ଦିନଟିଏ ଭାତ ନ ଖାଇଲେ ଅନେକଙ୍କ ମନରେ ସେଦିନ ଅବସୋସ ରହିଯିବା ପରି ମନେହୁଏ। ଭାତ ଖାଇ ପାରିଲି ନାହିଁ ବୋଲି ମଧ୍ୟ କେତେକ କହି ହୁଅନ୍ତି। ତତଲା ଭାତ ଖାଇଲେ ସନ୍ତୋଷ ମିଳେ। ପଖାଳ ଖାଇଲେ ଆହୁରି ଅଧିକ ସନ୍ତୋଷ ମିଳେ। କିନ୍ତୁ, ଭାତରେ ଦହି ମିଶାଇ ଖାଇଲେ ମନ ପ୍ରଫୁଲ୍ଲ ହୁଏ। ଏହାର କାରଣ ହେଲା ଦହି ଭାତ ସନ୍ତୋଷ ଓ ତୃପ୍ତି ଆଣି ଦିଏ।
Sambad is now on WhatsApp
Join and get latest news updates delivered to you via WhatsApp
ଯଦି ଟିକେ ଅଧିକ ଦହି ଭାତ ଖିଆ ଯାଏ; ବିଶ୍ରାମ ନେବକୁ ମନହୁଏ ବେଳେ ବେଳେ ନିଦୁଆ ଲାଗେ।
କାହିଁକି ଦହିଭାତ ସନ୍ତୋଷ, ତୃପ୍ତି ଓ ସରସପଣିଆ ଆଣି ଦେଇଥାଏ? ବିଜ୍ଞାନ ଏବେ ଏହାର ଉତ୍ତର ଦେବାରେ ସମର୍ଥ।
ଦହିଭାତ ସନ୍ତୋଷ ଦେବାର କାରଣ ହେଲା ଦହିରେ ଥିବା ଟ୍ରାଇପ୍ଟୋଫାନ୍ ନାମକ ଗୋଟାଏ ଅତ୍ୟାବଶ୍ୟକ ଏମିନୋ ଏସିଡ୍। ଅତ୍ୟାବଶ୍ୟକ ଏମିନୋ ଏସିଡ୍ ଅର୍ଥ, ଏହା ଶରୀରେ ତିଆରି ହୋଇ ପାରୁ ନ ଥିବାରୁ ଏହାକୁ ଖାଦ୍ୟରେ ଗ୍ରହଣ କରିବା ଉଚିତ।
ଟ୍ରାଇପ୍ଟୋଫାନ୍ ହେଉଛି ସେରୋଟୋନିନ୍ ନାମକ ରାସାୟନିକ ଉପାଦାନର ବିଲ୍ଡିଙ୍ଗ୍ ବ୍ଲକ୍। ଶିକ୍ଷାରେ ଭୂମିକା ଗ୍ରହଣ କରିବା ଠାରୁ ଆରମ୍ଭ କରି ସ୍ମରଣ ଓ ହଜମ ଯାଏଁ ଶରୀରରେ ସେରୋଟୋନିନ୍ର ଅନେକ ପ୍ରକାର କାର୍ଯ୍ୟ ରହିଛି। ଏହାଛଡ଼ା, ସେରୋଟୋନିନ୍ ଏକ ନ୍ୟୁରୋ-କେମିକାଲ୍ ଏବଂ ପ୍ରାକୃତିକ ମିଜାଜ୍ ନିୟନ୍ତ୍ରଣକାରୀ ହୋଇ ଥିବାରୁ ଏହା ବ୍ୟକ୍ତିବିଶେଷଙ୍କୁ ପ୍ରଫୁଲ୍ଲ ରଖେ, ଆବେଗ ଦୃଢ଼ କରେ, ବ୍ୟାକୁଳତା କମାଏ, ଅଧିକ ଶାନ୍ତ ରଖେ, ମନଧ୍ୟାନ ଠିକ୍ ରଖେ ଓ ଶକ୍ତି ବୃଦ୍ଧି କରେ। ସେରୋଟୋନିନ୍ ମାତ୍ରା କମ୍ ରହିଲେ ବିଷାଦ ଭଳି ମାନସିକ ବିକୃତି ଦେଖା ଦେଇଥାଏ।
ସେରୋଟୋନିନ୍ରୁ ସୃଷ୍ଟି ହୁଏ ମେଲାଟନିନ୍ ନାମକ ନିଦ୍ରା ଉଦ୍ରେକକାରୀ ରାସାୟନିକ ଉପାଦାନ। ତେଣୁ ପେଟେ ଦହିଭାତ ଖାଇ ସାରିବା ପରେ ନିଦ ମାଡ଼େ।
ବ୍ୟକ୍ତି ବିଶେଷଙ୍କୁ ଖୁସି କରିବାକୁ ସେରୋଟୋନିନ୍ ମସ୍ତିଷ୍କରେ ଥିବା ବ୍ଲଡ୍ ବ୍ରେନ୍ ବ୍ୟାରିୟର୍କୁ ଟପି ଯାଇ ପାରେ ନାହିଁ। ଏହା ମସ୍ତିଷ୍କରେ ତିଆରି ହେବା ଆବଶ୍ୟକ ହୋଇଥାଏ। ଏଥିପାଇଁ ହିଁ ଭାତ ଆବଶ୍ୟକ। ଅନେକ ଖାଦ୍ୟରେ ଟ୍ରାଇପ୍ଟୋଫାନ୍ ଥାଏ, କିନ୍ତୁ, ସେରୋଟନିନ୍ ପ୍ରସ୍ତୁତି କରିବାକୁ ଟ୍ରାଇପ୍ଟୋଫାନ୍ ଗ୍ରହଣ କରିବାକୁ ସାହାଯ୍ୟ କରିଥାଏ ଶ୍ୱେତସାର। ବିନା ଶ୍ୱେତସାର ମିଶ୍ରତ ଟ୍ରାଇପ୍ଟୋଫାନ୍ ଯେତେ ଖାଇଲେ ମଧ୍ୟ ସନ୍ତୋଷ ଓ ସୁଖ ମିଳେ ନାହିଁ।
ତେଣୁ ଟ୍ରାଇପ୍ଟୋଫାନ୍ ଦ୍ୱାରା ଉପକୃତ ହେବାକୁ ଏହା ସହ ଜଟିଳ ଶ୍ୱେତସାର ମିଶାଇବାକୁ ପଡ଼ିଥାଏ। ଗବେଷକମାନେ ଜାଣିପାରିଛନ୍ତି ଯେ ଟ୍ରାଇପ୍ଟୋଫାନ୍ ସହ ମିଠାଳିଆ ବା ମଣ୍ଡଭଳି ଶ୍ୱେତସାର ଖାଇବା ଦ୍ୱାରା ଏହା ମସ୍ତିଷ୍କ ଭିତରକୁ ପ୍ରବେଶ କରିଥାଏ।