 ଜରୁରିକାଳୀନ ଚିକିତ୍ସା (କାଜୁଆଲ୍‌ଟି) ବିଭାଗକୁ ଆଜିକାଲି କେଉଁ ପ୍ରକାର ରୋଗୀ ଅଧିକ ଆସୁଛନ୍ତି?
ବର୍ଷ ତମାମ କାଜୁଆଲ୍‌ଟିକୁ ଅଧିକ ସଂଖ୍ୟାରେ ଗ୍ୟାଷ୍ଟ୍ରିକ୍‌ ରୋଗୀ ହିଁ ଆସିଥା’ନ୍ତି। ଗତ ୧୦ ବର୍ଷ ହେଲା ଗ୍ୟାଷ୍ଟ୍ରିକ୍‌ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜିକାଲି ଲୋକମାନଙ୍କର ବିଳମ୍ବରେ ଶୋଇବା ଓ ବିଳମ୍ବରେ ଉଠିବା, ଘର ଖାଦ୍ୟ ଛାଡ଼ି ବାହାର ଖାଦ୍ୟ ଖାଇବା ଅଭ୍ୟାସ ଓ ସକାଳ ଜଳଖିଆରେ ରୁଟି, ଚୁଡ଼ା, ଛତୁଆ ବଦଳରେ ତୈଳଯୁକ୍ତ ଖାଦ୍ୟ ଖାଇବା ଯୋଗୁଁ ଗ୍ୟାଷ୍ଟ୍ରିକ୍‌ ଧୀରେଧୀରେ ବିସ୍ଫୋରକ ରୂପ ନେଲାଣି। 
 ଗ୍ୟାଷ୍ଟ୍ରିକ୍‌ ସମସ୍ୟା ଆପେ ଠିକ୍‌ ହୋଇପାରେ କି?
ଗ୍ୟାଷ୍ଟ୍ରିସ୍‌ ସମସ୍ୟା ସାଧାରଣ ହୋଇପାରେ ବା ଅତି ଗୁରୁତର ବି ହୋଇପାରେ। ଶରୀରର ନିଜର ସ୍ବ-ଉପଚାରାତ୍ମକ କ୍ଷମତା ରହିଥିବାରୁ ସାଧାରଣ ଭାବେ ହେଉଥିବା ଗ୍ୟାଷ୍ଟ୍ରିକ୍‌ ଆପେ ଆପେ ଭଲ ହୋଇଯାଏ ବା ସାଧାରଣ ଘରୋଇ ଚିକିତ୍ସାରେ ରୋଗୀ ସୁସ୍ଥ ଅନୁଭବ କରେ। କିନ୍ତୁ ଗୁରୁତର ଗ୍ୟାଷ୍ଟ୍ରିକ୍‌ ସମସ୍ୟା ପାଇଁ ଚିକିତ୍ସା ଓ ଡାକ୍ତରଙ୍କ ପରାମର୍ଶ ଅତ୍ୟାବଶ୍ୟକ।
 ଗ୍ୟାଷ୍ଟ୍ରିକ୍‌ ପୀଡ଼ିତଙ୍କ ଲାଗି ଲେମ୍ବୁୁୁପାଣି ଉପକାରୀ ନା ବିପଜ୍ଜନକ?
ଲେମ୍ବୁପାଣିର ଆଲ୍‌କାଲାଇଜିଂ ପ୍ରଭାବ ଯୋଗୁଁ ଅନେକଙ୍କ କ୍ଷେତ୍ରରେ ବଦ୍‌ହଜମି ବା ଛାତିଜ୍ବଳନ ଆଦି ଲକ୍ଷଣ ଶାନ୍ତ ହୋଇପାରେ। କିନ୍ତୁ ବ୍ୟକ୍ତି ବିଶେଷରେ ଲେମ୍ବୁପାଣିର ପ୍ରଭାବ ଭିନ୍ନ ହୋଇଥାଏ। ଦୀର୍ଘକାଳୀନ ପାଚନ ସମ୍ବନ୍ଧୀୟ ରୋଗ ବା ଏସିଡ୍‌ ରେଫ୍ଲକ୍ସ ରୋଗୀଙ୍କ ପାଇଁ ଏହା ବିପଜ୍ଜନକ ହୋଇପାରେ। ଏଣୁ ରୋଗୀ ନିଜ ଶରୀରର ହାବଭାବକୁ ଲକ୍ଷ୍ୟ କରି ତା’ ଅନୁସାରେ ଖାଦ୍ୟଗ୍ରହଣ କରିବା ଉଚିତ। ଗରମ ପାଣି ବି ଠିକ୍‌ ସେହିଭଳି କିଛି ଲୋକଙ୍କୁ ଆରାମ ଦିଏ ତ କିଛି ଲୋକଙ୍କ ଅସୁବିଧା ବଢ଼ାଇଦିଏ।
 ଗ୍ୟାଷ୍ଟ୍ରିକ୍‌ରୁ ଦୂରେଇ ରହିବା ପାଇଁ ସକାଳୁ ଆମେ କ’ଣ ପିଇବା ଠିକ୍‌?
ସକାଳୁ ଉଠିଲେ ଚା’ ପିଇବା ଅନେକଙ୍କ ଅଭ୍ୟାସ। କିନ୍ତୁ କ୍ଷୀରରେ ତିଆରି ଚା’ ବଦଳରେ ହର୍ବାଲ ଚା’ (ଅଦା ଚା’ ବା କ୍ୟାମେମାଇଲ୍‌ ଚା’) ପିଇବା କେବଳ ଗ୍ୟାଷ୍ଟ୍ରିକ୍‌ ରୋଗୀଙ୍କ ପାଇଁ ନୁହେଁ, ସବୁ ଲୋକଙ୍କ ପାଇଁ ଉପକାରୀ ହୋଇପାରେ। ସେହିଭଳି ନନ୍‌-ସାଇଟ୍ରସ୍‌ ଫଳ ଯେମିତିକି ସେଓ ଓ ନାସପାତି ଜୁସ୍‌ ସକାଳୁ ପିଇବା ଶରୀର ପାଇଁ ହିତକର ହୋଇଥାଏ।
 ଗ୍ୟ‌ାଷ୍ଟ୍ରିକ୍‌ ବେମାରିକୁ ସବୁଦିନ ପାଇଁ କେମିତି ଦୂରେଇ ପାରିବା? ଏହାର ସ୍ଥାୟୀ ଉପଚାର କ’ଣ?
ଶରୀର ମାନେ ତ ରୋଗ ଅଛି। କିନ୍ତୁ ଯତ୍ନବାନ ରହିଲେ ଆମେ ରୋଗର ଲକ୍ଷଣକୁ ଠିକ୍‌ ଭାବେ ନିୟନ୍ତ୍ରଣ କରିପାରିବା। ବାହାର ଖାଦ୍ୟ ଅଧିକ ଖାଇବା ନାହିଁ, ଯଦି ବି ବାହାର ଖାଦ୍ୟ ଖାଇବାକୁ ପଡୁଛି, ତେବେ ପ୍ରଚୁର ପରିମାଣରେ ପାଣି ପିଇବା। ବିଶେଷ କରି ଦେହ ଖରାପ ସମୟରେ ବିଲ୍‌କୁଲ୍‌ ବାହାର ଖାଦ୍ୟ ଖାଇବା ନାହିଁ। ନିଜର ଗ୍ୟାଷ୍ଟ୍ରିକ୍‌ ଅବସ୍ଥାକୁ ଠିକ୍‌ ଭାବେ ଲକ୍ଷ୍ୟ କରି ଏହାର ମୂଳ କାରଣକୁ ପ୍ରଥମେ ସମାଧାନ କରିବାକୁ ଚେଷ୍ଟା କରିବା। ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ ଦ୍ବାରା ତଥା ଏକ ସୁସ୍ଥ ଓ ଶୃଙ୍ଖଳିତ ଜୀବନଶୈଳୀ ଦ୍ବାରା ଆମେ ଗ୍ୟାଷ୍ଟ୍ରିକ୍‌କୁ ନିୟନ୍ତ୍ରଣ କରିପାରିବା।