ଼ିକୁ ଦୁଇ ତିନି ଥର ପଢ଼ି ସମୟ ସାରିଥା’ନ୍ତି। ସେହିପରି ପଢ଼ିଲା ବେଳେ ମୁଣ୍ଡ ବିନ୍ଧିଲେ ମଧ୍ୟ ଅନୁରୂପ ସମସ୍ୟା ରହିଥିବାର ଆଶଙ୍କା ରହିଛି। ଟିଭି ଦେଖିଲା ବେଳେ ପରଦାର ଅତି ପାଖକୁ ଲାଗି ବସିବା ମଧ୍ୟ ଆଖି ସମସ୍ୟାର ଅନ୍ୟତମ ଲକ୍ଷଣ। ବେଳେ ବେଳେ ବହି ପଢ଼ିଲା ବେଳେ ମୁଣ୍ଡକୁ ଢଳାଇ ରଖିବା ମଧ୍ୟ ଆଖିରେ ସମସ୍ୟା ରହିଛି ବୋଲି ଜାଣିବାକୁ ହେବ। ସେହିପରି ଶ୍ରେଣୀଗୃହରେ ସବୁବେଳେ ଆଗଧାଡ଼ିରେ ବସିବା ପାଇଁ ସଂଘର୍ଷ କରୁଥିବା ଶିଶୁମାନଙ୍କର ମଧ୍ୟ ସ୍ପଷ୍ଟ ଦେଖିବାରେ ଅସୁବିଧା ରହିଥାଏ। ଏଥି ସହିତ କୌଣସି କାର୍ଯ୍ୟ କଲା ବେଳେ ଗୋଟିଏ ଆଖି ବୁଜି ରହିବା ମଧ୍ୟ ଚକ୍ଷୁଦୋଷର ଅନୁରୂପ ଲକ୍ଷଣ। ତେଣୁ ନିଜ ଶିଶୁ ଠାରେ ଉପରୋକ୍ତ କୌଣସି ଲକ୍ଷଣ ଦେଖିଲେ ତୁରନ୍ତ ଚକ୍ଷୁ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଉଚିତ। କାରଣ ଆଖି ବେଶୀ ଖରାପ ହେବା ଆଗରୁ ବେଳୁହୁଁ ଚିକିତ୍ସା କରି ସେଥିରେ ସୁଧାର ଅଣାଯାଇପାରିବ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp