ନୂଆଦିଲ୍ଲୀ: ୧୪୪ ବର୍ଷ ପରେ ପଡ଼ିଥିବା ମହାକୁମ୍ଭ ମେଳାରେ ସାମିଲ ହେବାପାଇଁ ଉତ୍ତରପ୍ରଦେଶ ସହ ବିଭିନ୍ନ ରାଜ୍ୟରୁ ଶ୍ରଦ୍ଧାଳୁ, ସାଧୁ ଓ ସନ୍ଥଙ୍କ ଭିଡ଼ ଜମିଛି ପ୍ରୟାଗରାଜରେ । କେବଳ ଦେଶ ନୁହେଁ ବରଂ ବିଦେଶରୁ ବି ଶ୍ରଦ୍ଧାଳୁମାନେ ଆସି ସଙ୍ଗମରେ ବୁଡ଼ ପକାଉଛନ୍ତି।
ମହାକୁମ୍ଭରେ ସାମିଲ ହୋଇଥିବା ଅନେକ ସାଧୁ ଓ ସନ୍ଥଙ୍କୁ ନେଇ ଅନେକ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି କ୍ରମରେ ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଯୁବତୀଙ୍କୁ ରୁଦ୍ରାକ୍ଷ ମାଳା ବିକ୍ରି କରୁଥିବା ଦେଖିବାକୁ ମିଳୁଛି।
ଏହି ଯୁବତୀ ଜଣକ ମଧ୍ୟପ୍ରଦେଶର ଇନ୍ଦୋରରୁ ଆସିଥିବା ଜଣାପଡ଼ିଛି। ଯୁୂବତୀଙ୍କ ସରଳ ସ୍ବଭାବ ସହିତ ତାଙ୍କ ଧୂସର ରଙ୍ଗର ଆଖି ପାଇଁ ସେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି।
ଶ୍ୟାମଳୀ ରଙ୍ଗର ଚେହେରା ସହିତ ଯୁବତୀଙ୍କ ଧୂସର ରଙ୍ଗର ଆଖି ଲୋକଙ୍କୁ ବେଶ ଆକୃଷ୍ଟ କରିଛି। ଯୁବତୀ ଜଣକ କୁମ୍ଭମେଳାରେ ବେକରେ ରଙ୍ଗବିରଙ୍ଗର ମାଳା ପକାଇ ହାତରେ ରୁଦ୍ରାକ୍ଷ ସହିତ ବିଭିନ୍ନ ରକମର ମାଳା ଧରି ବୁଲିବୁଲି ବିକ୍ରି କରୁଛନ୍ତି। ତାଙ୍କର ବିକ୍ରି କରିବା ଶୈଳୀ ସହିତ ଗ୍ରାହକଙ୍କ ସହିତ ତାଙ୍କର ବ୍ୟବହାରକୁ ବେଶ ପ୍ରଶଂସା କରାଯାଉଛି।