ଦୈନନ୍ଦିନ କାର୍ଯ୍ୟ ମାଧ୍ୟମରେ ଶିଶୁର ଦୀର୍ଘକାଳୀନ ଦୃଷ୍ଟି ସମସ୍ୟାକୁ ବହୁ ପରିମାଣରେ ହ୍ରାସ କରାଯାଇପାରିବ। ଆଜି ସେଭଳି କିଛି ସାଧାରଣ ଅଭ୍ୟାସ ବାବଦରେ ଆଲୋଚନା କରିବା। ପିଲା ଟିଭି, ଟାବଲେଟ୍, ସ୍ମାର୍ଟଫୋନ୍ ଓ କମ୍ପ୍ୟୁଟର ପରି ସ୍କ୍ରିନ୍‌ ସହ ଦୀର୍ଘ ସମୟ ଅତିବାହିତ କରିବା ଦ୍ୱାରା ଡିଜିଟାଲ୍ ଚକ୍ଷୁ ଚାପ ଏବଂ ମାୟୋପିଆ (ସମୀପଦୃଷ୍ଟି) ମଧ୍ୟ ହୋଇପାରେ। ତେଣୁ ସ୍କ୍ରିନ୍ ବ୍ୟବହାର ପାଇଁ ସମୟ ସୀମା ସ୍ଥିର କରିବା ଦରକାର। ପ୍ରତି ୨୦ ମିନିଟ୍‌ରେ ଟିକେ ବିରତି ନେବା ଆବଶ୍ୟକ। ସେହିପରି ପ୍ରତିଦିନ ଘର ବାହାରେ ଅତି କମ୍‌ରେ ୧ରୁ ୨ ଘଣ୍ଟା ବିତାଇବା ଦ୍ୱାରା ପିଲାମାନଙ୍କ ମଧ୍ୟରେ ମାୟୋପିଆ ହେବାର ଆଶଙ୍କା ହ୍ରାସ ପାଇଥାଏ।

Advertisment

ପ୍ରାକୃତିକ ଆଲୋକରେ ଦୂର ଦୂରାନ୍ତର ଧ୍ୟାନ ସୁସ୍ଥ ଦୃଷ୍ଟି ବିକାଶ କରିବାରେ ସାହାଯ୍ୟ କରେ। ତେଣୁ ସାଇକେଲିଂ କିମ୍ବା ଫୁଟ୍‌ବଲ୍‌, ହକି କି କ୍ରିକେଟ୍‌ ଭଳି ବାହାର ଖେଳ ଅତ୍ୟନ୍ତ ଲାଭଦାୟକ। ଏଥିସହ ପିଲା ଯେଭଳି ଆଲୋକିତ ପରିବେଶରେ ପଢ଼େ କିମ୍ବା ଗୃହକାର୍ଯ୍ୟ କରେ, ସେଥିପ୍ରତି ଦୃଷ୍ଟିଦେବା ଦରକାର। କମ୍‌ ଆଲୋକ ଆଖିକୁ ଚାପ ଦେଇ ମୁଣ୍ଡବିନ୍ଧା ଓ ଥକାପଣ ସୃଷ୍ଟି କରିପାରେ। ପ୍ରାକୃତିକ ଦିବାଲୋକ କିମ୍ବା ଉଜ୍ଜ୍ୱଳ କିନ୍ତୁ ନରମ କୃତ୍ରିମ ଆଲୋକ ଆଖି ଚାପ ହ୍ରାସ କରିବା ପାଇଁ ସର୍ବୋତ୍ତମ। ପଢ଼ିଲା ବେଳେ ପୁସ୍ତକ କିମ୍ବା ସ୍କ୍ରିନ୍‌କୁ ଆଖିଠାରୁ ଅତି କମ୍‌ରେ ୧୨ରୁ ୧୬ ଇଞ୍ଚ ଦୂରରେ ରଖିବାକୁ ଶିଖାନ୍ତୁ। ସାମଗ୍ରୀଗୁଡ଼ିକୁ ଅତ୍ୟଧିକ ପାଖରେ ରଖିଲେ ଆଖି ଚାପ ସୃଷ୍ଟି ସହ ସମୀପଦୃଷ୍ଟି ଆଶଙ୍କା ବଢ଼ିପାରେ। ସେହିପରି ବାରମ୍ବାର ଆଖି ମିଟିମିଟି କରିବା, ଆଖି ଘୂରାଇବା, କିମ୍ବା ନିକଟରୁ ଦୂରକୁ ଧ୍ୟାନ ସ୍ଥାନାନ୍ତର କରିବା ଆଦି ସରଳ ବ୍ୟାୟାମ ଦ୍ବାରା ଆଖିର ମାଂସପେଶୀ ମଜଭୁତ ହୋଇପାରେ।

ଡିହାଇଡ୍ରେସନ୍‌ ବା ଜଳାଭାବରୁ ଆଖି ଶୁଷ୍କ ହୋଇପାରେ। ତେଣୁ ଆଖିକୁ ଆର୍ଦ୍ର ତଥା ଆରାମଦାୟକ ରଖିବା ପାଇଁ, ବିଶେଷକରି ଶୁଷ୍କ କିମ୍ବା ବାତାନୁକୂଳିତ ପରିବେଶରେ ପିଲା ଯେପରି ଦିନସାରା ପର୍ଯ୍ୟାପ୍ତ ପାଣି ପିଏ, ସେଥିପ୍ରତି ଦୃଷ୍ଟି ଦେବା ଦରକାର।

ଏଥି ସହିତ ଭିଟାମିନ୍ ଏ, ସି,ଇ ସହ ଜିଙ୍କ୍ ଓ ଓମେଗା-୩ ଚର୍ବିଳାମ୍ଳ ସମ୍ବଳିତ ଗାଜର, ପତ୍ରଯୁକ୍ତ ସବୁଜ ପନିପରିବା, ମିଠା ଆଳୁ, ଅଣ୍ଡା, ବାଦାମ ଏବଂ ମାଛ ଆଦି ଖାଦ୍ୟଗ୍ରହଣ ଦୃଷ୍ଟିଶକ୍ତି ହ୍ରାସ ଆଶଙ୍କା ହ୍ରାସ କରି ଆଖିକୁ ସୁସ୍ଥ ରଖିଥାଏ। ସର୍ବୋପରି ଚକ୍ଷୁ ସ୍ୱାସ୍ଥ୍ୟ ପାଇଁ ପର୍ଯ୍ୟାପ୍ତ ନିଦ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେହିପରି ଶରୀରର ଡିହାଇଡ୍ରେସନ୍‌ ବା ଜଳାଭାବରୁ ଆଖି ଶୁଷ୍କ ହୋଇପାରେ। ତେଣୁ ଆଖିକୁ ଆର୍ଦ୍ର ତଥା ଆରାମଦାୟକ ରଖିବା ପାଇଁ, ବିଶେଷକରି ଶୁଷ୍କ କିମ୍ବା ବାତାନୁକୂଳିତ ପରିବେଶରେ ପିଲା ଯେପରି ଦିନସାରା ପର୍ଯ୍ୟାପ୍ତ ପାଣି ପିଏ, ସେଥିପ୍ରତି ଦୃଷ୍ଟି ଦେବା ଦରକାର। ପିଲାମାନେ ପ୍ରାୟତଃ ମଇଳା ହାତରେ ଆଖି ଘଷନ୍ତି, ଯାହା କଞ୍ଜକ୍ଟିଭାଇଟିସ୍ ଭଳି ସଂକ୍ରମଣ ହୋଇପାରେ। ତେଣୁ ହାତକୁ ସଫା ରଖିବାକୁ ସେମାନଙ୍କୁ ଉତ୍ସାହିତ କରିବା ସହ ଆଖି ଘଷିବାକୁ ନିରୁତ୍ସାହିତ କରନ୍ତୁ। ଏହି ସବୁ ଛୋଟ ଅଥଚ ଭଲ ଅଭ୍ୟାସଗୁଡ଼ିକୁ ନିଜ ପିଲାର ଦୈନନ୍ଦିନ ଜୀବନରେ ସାମିଲ କରି ଚକ୍ଷୁ ସ୍ୱାସ୍ଥ୍ୟକୁ ଉନ୍ନତ କରିବା ସହ ତାହାର ଏକାଗ୍ରତା, ଶିକ୍ଷଣ ଏବଂ ଆତ୍ମବିଶ୍ୱାସକୁ ମଧ୍ୟ ଉନ୍ନତ କରିହେବ।